ରେଙ୍ଗାଲି ନିର୍ବାଚନମଣ୍ଡଳିରେ ପଞ୍ଚାୟତ ନିର୍ବାଚନ ତାତି

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବାକୁ ବିଜେଡି, ବିଜେପି, କଂଗ୍ରେସ ଆଦି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ସାରିଲେଣି । ପ୍ରାରମ୍ଭିକ ପ୍ରଚାର କାର‌୍ୟ୍ୟ ମଧ୍ୟ ତିନି ପ୍ରମୁଖ ଦଳ ଆରମ୍ଭ କରିଦେଇଛନ୍ତି । ରେଙ୍ଗାଲି ନିର୍ବାଚନ ମଣ୍ଡଲି ରେ ରେଙ୍ଗାଲି ବ୍ଳକ୍ ର ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଏବଂ ଧନକଉଡା ବ୍ଳକ୍ ର ମଧ୍ୟ ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଥିବା ବେଳେ ମାନେଶ୍ୱର ବ୍ଳକ୍ ର ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ମୋଟ ୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ବିଜେଡିର ବିଧାୟକ ଥାଇ ସୁଦ୍ଧା ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିକୁ ବାଜିମାତ୍ ଦେଇ ବିଜେପି ଦଳ ପ୍ରାର୍ଥୀ ବିଜୟୀ ହୋଇ ୫ଟି ଯାକ ଜୋନରେ ଜିଲ୍ଲା ପରିଷଦକୁ ନିର୍ବାଚିତ ହୋଇଥିଲେ ।

ଗତ ଜିଲ୍ଲା ପରିଷଦ ନିର୍ବାଚନ ସମୟ ରେ ବିଧାୟକ ଥିଲେ ବିଜେଡି ଦଳ ରମେଶ ପଟୁଆ ଏଥର ଏହି ନିର୍ବାଚନ ମଣ୍ଡଲି ରେ ବିଜେପି ଦଳର ବିଧାୟକ ଅଛନ୍ତି ବିଜେପିର ନାଉରି ନାୟକ । ବିଗତ ଜିଲ୍ଲା ପରିଷଦ ନିର୍ବାଚନ ବିଜେଡି ପରାଜିତ ହେଲା ପରେ ବିଧାନ ସଭା ନିର୍ବାଚନ ରେ ମଧ୍ୟ ବିଜେପି ଠାରୁ ପରାଜିତ ହୋଇଥିଲା । ଜିଲ୍ଲା ପରିଷଦ ନିର୍ବାଚନକୁ ବିଧାନସଭା ନିର୍ବାଚନର ସେମିଫାଇନାଲ୍ ବୋଲି ନିର୍ବାଚନ ପର‌୍ୟ୍ୟବେକ୍ଷକ ମହଲରେ ମତପ୍ରକାଶ ପାଉଛି । ବିଜେଡି ଦଳ ଗତ ନିର୍ବାଚନ ରେ ହୋଇଥିବା ପରାଜୟର ପ୍ରତିଶୋଧ ନେବାପାଇଁ ଚଳିତ ନିର୍ବାଚନ ରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ଦୁଇଜଣ ମନ୍ତ୍ରୀ, ଜଣେ ବିଧାୟକ, ପୂର୍ବତନ ବିଧାୟକ , ଜିଲ୍ଲା ସଭାପତିଏବଂ ଦଳୀୟ ପର‌୍ୟ୍ୟବେକ୍ଷକ,ଜିଲ୍ଲା ସଭାପତି ଏହି ନିର୍ବାଚନ ରେ ବିଜେପି କୁ ପରାସ୍ତ କରି ଦଳିୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଜୋରଦାର୍ ପ୍ରୟାସ କରୁଛନ୍ତି । ବିଜେପି ଦଳ ମଧ୍ୟ ବିଜେଡିକୁ ପୁଣି ଥରେ ପରାସ୍ତ କରି ବିଜୟଧାରାକୁ ଅବ୍ୟାହତ ରଖିବା ପାଇଁ ସ୍ୱତନ୍ତ୍ର ରଣ ନୀତି ପ୍ରସ୍ତୁତ କରି ସମ୍ବଲପୁର ଏବଂ ରେଙ୍ଗାଲି ବିଧାୟକ, ସଙ୍ଗଠନ ର ଦକ୍ଷ କର୍ମକର୍ତ୍ତା ମାନଙ୍କୁ ନେଇ ଜୋରଦାର ପ୍ରୟାସ ଜାରି ରଖିଛି । କିନ୍ତୁ ଉଭୟ ଦଳ ପାଇଁ ଟିକେଟ୍ ନପାଇ ଅସନ୍ତୁଷ୍ଠ ଆଶାୟୀ ଏବଂ ଗୋଷ୍ଠି କନ୍ଦଳ ମୁଖ୍ୟ ସମସ୍ୟା ତଥା ହାଇକମାଣ୍ଡ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।

ବିଜେପି ଅପେକ୍ଷା ବିଜେଡି ଦଳରେ ବିଭିନ୍ନ ଜୋନରେ ଟିକେଟରୁ ବଞ୍ଚିତ ଥିବା ଅସନ୍ତୁଷ୍ଠ ଅଶାୟୀ ଙ୍କ ସଂଖ୍ୟା ବେଶୀ ଏବଂ ଗୋଷ୍ଠି କନ୍ଦଳ ମଧ୍ୟ ବେଶି ବୋଲି କୁହାଯାଉଛି । ଏହି ପରିପ୍ରେକ୍ଷୀ ରେ ଉଭୟ ଦଳରେ ଥିବା ଅସନ୍ତୁଷ୍ଠ ମାନେ ଅର୍ନ୍ତଘାତି କାର‌୍ୟ୍ୟ କରି ଦଳିୟ ପ୍ରାର୍ଥୀଙ୍କ ପରାଜୟର କାରଣ ସାଜିବାର ଆଶଙ୍କା ଥିବା ବେଳେ ଗୋଷ୍ଠି କନ୍ଦଳ ମଧ୍ୟ ପରାଜୟର କାରଣ ହେବାର ସମ୍ଭାବନାକୁ ଏଡାଇ ଦିଅଯାଇ ନପାରେ ବୋଲି ନିର୍ବାଚନ ବିଶ୍ଲେଷକ ମାନେ ମତପ୍ରକାଶ କରୁଛନ୍ତି । ଅସନ୍ତୁଷ୍ଠ ମାନଙ୍କୁ ମନେଇ ସନ୍ତୁଷ୍ଠ କରିବା ଏବଂ ଗୋଷ୍ଠି କନ୍ଦଳର ସମାଧାନ କରି ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଉଭୟ ଦଳ ବ୍ୟାପକ ଚେଷ୍ଟା ଚଲାଇଛନ୍ତି । ସେଥିରେ କେଉଁ ଦଳ ଗୋଷ୍ଠି କନ୍ଦଳକୁ କେତେ ପ୍ରଶମିତ କରିପାରିବ ଏବଂ ଟିକେଟରୁ ବଞ୍ଚିତ ହୋଇଥିବା ଅସନ୍ତୁଷ୍ଠ ଆଶୟୀଙ୍କୁ ସନ୍ତୁଷ୍ଟ କରିବାରେ କେତେ ସଫଲ ହେବ ତାହା ଅବିଶ୍ଚିତ ।
ଅପରପକ୍ଷରେ ଏକଦା ସମ୍ବଲପୁର ଜିଲ୍ଲା ପରିଷଦର ମୋଟ ୧୮ରୁ ୧୫ ଆସନ ଜିତି ଜିଲ୍ଲା ପରିଷଦ ଗଠନ କରିଥିବା କଂଗ୍ରେସ ଦଳର ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ଥିଲେ ମଧ୍ୟ ଦଳର ପାରମ୍ପାରିକ ଭୋଟ ଏବଂ ବିଜେଡି ଓ ବିଜେପି ଦଳରେ ଦେଖାଇଥିବା ଗୋଷ୍ଠି କନ୍ଦଳ, ଅସନ୍ତୁଷ୍ଠ ଅଶାୟୀ ତଥା ଉଭୟ ଦଳ ଉପରେ ବିତସ୍ପୃହ ହୋଇ ପଡିଥିବା ଭୋଟର ମାନଙ୍କୁ ଅଧାର କରି ଦଳକୁ ସୁସଙ୍ଗଠିତ କରି ନିର୍ବାଚନ ମଇଦାନରେ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି । ପୂର୍ବତନ ବିଧାୟକ ଦୁର‌୍ୟୋଧନ ଗର୍ଡିଆ, ଜିଲ୍ଲା ସଭାପତି ଅଶ୍ୱିନୀ ଗୁରୁ, ଜିଲ୍ଲା ସମ୍ପାଦକ ସୁବାଷ ବିଶ୍ୱାଲ ପ୍ରମୁଖ ଦଳିୟ ପ୍ରଚାର ପାଇଁ ବାହାରିଥିବାର ଦେଖିବାକୁ ମିଳୁଛି । ନିର୍ବାଚନ ତାରିଖ ପାଖେଇ ଆସିଲେ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳର ବହୁ ତୁଙ୍ଗ ନେତା ନିର୍ବାଚନ ପ୍ରଚାର ପାଇଁ ଆସିବେ ବୋଲି କୁହାଯାଉଛି । ଦଳର ସ୍ଥିତି ଏବଂ ସମ୍ମାନ ରକ୍ଷା ପାଇଁ ବିଜେଡି ଏବଂ ବିଜେପିରେ ଥିବା ଅସନ୍ତୁଷ୍ଟ ଅଶାୟୀ ଏବଂ ଗୋଷ୍ଠି କନ୍ଦଳର ଫାଇଦା ଉଠାଇବାରେ କଂଗ୍ରେସ କେତେ ସଫଲ ହେବ ତହା ଦଳର ନେତୃମଣ୍ଡଲିର ରଣନୀତି ତଥା ଗୋଟି ଚାଳନା ଉପରେ ନିର୍ଭର କରୁଛି ବୋଲି ନିର୍ବାଚନ ପର‌୍ୟ୍ୟବେକ୍ଷକ ମହଲରେ ମତ ପ୍ରକାଶ ପାଉଛି ।

Comments are closed.