ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ସମିତି ସଭ୍ୟ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବମାଲୋଇ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରମୋଦ କୁମାର ପ୍ରଧାନ ବମାଲୋଇ ପାଖ ବାରଗାଡ ଗାଁର ନିଛାଟିଆ ସ୍ଥାନରେ ଥିବା ଏକ ନିମ୍ବ ଗଛ ତଳେ ଶୀତ କାକରରେ ମୁମୂର୍ଷୁ ଅବସ୍ଥାରେ ଜନୈକ ଅସହାୟ ବୃଦ୍ଧ ପଡିଥିବା ଖବର ପାଇଥିଲେ। ଶ୍ରୀ ପ୍ରଧାନ ଘଟଣା ସ୍ଥଳକୁ ପହଞ୍ଚି ଅସହାୟ ବୃଦ୍ଧକୁ ଉଦ୍ଧାର କରି କମ୍ବଳ ଏବଂ ଖାଇବାକୁ ଦେଇ ଠେଲକୋଲୋଇ ପୁଲିସକୁ ସୂଚନା ଦେଇଥିଲେ।

ବୃଦ୍ଧଙ୍କ ଅବସ୍ଥା ଅତି ଦୁର୍ବଳ ଥିବାରୁ ଶ୍ରୀ ପ୍ରଧାନ ନିଜେ ଉକ୍ତ ବୃଦ୍ଧଙ୍କୁ ୧୦୮ ଆମ୍ବୁଲାନ୍ସରେ ନେଇ ଝାରସୁଗୁଡ଼ା ସଦର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି। ବୃଦ୍ଧ ଜଣକର ନାମ ରାଇଚରଣ ସର୍ଦ୍ଦାର। ସେ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଘୋଷାଳବାଡିର ବାସିନ୍ଦା ବୋଲି ଜଣାପଡିଛି। ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କର ଟଙ୍କା ପଇସା ଲୁଟେରା ଲୁଟି ନେଇ ଯିବା ଫଳରେ ଚାଲି ଚାଲି ଅର୍ଦ୍ଧାହାର ଓ ଅନାହାରରେ ଘରକୁ ଫେରୁଥିଲେ ବୋଲି ବୃଦ୍ଧ ଜଣକ କହିଛନ୍ତି। ସମିତି ସଭ୍ୟ ପ୍ରମୋଦ କୁମାର ପ୍ରଧାନ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ବୃଦ୍ଧଙ୍କ ଜୀବନ ରକ୍ଷା କରିଥିବାରୁ ଜନସାଧାରଣରେ ଶ୍ରୀ ପ୍ରଧାନଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ପ୍ରଶାସନ ପକ୍ଷରୁ ଅସହାୟ ବୃଦ୍ଧଙ୍କୁ ତାଙ୍କ ନିଜ ଘରକୁ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Comments are closed.