ନାଁ ଯେମିତି ଭାଗ୍ୟ ବି ସେମିତି….. ବିକାଶର ଅଲୋକରୁ ବଞ୍ଚିତ ଆଦିବାସୀ ଗାଁ ଫଟା ଟାଙ୍ଗର

ରେଙ୍ଗାଲି: ଗାଁର ନାଁ ଫଟାଟାଙ୍ଗର। ନାମ ଯେମିତି ଗାଁର ଭାଗ୍ୟ ବି ସେମିତି। ରାଜ୍ୟ ଏବଂ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଉଛି। ବିଜ୍ଞାପନ ଡେଙ୍ଗୁରାରେ କାନ ଅତଡା ପଡ଼ିଯିବା ସହିତ ଆଖି ଝଲସି ଉଠୁଛି। ଅଜସ୍ର ଟଙ୍କା ଗ୍ରାମାଞ୍ଚଳ ବିକାଶରେ ଖର୍ଚ୍ଚ ହେଉଛି ବୋଲି ଜୋରଦାର ପ୍ରଚାର ପ୍ରସାର ବି ହେଉଛି। ତେବେ ବାସ୍ତବ କ୍ଷେତ୍ରରେ ଠିକ୍‍ ଓଲଟା ହେଉଛି। ଅନେକ ଗାଁ ସ୍ୱାଧିନତା ପ୍ରାପ୍ତିର ଅର୍ଦ୍ଧଶତାଦ୍ଦିର ଉର୍ଦ୍ଧ୍ବ ସମୟ ବିତି ଯିବା ପରେ ଅନେକ ଗାଁ ବିକାଶର ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ସମ୍ବଲପୁର ଜିଲ୍ଳା ରେଙ୍ଗାଲି ବ୍ଳକ୍‍ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମପଞ୍ଚାୟତ ଅଧିନରେଥିବା ଅଦିବାସୀ ଅଧ୍ୟୂଷିତ ଗାଁ ଫଟା ଟାଙ୍ଗର ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଗାଁର ନାଁ ଯେମିତି ବିକାଶ କ୍ଷେତ୍ରରେ ବି ଏହି ଗାଁର ଭାଗ୍ୟ ମଧ୍ୟ ଫଟା। ବିକାଶର କ୍ଷୀଣ ଆଲୋକ ବର୍ତ୍ତିକା ପାଇଁ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଚାତକ ଭଲି ଅନେଇ ବସିଛନ୍ତି।

ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସାମାଜିକ ବିକାଶ, ପାନୀୟ ଜଳ ଆଦି ସର୍ବ ନିମ୍ନ ମୌଳିକ ସୁବିଧା ପାଇଁ ସରକାର କାର୍ଯ୍ୟକାରି କରୁଥିବା ଯୋଜନା ଏହି ଗ୍ରାମବାସୀଙ୍କ ପାଁ ଅପହଞ୍ଚ। ୧୮ ଟି ଆଦିମ ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁରୁ ବାହ୍ୟ ଜଗତକୁ ଯାତାୟାତ ପାଇଁ ଧର୍ସା ଭଲି ଏକ ଶୋଚନୀୟ ପଞ୍ଚାୟତ ରାସ୍ତା ଅଛି। ଅସଂଖ୍ୟ ଖାଲଖମାରେ ପରିପୂର୍ଣ୍ଣ ସରକାର ତ୍ରିସ୍ତରୀୟ ପଞ୍ଚାୟତ ରାଜ୍ ବ୍ୟବସ୍ଥା କାର୍ଯକାରି କରି କ୍ଷମତାର ବିକେନ୍ଦ୍ରିକରଣ କଲା ପରେ ପଞ୍ଚାୟତକୁ ଗ୍ରାମଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଯେ ଏହି ରାସ୍ତା ଉପରେ କାହିଁ କେତେ ବର୍ଷ ହେଲା ମୋରମ କି ମେଟାଲ୍ ପଡ଼ି ନାହିଁ। ଅନାବନା ଘାସ ବୁଦାର ଜଙ୍ଗଳରେ ଅଚ୍ଛାଦିତ ହୋଇ ପଡ଼ିଛି ଏହି ଗାଁ କୁ ସଂଯୋଗ କରୁଥିବା ରାସ୍ତା। ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ଅସମ୍ଭବ। ବର୍ଷା ଋତୁ ଆରମ୍ଭ ହୋଇଗଲା ପରେ ରାସ୍ତା ଦେଇ ସାଇକେଲରେ ଯିବା କଷ୍ଟ ସାଧ୍ୟ ହୋଇପଡୁଛି। ଦେଶବ୍ୟାପି ସର୍ବ ଶିକ୍ଷା ଅଭିଯାନ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ଚାଲିଛି ହେଲେ ଏହି ଗାଁ ରେ ବିଦ୍ୟାଳୟ ନାହିଁ କି ଅଙ୍ଗନବାଡି କେନ୍ଦ୍ରଟିଏ ବି ନାହିଁ। ଦୁର୍ଗମ ରାସ୍ତା ଅତିକ୍ରମ କରି ଛୋଟ ଶିଶୁମାନେ ୪ କିଲୋମିଟର ଦୂରତାରେ ଥିବା ବାସୁପାଲି ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଏବଂ ସ୍କୁଲକୁ କିପରି ଯାଉଥିବେ ତାହା ସହଜେ ଅନୁମାନ କରାଯାଇ ପାରେ।

ଫଟାଙ୍ଗାର ଗାଁ ରୁ ପଞ୍ଚାୟତ ହେଡକ୍ୱାର୍ଟରର ଦୂରତା ୮କିଲୋମିଟର ଏବଂ ବ୍ଳକ୍‍ ସଦର ମହକୁମାର ଦୂରତା ୧୦ କିଲୋମିଟର। ରାସ୍ତାଘାଟ ଠିକ୍‍ ନ ଥିବାରୁ ଗ୍ରାମ଼ବାସୀ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପଞ୍ଚାୟତରୁ ଚାଉଳ ,କିରୋସିନି ତେଳ, ଗହମ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ତଥା ଅନ୍ୟାନ୍ୟ ମୌଳିକ ସୁବିଧା ପାଇବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଏହି ଗାଁ ରେ କୌଣସି ବ୍ୟକ୍ତି ଗୁରୁତର ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଡାକିଲେ ମଧ୍ୟ ଗାଁକୁ ଆସିପାରେ ନାହିଁ। ଗାଁ ରୁ ୪କିଲୋମିଟର ଦୂରରେ ଥିବା ବାସୁପାଲି ପର୍ଯ୍ୟନ୍ତ ଆମ୍ବଲାନ୍ସ ଆସି ଛିଡା ହୁଏ। ଅସୁସ୍ଥ ଥିବା ରୋଗୀକୁ ଖଟରେ (ଝୁଲା) ପାଳିଙ୍କି କରି ଆମ୍ବୁଲାନ୍ସ ପାଖକୁ ଅଣାଯାଇଥାଏ। ଏଭଲି ଅଭାବନୀୟ ବ୍ୟବସ୍ଥା ମଧ୍ୟ ରେ ଗ୍ରାମବାସୀ ଦହଗଞ୍ଜ ହେଉଥିଲେ ବି ନିର୍ବାଚିତ ଜନ ପ୍ରତିନିଧି କି ପ୍ରଶାସନିକ ଅଧିକାରି ମାନଙ୍କର ଦୃଷ୍ଟି ଗୋଚର ହେଉ ନାହିଁ ।

ଗାଁରେ ପିଇବା ପାଣି ପାଇଁ ଥିବା ଦୁଇଟି ନଳକୂଅ ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଶୁଷ୍କ ହୋଇଯାଉଥିବାରୁ ବର୍ଷ ଅଧିକାଂଶ ସମୟ ଗାଁର ଲୋକେ ଗାଁ ପାଖ ଦେଇ ପ୍ରବାହିତ ନାଳାର ଦୂଷିତ ପାଣିରେ ସ୍ନାନ ଶୌଚ କର୍ମ ସମ୍ପାଦନ କରିବା ସହିତ ଖାଦ୍ୟପେୟ ପ୍ରସ୍ତୁତିରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦା ର ସର୍ବାଙ୍ଗୀନ ଉନ୍ନତି ଏବଂ ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଭାବରେ ଗୁରୁତ୍ୱ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ବିଭାଗ ଏବଂ ମନ୍ତ୍ରଣାଳୟ ମଧ୍ୟ ରହିଛି। ତେବେ ରାଜନେତା ମାନଙ୍କ ସ୍ଥାଣୁତ୍ୱ ଏବଂ ପ୍ରଶାସନିକ ଅବହେଲା ଯୋଗୁଁ ସମ୍ପୂର୍ଣ ଆଦିବାସୀ ଅଧ୍ୟୁଷିତ ଫଟାଟାଙ୍ଗର ଗାଁକୁ ବିକାଶ ଅପହଞ୍ଚ ହୋଇ ରହିଯାଇଛି। ଆଉ କେତେ ବର୍ଷ ପରେ ସରାକରଙ୍କ ତଥା କଥିତ ବିକାଶ ଏହି ଗାଁକୁ ପହଞ୍ଚିବ ଏହା ଏକ ଅସମାହିତ ପ୍ରଶ୍ନ ହୋଇ ରହିଯାଉଛି।

ସ୍ୱାଧିନତା ପରେ କେତେ ନିର୍ବାଚନ ଆସିଲା ଓ ଗଲାଣି। ନିର୍ବାଚନ ସମୟରେ ନେତା ମାନେ ହାତୀ ଦେବି ଘୋଡା ଦେବ କହି ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ଭୁଲି ଯାଉଛନ୍ତି। କ୍ଷମତା ଚୌକିରେ ନେତା ବଦଳୁଛନ୍ତି ହେଲେ ଫଟାଟାଙ୍ଗର ଗ୍ରାମର ଫଟାଭାଗ୍ୟର ପରିବର୍ତ୍ତନ ହେଉନାହିଁ। ଅଚ୍ଛେଦିନ୍‍, ଗାଁ ହସିଲେ ଦେଶ ହସିବ, ଗାଁ କୁ କାମ ମାଆକୁ ସମ୍ମାନ ଆଦି ନିର୍ବାଚନ ଇସ୍ତାହାର ଓ ସ୍ଲୋଗାନ କେବଳ କାଗଜ କଳମରେ ହିଁ ସୀମିତ ହୋଇ ରହି ଯାଉଛି। ସରକାରଙ୍କ ତଥା କଥିତ ଗ୍ରାମ୍ୟ ବିକାଶ ଯୋଜନା ଏହି ଗ୍ରାମବାସୀଙ୍କ ପାଇଁ ମୂଲ୍ୟହୀନ ତଥା ପହସନ ଛଡା ଆଉକିଛି ନୁହେଁ ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

ସବୁଠାରୁ ବିଡମ୍ବନାର ବିଷୟ ଯେ ସରକାର ଶିଳ୍ପାୟନ ହେଲେ ପାରିପାର୍ଶିକ ବିକାଶ ହେବ ବୋଲି ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ଧୂଆଁବାଣରେ ପରିଣତ ହୋଇଛି। ଶିଳ୍ପ ସମୃଦ୍ଧ ରେଙ୍ଗାଲି ଶିଳ୍ପାଞ୍ଚଳର ଅତି ନିକଟରେ ଥିବା ଏହି ଆଦିବାସୀ ଅଧ୍ୟୁଷିତ ଗାଁର ମୌଳିକ ବିକାଶ ପାଇଁ ଶିଳ୍ପାନୁଷ୍ଠାନ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ଟଙ୍କା ମଧ୍ୟ ବିନିଯୋଗ ହେଉନାହିଁ। ସରକାରି ନୀତି ନିୟମକୁ ଆଖିଠାର ମାରି ତେଳିଆ ମୁଣ୍ଡ ରେ ତେଳ ଦେଭା ନୀତି ଅବଳମ୍ବନ କରି ରେଙ୍ଗାଲି ବ୍ଳକ୍‍ ରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକର ପାରିପାର୍ଶ୍ବିକ ବିକାଶ ପାଣ୍ଠିର ଟଙ୍କା ସହର ଓ ନଗରର ବିକାଶ ପାଇଁ ବିନିଯୋଗ ହେଉଛି।

Comments are closed.