ବଢୁଛି ଖରା-ଶୁଖିଲାଣି ପାରମ୍ପରିକ ଜଳଉତ୍ସ

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳ ସଙ୍କଟ କ୍ରମଶଃ ଗମ୍ଭିର ଆକାର ଧାରଣ କରିବାରେ ଲାଗିଛି। ଦିନକୁ ଦିନ ଖରା ବଢୁଥିବାରୁ ସ୍ଥାନୀୟ ଅଞ୍ଚଳର କୁଆ ଶୁଖିଗଲାଣି। ଜଳ ଜମି ଜଙ୍ଗଳ ଅଧିଗ୍ରହଣ କରି କୋଟି କୋଟି ଟଙ୍କା ମୁନାଫା କରୁଥିବା ଶିଳ୍ପାନୁଷ୍ଠାନ ଗୁଡିକ ଏ ଅଞ୍ଚଳର ପାରମାରିକ ଜଳ ଉତ୍ସ ଗୁଡିକର ପୁନଃରୁଦ୍ଧାର କରାଯିବା ନେଇ ଦାବି କରାଯାଇଛି। ରାଜନେତା ଏବଂ ପ୍ରଶାସନ ପକ୍ଷରୁ ଶିଳ୍ପ କମ୍ପାନୀମାନଙ୍କ ଉପରେ ଏଥିପାଇଁ କୌଣସି ଚାପ ପକାଯିବା ଦରକାର। ବନ୍ଧ, କଟା ପୋଖରୀ ଆଦି ପାରମ୍ପାରିକ ଜଳାଶୟ ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ, ପରିଚାଳନା ତଥା ପଙ୍କୋଦ୍ଧାର ଆଦି କାମ ଜରୁରୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପ୍ରାଚୀନ ପଦ୍ଧତିର ପ୍ରତୀକ ଭାବେ ବିବେଚିତ ବନ୍ଧକଟା ପୋଖରିର ଉନ୍ନତି ଏବଂ ପୁନଃରୁଦ୍ଧାର ପାଇଁ ମୋ ପୋଖରି, ଆଦର୍ଶ ପୁଷ୍କରିଣୀ, ମହାବନ୍ଧ ଯୋଜନା ଆଦି ଯୋଜନାରେ ଏସବୁ ମରାମତି କରାଯାଇପାରିବ ବୋଲି ସେମାନେ କହିଛନ୍ତି।

 

ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ବ୍ଲକର ବିଭିନ୍ନ ଗ୍ରାମରେ ଥିବା ପାରମ୍ପାରିକ ପୋଖରି, ବନ୍ଧକଟା ଏପରିକି ୨୫/୩୦ ଫୁଟ ଗଭିରତା ଥିବା କୂଅ ଗୁଡିକ ଶୁଖି ଯାଇଥିବା ଦେଖିବାକୁ ମିଳିଛି। ଜଳ ସଙ୍କଟ ଦେଖାଦେଇଥିବା ଗ୍ରାମର ଲୋକେ ୨/୩ କିଲୋମିଟର ପଥ ଅତିକ୍ରମ କରି ଗାଧୋଇବାକୁ ଯାଉଥିବାର ଦେଖିବାକୁ ମିଳୁଛି। ପୁଣି ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ନଳକୂଅ ଗୁଡିକରୁ ପାଣି ବାହାରିବା କଷ୍ଟକର ହୋଇପଡୁଛି। ଅନେକ ଗାଁ ରେ ନଳକୂଅ ଶୁଷ୍କ ହୋଇପଡିଥିବାର ଜଣାପଡିଛି। ଜଳସଙ୍କଟ ଯୋଗୁଁ ଅନେକ ଗାଁରେ ପାହାନ୍ତିଆରୁ ଲୋକେ ନଳକୂଅରେ ଧାଡି ବାନ୍ଧି ରହୁଥିବା ବେଳେ କେତେକ ଉପାନ୍ତ ଗାଁରେ ନାଳର ପାଣି ବ୍ୟବହାର କରିବାକୁ ଲୋକେ ବାଧ୍ୟ ହେଉଛନ୍ତି। ବ୍ଲକ୍ କତରବଗା ପଞ୍ଚାୟତର ବଡମାଳ ଗାଁ ରେ ଥିବା ବନ୍ଧକଟା ଏବଂ ପୋଖରି ଶୁଖିଯାଇଥିବାରୁ ଲୋକେ ଗାଧୋଇବା ପାଇଁ ୨କିଲୋମିଟର ଦୂରତା ରେ ଥିବା ନାଳରେ ସ୍ନାନ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି। ଝାଙ୍କରପାଲି ପଞ୍ଚାୟତର ଚନ୍ଦନିମାଲ, ଗୁମଲୋଇ, କୁସୁମଡିହି, ସୁଖୁପଡା, ଫଟାଟାଙ୍ଗର, ସହସିଆମାଲ, ସାଲେଡଙ୍ଗୁରୀ, ପଟାମାଲ,ଟାଙ୍ଗରପାଲି, କେନ୍ଦୁଟିକ୍ରା, ତବଡାବାହାଲ ପଞ୍ଚାୟତର ବାରଡୁଙ୍ଗୁରି ଗୌଡପଡା, କୁଳତାପଡା, ବଘିଆ, ନାଏକପଡା, ଓରାମପଡା ଆଦି ଗ୍ରାମରେ ଥିବା ବନ୍ଧକଟାର ପାଣି ଶୁଖିଯାଇଥିବାରୁ ସଂପ୍ୃକ୍ତ ଗ୍ରାମର ଲୋକେ ସ୍ନାନ ଶୌଚ ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜଙ୍ଗଲଶ ପଞ୍ଚାୟତର ବିଞ୍ଜିପାଲି, ଭୁର୍ଷିପାଲି, ଚନ୍ଦାମାଲ, ଟାମ୍ପରକେଲା ପଞ୍ଚାୟତର ଖୁଣ୍ଟପାଲି, ଖପସାଡେରା, ଲାଙ୍ଗବାହାଲ, ଝରବହାଲ ଆଦି ଗ୍ରାମରେ ମଧ୍ୟ ଜଳସଙ୍କଟ ଗମ୍ଭିର ଥିବାର ଜଣାପଡିଛି। ଠିକ୍ ସେହିପରି ହୀରାକୁଦ ଜଳଭଣ୍ଡାର ତଟବର୍ତ୍ତି ଅଞ୍ଚଳରେ ଥିବା ସପନେ, ତୁରିଟିକ୍ରା, କୁର୍ଲା, ଯୁଗିପାଲି, ବାଉଁସେନ, ଥୁଣ୍ଟିକତରବଗା ଦନ୍ତାମୁରା, ଚାଲଟିକ୍ରା, ମାତୁଲୁକେମ୍ପ, ଲପଙ୍ଗା ପଞ୍ଚାୟତର ବଂଶିମାଲ ଆଦି ଗ୍ରାମରେ ପିଇବା ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ଗାଧୋଇବା ପାଣି ପାଇଁ ଲୋକେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବାର ଜଣାପଡିଛି। ଏହାବ୍ୟତିତ ରେଙ୍ଗାଲି, ସାଲଡ, ଲପଙ୍ଗା, ଖିଣ୍ଡା, ବମାଲୋଇ, ନିଶାନଭଙ୍ଗା, ବମାଲୋଇ ଆଦି ପଞ୍ଚାୟତର ଗ୍ରାମ ମାନଙ୍କରେ ଥିବା ବନ୍ଧକଟା, ପୁଷ୍କରିଣୀ ଗୁଡିକର ଗ୍ରୀଷ୍ମଋତୁରେ ସ୍ୱାଭାବିକ ଭାବରେ ଜଳଧାରଣ କ୍ଷମତା ହ୍ରାସ ପାଉଛି। ଗଭୀର ନଳକୂପ ଖୋଳି ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳର ସମସ୍ୟା ଦୂର କରାଯାଇପାରିବ। ଏ ଦିଗରେ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି।

Comments are closed.