୪ବର୍ଷ ହେଲା ଅଚଳ-ଡେମୋକ୍ଳିସ ଖଣ୍ଡା ଭଲି ଝୁଲୁଛି ଥିବା ରେଙ୍ଗାଲି ବସଷ୍ଟାଣ୍ଡର ହାଇମାକ୍ସ ଲାଇଟ

ରେଙ୍ଗାଲି: ରେଙ୍ଗାଲି ବସଷ୍ଟାଣ୍ଡ ଠାରେ ଥିବା ହାଇମାକ୍ସ ଲାଇଟ୍ ଦୀର୍ଘ ୪ବର୍ଷ ହେଲା ଅଚଳ ରହିଛି। ବସଷ୍ଟାଣ୍ଡ ଅଞ୍ଚଳକୁ ଉକ୍ତ ଲାଇଟ ଆଲୋକିତ କରୁନାହିଁ । ଏହାର ମରାମତି ଦିଗରେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ବିଦ୍ୟୁତ୍ ବିଭାଗ କେହି ଗୁରୁତ୍ୱ ଦେଉ ନାହାନ୍ତି। ଅଚଳ ହୋଇ ପଡିଥିବା ହାଇମାକ୍ସ ଲାଇଟକୁ ୪ ବର୍ଷ ହେଲା ଏହାର ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ଲାଇଟ ଭାଙ୍ଗି ଯାଇ ଡେମୋକ୍ଳିସ୍ ଖଣ୍ଡା ଭଲି ବିପଦ ଜନକ ଅବସ୍ଥାରେ ଝୁଲିରହିଛି। ଯେ କୌଣସି ସମୟରେ ଏହା ଛିଣ୍ଡି ପଡ଼ିବା ଆଶଙ୍କା ରହିଛି। ବସଷ୍ଟାଣ୍ଡରେ ସବୁବେଳେ ଜନ ଗହଳି ଲାଗି ରହୁଥିବାରୁ ବହୁ ଉଚ୍ଚରେ ଥାଇ ଝୁଲୁଥିବା ହାଇମାକ୍ସ ଲାଇଟ୍ ଲୋକଙ୍କ ଉପରେ ଛିଣ୍ଡି ପଡିଲେ ଅନେକ ମୃତାହତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

 

ରେଙ୍ଗାଲି ୧୬ଟି ପଞ୍ଚାୟତର ବ୍ଳକ୍ ଏବଂ ତହସିଲ ସାଦ ମହକୁମା ହେବା ସହିତ ରାଜ୍ୟର ପ୍ରମୁଖ ଶିଳ୍ପ କରିଡର ହୋଇଥିବା ବେଳେ ଗତ ପ୍ରାୟ ୪ବର୍ଷ ହେଲା ଅକାମୀ ହୋଇ ପଡିଥିବା ହାଇମାକ୍ସ ଲାଇଟର ମରାମତି ଏବଂ ରକ୍ଷଣାବେକ୍ଷଣ ହୋଇ ନପାରି ଡେମୋକ୍ଳିସ୍ ଖଣ୍ଡା ଭଳି ଝୁଲି ରହି ଜନସାଧାରଣ ପାଇଁ ବିପଦ ସୃଷ୍ଟି ହେବା ଭଳି ଅବସ୍ଥାରେ ପଡି ରହିବା ଅତି ପରିତାପର ବିଷୟ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବିପଦଜନକ ଅବସ୍ଥାରେ ଥିବା ରେଙ୍ଗାଲି ବସଷ୍ଟାଣ୍ଡର ହାଇମାକ୍ସ ଲାଇଟର ଉପଯୁକ୍ତ ମରାମତି କରାଯିବା ନେଇ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Comments are closed.