ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଭରସାରେ ଚାଲିଛି ଗୋଲାମାଲ ହାଇସ୍କୁଲ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ କତରବଗା ଗ୍ରାମ ପଞ୍ଚାୟତର ଗୋଲାମାଲ ଠାରେ ସ୍ଥାପିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଦୀର୍ଘ ବର୍ଷ ହେଲା ଶିକ୍ଷକ ନିଯୁକ୍ତି ଦିଆଯାଉ ନଥିବାରୁ ଏହି ବିଦ୍ୟାଳୟରେ ଅବସ୍ଥାପିତ ଉଚ୍ଚ ପ୍ରାଥମିକ ଏବଂ ଅନ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଡେପୁଟେସନରେ ଆସିଥିବା ଶିକ୍ଷକମାନଙ୍କ ଭରସାରେ ଏହି ହାଇସ୍କୁଲର ଛାତ୍ର/ଛାତ୍ରୀମାନଙ୍କ ଶିକ୍ଷାଦାନ ଚାଲିଥିବାର ଜଣା ପଡିଛି। ସଂଗୃହୀତ ତଥ୍ୟରୁ ଜଣାପଡିଛି ଯେ ୧୯୦୯ ମସିହାରେ ଗୋଲାମାଲ ଗ୍ରାମରେ ସ୍ଥାପିତ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସରକାର ୨୦୧୫ ମସିହାରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ହାଇସ୍କୁଲର ମାନ୍ୟତା ପାଇବାର ୬ବର୍ଷ ବିତିବାକୁ ବସିଲାଣି କିନ୍ତୁ ଏହି ବିଦ୍ୟାଳୟରେ ହାଇସ୍କୁଲ ପାଇଁ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ଏଠାରେ ଅବସ୍ଥାପିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବ୍ଳକର ଅନ୍ୟ ପ୍ରାଥମିକ ୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକ ଡେପୁଟେସନରେ ଆସି ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଥିବାର ଦୋଖିବାକୁ ମିଳୁଛି।

୬ ବର୍ଷ ହେଲା ସରାକାରଙ୍କ ଶିକ୍ଷା ବିଭାଗ ଗୋଲାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ଦେଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତି କାହିଁକି ଦେଉ ନାହାନ୍ତି ବୋଲି ଅଭିଭାବକ ଏବଂ ଶିକ୍ଷାପ୍ରେମୀ ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନେଇ ଗୋଲାମାଲ ଉନ୍ନୀତ ହାଇସ୍କୁଲର ଛାତ୍ର/ଛାତ୍ରୀମାନଙ୍କୁ ଶିକ୍ଷାଦାନ ଆଉ କେତେ ବର୍ଷ ଚାଲିବ ବୋଲି ପ୍ରଶ୍ନ ହେଉଛି।

ଗୋଲାମାଲ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୦୮ ଜଣ ଶିକ୍ଷକ ଅଧ୍ୟୟନ କରୁଛନ୍ତି। ଅଷ୍ଟମ ଶ୍ରେଣୀର ୫୫ ଜଣ ନବମରେ ୫୨ଜଣ ଏବଂ ଦଶମରେ ୩୩ଜଣ ଛାତ୍ର /ଛାତ୍ରୀ ଅଧ୍ୟୟନ କରୁଛନ୍ତି ଏବଂ ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ର ସଂଖ୍ୟା ୧୬୮। ଏହି ଉନ୍ନୀତ ହାଇସ୍କୁଲରେ ଉଚ୍ଚ ପ୍ରାଥମିକ ସ୍ତରରେ ନିଯୁକ୍ତି ପାଇଥିବା ମାତ୍ର ୬ଜଣ ଶିକ୍ଷକ ଥିବା ବେଳେ ବ୍ଳକର ଅନ୍ୟ ପ୍ରାଥମିକ/ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଡେପୁଟେସନରେ ଶିକ୍ଷକ ଅଣାଯାଇ ଶିକ୍ଷାଦାନ ଚାଲିଛି। ହାଇସ୍କୁଲ ଶିକ୍ଷା ପାଇଁ ମଞ୍ଜୁରି ହୋଇଥିବା ପ୍ରଧାନଶିକ୍ଷକ, ବିଜ୍ଞାନ, ଗଣିତ, ହିନ୍ଦି, ସଂସ୍କୃତ, ସାହିତ୍ୟ, ଇଂରାଜି, ଖେଳ ଶିକ୍ଷକ, କିରାଣି, ପିଅନ ଆଦି ସମସ୍ତ ପଦ ଖାଲି ପଡିଛି। ଏହି ବିଦ୍ୟାଳୟରେ ଏଡଜଷ୍ଟମେଣ୍ଟ ନୀତିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ର/ଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବ ସହିତ ହାଇସ୍କୁଲ ଛାତ୍ର/ଛାତ୍ରୀମାନଙ୍କୁ ମଧ୍ୟ ଶିକ୍ଷାଦାନ କରୁଛନ୍ତି। ନିୟମ ଅନୁଯାୟୀ ହାଇସ୍କୁଲ ପାଇଁ ୮ଜଣ ଶିକ୍ଷକ, ଜଣେ କିରାଣୀ ଏବଂ ଦୁଇ ଜଣ ପିଅନ ରହିବା କଥା। ଏଠାରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଉଛି। ଛାତ୍ର/ଛାତ୍ରୀଙ୍କ ବୃହତ୍ତର ଶସ୍ୱାର୍ଥ ଦୃଷ୍ଟିରୁ ହାଇସ୍କୁଲ ପାଇଁ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମ୍ୟ ଶିକ୍ଷା କମିଟୀ ଏବଂ ଗ୍ରାମବାସୀ ବାରମ୍ବାର ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଦାବୀ ଜଣାଇଥିଲେ ମଧ୍ୟ କୌଣସି ସୂଫଳ ମିଳୁ ନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.