ଡିଜିଟାଲ୍‍ ଇଣ୍ଡିଆ: ୩ ମାସର ଭତ୍ତା ନପାଇ ଆଖି ବୁଜିଲେ ବୃଦ୍ଧା

ରେଙ୍ଗାଲି: ଡିଜିଟାଲ୍‍ ବ୍ୟବସ୍ତାରେ ଭତ୍ତା ପ୍ରଦାନ ଯୋଗୁଁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ କତରବଗା ଗ୍ରାମର ଦୌପଦୀ ଭୁଏ ନାମ୍ନୀ ଜନୈକ ୭୧ ବର୍ଷ ବୟସ୍କା ଅସହାୟ ବିଧବା ୩ମାସ ର ଭତ୍ତା ନପାଇ ଦୁଶ୍ଚିନ୍ତା ରେ ଆଜି ମୃତ୍ୟୁ ବରଣ କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୌପଦୀଙ୍କ ସ୍ୱାମୀ ନରେଶ ଭୁଏ ଗତ ୧୦ବର୍ଷ ହେଲା ମୃତ୍ୟୁ ବରଣ କଲା ପରେ କୋଣସି ସନ୍ତାନ ସନ୍ତତି ନଥିବା ଦୌପଦୀ ଏକାକି ଅସହାୟ ଜୀବନ ଯାପନ କରୁଥିଲେ। ପ୍ରତିମାସ ମିଳୁଥିବା ବିଧବା ଭତ୍ତା ହିଁ ତାଙ୍କର ଏକାମାତ୍ର ସାହା ଭରସା ଥିଲା। ସେତକ ବି ୩ମାସ ହେଲେ ଡିଜିଟାଲ୍‍ ଇଣ୍ଡିଆ ସିଷ୍ଟମ୍‍ ଯୋଗୁଁ ମିଳିଲା ନାହିଁ। ସରକାର ଡିଜିଟାଲ୍‍ ସିଷ୍ଟମରେ ଭତ୍ତା ଦେବା ପ୍ରକ୍ରିୟା ଆରମ୍ଭ କଲା ପରେ ଦୌପଦୀ ଅକୋ୍ଟବର ମାସରୁ ଭତ୍ତା ନପାଇ ଘୋର ଅଭାବ ଅସୁବିଧା ଏବଂ ଦୁଶ୍ଚିନ୍ତାରେ ରହୁଥିଲେ। ନିଜ ସମ୍ପର୍କିୟ ଭାଇ ଘରେ ଆଶ୍ରୟ ନେଇ ରହୁଥିବା ଦୌପଦୀ ତାଙ୍କ ବ୍ୟାଙ୍କ୍‍ ପାସ୍‍ ବୁକ୍‍ ଯାଞ୍ଚ କରାଇଥିଲେ କିନ୍ତୁ ପାସ୍‍ ବୁକରେ ବି ଭତ୍ତା ଟଙ୍କା ଆସି ନଥିଲା।

ନିରାଶ ଦୌପଦୀ ଭତ୍ତା ନପାଇ ସବୁବେଳେ ଚିନ୍ତାଗ୍ରସ୍ତ ହୋଇ ରହୁଥିଲେ ବୋଲି ତାଙ୍କ ସମ୍ପର୍କିୟ ଭାଇ କହିଛନ୍ତି। ଆଜି ସକାଳୁ ଦୌପଦୀ ମୃତ୍ୟୁ ବରଣ କଲାପରେ ସାହି ପଡିଶା ଲୋକଙ୍କ ସହାୟତା ରେ ତାଙ୍କ ଭାଇ ଗ୍ରାମ୍ୟ ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ। ଅତି ଗରିବ ଏବଂ ଜମିବାଡି ନଥିବା ଦୌପଦୀଙ୍କ ଭାଇଙ୍କ ପାଇଁ ଏବେ କିପରି ସାମାଜିକ ରୀତିନୀତିରେ ଦୌପଦୀଙ୍କ ଶୁଦ୍ଧକ୍ରିୟା ଏବଂ ଅନ୍ୟ କାର୍ଯ୍ୟ ସମ୍ପନ୍ନ କରିବେ ଚିନ୍ତାଗ୍ରସ୍ତ ଅଛନ୍ତି। ପ୍ରସାଶନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ମୃତ ଦୌପଦୀ ଜୀବିତ ଥିବା ବେଳେ ପାଇ ନଥିବା ତନିମାସର ଭତ୍ତା ପ୍ରଦାନ କରିବା ସହିତ ଶୁଦ୍ଧକ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଦାବୀ ହେଉଛି।

ଡିଜିଟାଲ୍‍ ସିଷ୍ଟମରେ ଭତ୍ତା ଯୋଗୁଁ ଏକା ଦୌପଦୀ ନୁହନ୍ତି ରେଙ୍ଗାଲି ବ୍ଳକ୍‍ ରେଙ୍ଗଲୋଇ ଗ୍ରାମ ର ମହାଦେବ କୁମୁରା ନାମକ ଜନୈକ ବୃଦ୍ଧ ମଧ୍ୟ ଦୁଇ ମାସ ର ଭତ୍ତା ନପାଇ ଗତ ଦୁଇ ସପ୍ତାହ ପୂର୍ବେ ମୃତ୍ୟୁ ବରଣ କରିଛନ୍ତି। ଦୌପଦୀ ଭୁଏ ଏବଂ ମହାଦେବ କୁମୁରା ଭଲି ଅନେକ ବୃଦ୍ଧ/ବୃଦ୍ଧା ଡିଜିଟାଲ୍‍ ସିଷ୍ଟମ୍‍ ରେ ବ୍ୟାଙ୍କ୍‍ ଜରିଆରେ ଭତ୍ତା ପ୍ରଦାନ ପ୍ରକ୍ରିୟା ଫଳରେ ଭତ୍ତା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

Comments are closed.