ବିଜେପି ମଣ୍ଡଳ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ: ଉପରେ ଦଳୀୟ ପତାକା ତଳେ ଜାତୀୟ ପତାକା, ସୋସିଆଲ୍‍ ମିଡିଆରେ ଫଟୋ ଭାଇରଲ

ରେଙ୍ଗାଲି: ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସ ପାଳନ ଅବସରରେ ସମ୍ବଲପୁର ଜିଲ୍ଲାର ଲଇଡା ବିଜେପି କାର୍ଯ୍ୟାଳୟରେ ଜାତୀୟ ପତକାକୁ ଅସମ୍ମାନ କରା ଯାଇଥିବାର ଚିତ୍ର ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହୋଛି। ବିଜେପି ଦଳର ପତାକା ଉଚ୍ଚରେ ଉଡୁଥିବା ବେଳେ ଜାତୀୟ ପତାକା ତଳେ ରହିଛି। ଜାତୀୟ ପତକାକୁ ଏଭଳି ଅସମ୍ମାନ କରାଯିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି। ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ୍‍ ହେଲା ପରେ ସଚେତନ ମହଲରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବୀ ହେଉଛି।

ଏ ସଂକ୍ରାନ୍ତରେ ବିଜେପି ଲଇଡା ମଣ୍ଡଳ ସଭାପତି ପ୍ରକାଶ ପୃଷ୍ଠିଙ୍କୁ ପଚରା ଯିବାରୁ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ବିଜେପି ଦଳକୁ ବଦନାମ କରିବା ପାଇଁ ଏହା ବିଜେଡି ଦଳର ଚକ୍ରାନ୍ତ ବୋଲି ଶ୍ରୀ ପୃଷ୍ଟି ପ୍ରତିକ୍ରିୟା ବ୍ୟକ୍ତ କରି ଜାତୀୟ ପତାକା ଏବଂ ଦଳୀୟ ପତାକା ଉପରେ ରହିଥିବାକୁ ଅସ୍ୱୀକାର କରିଛନ୍ତି। ମଣ୍ଡଳ କାର୍ଯ୍ୟାଳୟରେ ପୂର୍ବରୁ ଦଳୀୟ ପତାକା ଉଡୁଛି। ଗଣତନ୍ତ୍ର ଦିବସ ଅବସରରେ ମଣ୍ଡଳ କାର୍ଯ୍ୟାଳୟର ଅନ୍ୟ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା। ବିଜେପି ଦଳକୁ ବଦନାମ ଏବଂ ଅପଦସ୍ତ କରିବାକୁ ଗଣତନ୍ତ୍ର ଦିବସ ପାଳନ ପରେ କର୍ମକର୍ତ୍ତା ଓ ସଭ୍ୟମାନେ ପାର୍ଟି କାର୍ଯ୍ୟାଳୟରୁ ଚାଲିଆସିଲା ପରେ ଜାତୀୟ ପତାକାକୁ ଖୁଣ୍ଟ ସହିତ ଉଠାଇ ଆଣି ଦଳୀୟ ପତାକା ଉଡୁଥିବା ଖୁଣ୍ଟର ତଳ ଭାଗରେ ବାନ୍ଧି ଦେଇ ସୋସିଆଲ୍‍ ମିଡିଆରେ ଫଟୋ ଭାଇରାଲ୍‍ କରାଯାଇଛି। ଏଭଳି ହୀନ ରାଜନୀତି ନିନ୍ଦନୀୟ ବୋଲି ମଣ୍ଡଳ ସଭାପତି ଶ୍ରୀପୃଷ୍ଟି ସ୍ପଷ୍ଟିକରଣ ଦେଇଛନ୍ତି।

Comments are closed.