ଗ୍ରାମ୍ୟ ଜଙ୍ଗଲ କମ୍ପାନୀକୁ ଲିଜ୍‍ ଦେବା ନିଷ୍ପତ୍ତିକୁ ଗ୍ରାମବାସୀଙ୍କ ବିରୋଧ

ରେଙ୍ଗାଲି: ରେଙ୍ଗାଲି ତହସିଲ ଅନ୍ତର୍ଗତ ହୀରାକୁଦ ନଦୀବନ୍ଧରେ ବିସ୍ଥାପିତ ହୋଇ ପୁର୍ନବସତି ସ୍ଥାପନ କରିଥିବା ଗୁରୁପାଲି ଗ୍ରାମବାସୀଙ୍କ ଦ୍ୱାରା ଦୀର୍ଘ ବର୍ଷ ଧରି ପତିତ କିସମ ଜମିରେ ସଂରକ୍ଷିତ କରି ରଖାଯାଇଥିବା ୧୯ ଏକର ୯୫ ଡେସିମିଲ୍‍ ଜମିରେ ଥିବା ଗ୍ରାମ୍ୟ ଜଙ୍ଗଳ କୁ ଏନ୍‍.ଏଲ୍‍.ସି କମ୍ପାନୀକୁ କଲୋନୀ ନିର୍ମାଣ ପାଇଁ ଲିଜ୍‍ ଦିଆଯାଉଥିବାରୁ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିଛନ୍ତି। ଆଜି ରାଜସ୍ୱ ବିଭାଗ ପକ୍ଷରୁ ସେହି ଜମି ଚିହ୍ନଟ ଓ ସୀମା ନିର୍ଦ୍ଧାରଣ ପାଇଁ ଆସିଥିବା ବେଳେ ଶତାଧିକ ଗ୍ରାମବାସୀ ଘଟଣା ସ୍ଥଳକୁ ଆସି ଜମି ଲିଜକୁ ବିରୋଧ କରିଥିଲେ।

ଏହା ପୂର୍ବରୁ ଗତ ୨ବର୍ଷ ହେଲା ଅନେକ ଥର ଗ୍ରାମବାସୀ ରେଙ୍ଗାଲି ତହସିଲଦାର ଏବଂ ଜିଲ୍ଲାପାଳଙ୍କ ନିକଟରେ କମ୍ପାନୀକୁ ଗ୍ରାମର ପତିତ କିସମ ଜମି ଲିଜରେ ନଦେବାକୁ ଲିଖିତ ଆପତ୍ତି ଜଣାଇଥିଲେ ମଧ୍ୟ ପ୍ରଜା ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲକୁ କମ୍ପାନୀ ହାତକୁ ଟେକି ଦିଆଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ହୀରାକୁଦ ନଦୀ ବନ୍ଧ ଯୋଜନାରେ ଗ୍ରାମର ଅର୍ଦ୍ଧାଧିକ ଜମି ଜଳ ମଗ୍ନ ହୋଇଯାଇଥିବା ବେଳେ ଏହି ଗ୍ରାମର ସରକାରୀ ଜମି କିଛି ବର୍ଷ ପୂର୍ବେ ବିରାଜ୍‍ ଷ୍ଟିଲ୍‍ ଏଣ୍ଡ୍‍ ଏନାର୍ଜି କମ୍ପାନୀକୁ ଲିଜ୍‍ ସୁତ୍ରେ କାରଖନା ସ୍ଥାପନ ପାଇଁ ଦିଆଯାଇଛି। ସଂପ୍ରତି ଏହି ଗାଁର ଅଧିକାଂଶ ବାସଗୃହ ଏକରୁ ଦୁଇ ଡେସିମିଲ୍‍ ଜମି ମଧ୍ୟରେ ସୀମିତ ଅଛି। ଗୁରୁପାଲି ଗ୍ରାମରେ ଆଉ ବସ୍ତି ଯୋଗ୍ୟ ଜମି ନାହିଁ। ଏଣୁ ଏହି ପତିତ କିସମ ଜମିକୁ କମ୍ପାନୀକୁ ନଦେଇ ଭବିଷ୍ୟତ ପିଢିର ବସତି ସ୍ଥାପନ ସକାଶେ ସୁରକ୍ଷିତ ରଖିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ଗୁରୁପାଲି ଗ୍ରାମବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତଥା ପଶୁ ସମ୍ପଦର ସୁରକ୍ଷା, ଗୋ-ଚାରଣ, ଜନସଂଖ୍ୟା ବୃଦ୍ଧିରେ ବସତି ସ୍ଥାପନ ଆଦିକୁ ବିଚାର କରି କମ୍ପାନୀକୁ ଏହି ଗ୍ରାମର ଖାତା ନଂ ୧୮ ପ୍ଳଟ ନଂ ୪୦୪ (୧) ର ୧୯ ଏକର ୯୫ ଡେସମିଲ୍‍ ଜମିର ଲିଜ୍‍ ବାତିଲ୍‍ କରିବାକୁ ଦାବୀ ହେଉଛି।

Comments are closed.