ଲଇଡା ପଞ୍ଚାୟତରେ କରୋନା ସ୍ଥିତି ଗମ୍ଭିର, ବଢୁଛି ସଂକ୍ରମଣ

ରେଙ୍ଗାଲି:ରେଙ୍ଗାଲି ବ୍ଳକ୍‌ର ଲଇଡା ଗ୍ରାମ ପଞ୍ଚାୟତରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ଏହା ଉଦ୍‌ବେଗର କାରଣ ହୋଇଛି। କରୋନା ସଂକ୍ରମଣ କୁ ରୋକିବା ପାଇଁ ଜନ ସଚେତନତା ସୃଷ୍ଟି ପାଇଁ ଏବଂ ପଞ୍ଚାୟତର ସଚେତନ ନାଗରିକମାନଙ୍କ ସହଯୋଗ ସକାଶେ ଆଜି ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟ ପରିସରରେ ବ୍ଳକ୍ ପ୍ରଶାସନ ପକ୍ଷରୁ ଲଇଡାର ସଚେତନ ନାଗରିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କରପ୍ରସାଦ ସାହୁ, ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର, କତରବଗା ଆଇଆଇସି ଅଜୟକୁମାର ଜେନା, ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଶିଷ ମାଝି, ଅତିରିକ୍ତ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡା ଏହି ବୈଠକ ରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଡିଓ ଶ୍ରୀ ସାହୁ ସମବେତ ସଚେତନ ନାଗରିକ ମାନଙ୍କୁ ଲଇଡା ପଞ୍ଚାୟତରେ କରୋନାର ଭୟାବହ ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଥିଲେ ଏବଂ ଲଇଡା ପଞ୍ଚାୟତ କରୋନା ସଂକ୍ରମଣ ରେ ବ୍ଳକ୍‌ର ଶୀର୍ଷ ସ୍ଥାନରେ ରହିଛି ବୋଲି କହିଥିଲେ। ଏହି ପଞ୍ଚାୟତ ରେ ବର୍ତ୍ତମାନ ମୋଟ ୬୪ ଜଣ କରୋନା ପଜିଟିଭ୍ ଆକ୍ଟିଭ ଅଛନ୍ତି। ସେଥିମଧ୍ୟରୁ ଲଇଡା ଗ୍ରାମର ସଂଖ୍ୟା ସର୍ବାଧିକ ୪୫ ଥିବାରୁ ଶ୍ରୀ ସାହୁ ଉଦ୍‌ବେଗ ପ୍ରକାଶ କରି ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ଗ୍ରାମର ସଚେତନ ନାଗରିକ ସ୍ୱେଚ୍ଛାସେବୀମାନେ ଆଗେଇ ଅସିବାକୁ ଅନୁରୋଧ କରିଥିଲେ। ସମସ୍ତେ ଯେପରି ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବା ସହିତ ହାତ ଧୋଇବା ,ସାନିଟାଇଜେସନ୍ କୁ ଗୁରୁତ୍ୱ ଦେବା। ଅତି ଜରୁରୀ ନହେଲେ ଘରୁ ପଦାକୁ ନ ବାହାରିବା। ଦୋକାନ ବଜାରରେ ଅଯଥା ଭିଡ ନକରିବା ଆଦି ବିଷୟ ପ୍ରତି ଜନସାଧାରଣ ଙ୍କୁ ସଚେତନ କରିବାକୁ ବିଡିଓ ଶ୍ରୀ ସାହୁ ଏବଂ ତହସିଲଦାର ସୁନିଲ ମେହେର ସମବେତ ସଚେତନବର୍ଗ ଙ୍କୁ ଅନୁରୋଧ କରିଥିଲେ।

 

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଶିଷ ମାଝି କରୋନା ସଂକ୍ରମଣର ବିଭିନ୍ନ ଲକ୍ଷଣ ଏବଂ ଏହାର ସତର୍କତା ଉପାୟ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଆଇଆଇସି ଅଜୟ କୁମାର ଜେନା ଜନ ସାଧାରଣ ସଚେତନ ଏବଂ ସତର୍କ ରହି କୋଭିଡ୍ ଗାଇଡ୍ ଲାଇନ୍‌ର ଯେପରି ଅନୁପାଳନ କରିବେ ସେଥିପାଇଁ ସମସ୍ତଙ୍କୁ ସଚେତବନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଜନ ସହଯୋଗ ଓ ସଚେତନତା ବିନା କରୋନାକୁ ରୋକିବା କଷ୍ଟକ ହୋଇପାରେ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ।
ସଂପ୍ରତି ପ୍ରତି ଗାଁ ରେ ଘରେ ଘରେ ଭୂତାଣୁ ଜ୍ୱର ବ୍ୟାପି ଥିବାରୁ ଲୋକେ କରୋନା ଭୟରେ ଡାକ୍ତରଖାନାକୁ ନ ଯାଇ ଔଷଧ ଦୋକାନୀ ମାନଙ୍କ ପରାମର୍ଶରେ ଔଷଧ ସେବନ କରୁଛନ୍ତି ବୋଲି ବୈଠକରେ ଯୋଗ ଦେଇଥିବା ସଚେତନ ନାଗରିକ ମାନଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାର ପ୍ରତିକାର ପାଇଁ ପ୍ରତି ଗ୍ରାମର ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କରାଯାଉ। ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଔଷଧ ଯୋଗାଇ ଦିଆଯିବା ନେଇ ଦାବି କରାଯାଇଥିଲା। ଏଦିଗରେ ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଶିଷ ମାଝି ପ୍ରତିଶ୍ରୁତି ଦେଇଥିଲେ। ପୂର୍ବତନ ବିଧାୟକ ରମେଶ ପଟୁଆ, ସଲିଲ ନାଏକ, ସରୋଜ ପୂଜାରୀ, ପୂର୍ବତନ ସମିତି ସଭ୍ୟ ଭାବନୀଶଙ୍କର ଭୋଇ, ଅଧ୍ୟାପକ ନିଳାଞ୍ଚଳ ତିଓାରୀ, ପୂର୍ବତନ ସରପଞ୍ଚ ସନ୍ତୋଷ ପ୍ରଧାନ, ବିଜେପି ମଣ୍ଡଲ ସଭାପତି ପ୍ରକାଶ ପୃଷ୍ଟି, ଶିକ୍ଷକ ସୁରେଶଚନ୍ଦ୍ର ସାହୁ, ରାଜେଶ ପୃଷ୍ଟି, ନାସିର ଅଲ୍ଲି, ଟୁନୁ ବ୍ରିନେଦ୍, ମହେଶ ଅଗ୍ରଓାଲା ,ବାବୁଲି ବେହେରା, କବିରଶରଣ ନାଏକ, ବିଶ୍ୱଜିତ ନାଏକ, ରାଜେଶ ସାହୁ ପ୍ରମୁଖ ସଚେତନ ନାଗରିକ ବୈଠକରେ ଯୋଗ ଦେଇଥିଲେ। କରୋନା ସଂକ୍ରମଣ କୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସମ୍ପୂର୍ଣ ଭାବରେ ସହଯୋଗ କରାଯିବା ସହିତ କୋଭିଡ୍ ଆଇନକୁ ନିଷ୍ଠାର ସହିତ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରିବା ଦିଗ ରେ ସଚେତନ ନାଗରିକ ମାନଙ୍କୁ ନେଇ ଅଭିଯାନ ଆରମ୍ଭ କରାଯିବ ବୋଲି ବୈଠକ ରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନଙ୍କୁ ସଚେତନ ନାଗରିକ ମାନଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶେଷରେ ସାମ୍ବାଦିକ ହରିହର ନାଥ ଧନ୍ୟବାଦ ଅର୍ପଣ କରିଥିଲେ। କରୋନା ଗାଇଡ୍ ଲଇନ୍ ଅନୁସାରେ ସାମାଜିକ ଦୂରତା ରକ୍ଷା କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

Comments are closed.