ଜେଏସଡବ୍ଳୁ ଭୂଷଣ କାରଖାନାରେ ଦୁର୍ଘଟଣା, ବିଷାକ୍ତ ବର୍ଜ୍ୟ ଯୋଗୁ ଚାଷ ଜମି ବ୍ୟାପକ କ୍ଷୟକ୍ଷତି

ରେଙ୍ଗାଲି: ଗୁରୁବାର ରାତି ପ୍ରାୟ ୮ଟା୩୦ ମିନିଟ୍‍ ସମୟରେ ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଠାରେ ଥିବା ଜେ.ଏସ୍‍.ଡବ୍ଳ-ଭୁଷଣ ଷ୍ଟିଲ୍‍ କାରଖାନାର ପେଲେଟ୍‍ ପ୍ଳାଣ୍ଟ ସାଇଡରେ ଥିବା ସ୍ଲରୀ ପଣ୍ଡ୍‍ (ପୋଖରୀ)ର ବାଡ ଭାଙ୍ଗି ଯିବା ଫଳରେ ପୋଖରୀରେ ଗଚ୍ଛିତ ଥିବା ବିଷାକ୍ତ ତରଳ ବର୍ଜ୍ୟ ନିର୍ଗତ ହୋଇ ବାଞ୍ଜିବେର୍ଣା ଗ୍ରାମର ସହରାପଡ଼ାର ଚାଷ ଜମି ବୁଡିଯାଇଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।

କାରଖାନା ଭିତରୁ ହଠାତ୍‍ ତରଳ ବର୍ଜ୍ୟବସ୍ତୁ ନିର୍ଗତ ହୋଇ ୧୦/୧୨ ଫୁଟ ଉଚ୍ଚତାରେ ପ୍ରବାହିତ ହୋଇ ଚାଷ ଜମିକୁ ମାଡିଯିବାର ଦେଖି ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସଂପୃକ୍ତ ଅଞ୍ଚଳରେ ୧୦/୧୨ ଫୂଟ ତରଳ ବର୍ଜବସ୍ତୁ ଜମାଟ ବାନ୍ଧିଥିବା ପ୍ରତ୍ୟକ୍ଷ ଦର୍ଶୀ କହୁଛନ୍ତି। ବାଞ୍ଜିବେର୍ଣା ସହରାପଡ଼ାରେ ଥିବା କୁକୁଡା ଫାର୍ମ ପାଖରେ କାରଖାନାର ତରଳ ବର୍ଜ୍ୟ ବସ୍ତୁ ଘେରି ଜମାଟ ବାନ୍ଧି ଥିବା ବେଳେ ଗାଁର ପୋଖରୀ ଭିତରକୁ ମଧ୍ୟ ତରଳ ବର୍ଜ୍ୟ ପଶି ଯାଇ ପାଣି ବିଷାକ୍ତ ହୋଇଯାଇଛି। ଏହି ଗ୍ରାମ ପାଖରେ କାରଖାନାର ଟେଲିଂ ପ୍ଳାଣ୍ଟ ନିର୍ମାଣ କାମ ଚାଲିଥିବା ବେଳେ ଏହି ଅଘଟଣା ଘଟିଛି। ନିର୍ମାଣ କାମରେ ନିୟୋଜିତ ହୋଇଥିବା ପ୍ରୋକ୍ଳନ୍‍ ହାଇଡ୍ରା ଏବଂଯନ୍ତ୍ରପାତି ତରଳ ବର୍ଜବସ୍ତୁରେ ପୋତି ହୋଇଯାଇଥିବାର ଦେଖିବାକୁ ମିଳିଛି।

ନିର୍ମାଣ କାମ ରେ ନିୟୋଜିତ ଥିବା ୩୦/୩୫ ଜଣ କର୍ମଚାରୀଙ୍କ ସ୍ଥିତାବସ୍ଥା ନେଇ ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି। କାରଖାନା କର୍ତ୍ତୃପକ୍ଷ ସେଠାରେ ନିର୍ମାଣ କାମ ଚାଲୁ ନଥିଲା ବୋଲି କହୁଛନ୍ତି। କିନ୍ତୁ ସ୍ଥାନୀୟ ଲୋକେ ୩୦/୩୫ ଜଣ କର୍ମଚାରୀ କାରଖାନାର ନିର୍ମାଣ କାମରେ ନିୟୋଜିତ ଥିଲେ ବୋଲି କହୁଛନ୍ତି। ଏହି ପରିପ୍ରେକ୍ଷୀରେ କିଏ ସତ କହୁଛି ତାହା ତଦନ୍ତ ସାପେକ୍ଷ।ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇଁ କାରଖାନାର ବରିଷ୍ଠ ଅଧିକାରୀ ଏବଂ ଠେଲକୋଲୋଇ ଆଇଆଇସି ବିଧୁଭୂଷଣ ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଜନସଧାରଣଙ୍କୁ ବୁଝାସୁଝା ତଥା ଆଲୋଚନା କରି କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତି ପୂରଣ ଦେବାପାଇଁ ପ୍ରତିଶ୍ରୁତି ଦେଲାପରେ ପରିସ୍ଥିତି ଶାନ୍ତ ହୋଇଥିଲା। ବିଷାକ୍ତ ତରଳର ଆସ୍ତରଣ ଚାଷ ଜମି ଉପରେ ଜମା ହୋଇ ରହିଲେ ମାଟି ବଞ୍ଜର୍‍ ହୋଇଯାଉଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଥିବାରୁ ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ସେମାନଙ୍କ ଜୀବନଜୀବିକା କୃଷିରୁ ବଞ୍ଚିତ ହେବାର ଅଶଙ୍କା ଦେଖାଦେଇଛି।

Comments are closed.