ପେଟର ଜ୍ଵାଳା ତୁଳନାରେ ଶରୀରର ସବୁ ଜ୍ଵାଳା ଫିକା ପଡିଛି
ବାଟବଣା ହୋଇଛି ସରକାରୀ ଯୋଜନା
ରେଙ୍ଗାଳିକ୍ୟାମ୍ପ : ଗରିବଙ୍କ ପାଇଁ ମାଳମାଳ ସରକାରୀ ଯୋଜନା ତିଆରି କରାଯାଉଛି। କିନ୍ତୁ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ନ ପହଞ୍ଚି, ପହଞ୍ଚିଛି ବଦବଡିଆଙ୍କ ପାଖରେ। ଯାହା ଫଳରେ ସମ୍ବଳ ବଣ୍ଟନରେ ଅସମାନତା ପରିଲକ୍ଷିତ ହେଉଛି। ଆଜି ବି ଏଇ ଗରିବ ଜାତି ବଞ୍ଚିରହିଛି। ତାଲାବନ୍ଦ ସମୟରେ କରୋନା ସଂକ୍ରମଣର ଭୟାବହତା ଯୋଗୁ ଲୋକେ ଘରେ ରହି ନିଜକୁ ସୁରକ୍ଷିତ ମଣୁଛନ୍ତି। କିନ୍ତୁ ପେଟର ଭୋକ ଆଉ ଦାରିଦ୍ର୍ୟତା ମଣିଷ ପାଇଁ ବଡ ବଡ ମହାମାରୀ ଠାରୁ ବି ଆହୁରି ଭୟଙ୍କର ମନେ ହୁଏ। କଥାରେ ଅଛି ” ସାହା ନାହିଁ ଯାହାର, ରାହା ନାହିଁ ତାହାର” ଏହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଅତାବିରା ବ୍ଲକ ଡୁମ୍ବେରପାଲିର ତୁରିପଡ଼l ଠାରେ ଯାଯାବର ଜୀବନ ବିତାଉଥିବା ଶତୃଘନଙ୍କ ପାଖରେ। ରୋଗିଣା ଜୀବନ ସାଥି ଟିଏ ଛଡା ନା ଅଛନ୍ତି କେହି ସମ୍ପର୍କୀୟ ନା ଅଛି କିଛି ପାର୍ଥିବ ସମ୍ବଳ। ପରିଚୟ ହରା ହୋଇ ଆଜି କେବେ କାହାର ବାରଣ୍ଡା ତ ଆଉ କେବେ କୋଉ କ୍ଲବ୍ ଘରର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ଶତୃଘନ। ବୟସ ୮୦ ବର୍ଷ । ପରିଣତ ବୟସରେ ରୋଗିଣା ପତ୍ନୀ ସହ ଦାରିଦ୍ର୍ୟତା ତାଙ୍କ ପାଖରେ ଦାଉ ସାଧୁଛି। ସରକାରଙ୍କ ଠାରୁ ପାଉଥିବା ଭତ୍ତା ମାସକୁ ୫୦୦ଟଙ୍କା ବ୍ୟତୀତ ଅନ୍ୟ କୌଣସି ସମ୍ବଳ ନାହିଁ ।
କିଛି ଦିନ ତଳେ ତାଙ୍କ ଗଳାରେ ଗୋଟିଏ ବଡ ବଥ ବାହାରି ଥିଲା ।ଏବେ ତାହା ଫାଟିଯାଇ ଭୟଙ୍କର ଦେଖାଯାଉଛି ହେଲେ ସେଥିପାଇଁ ଖାତିର ନାହିଁ ତାଙ୍କର, କାରଣ ଆଜି ପେଟର ଜ୍ଵାଳା ତୁଳନାରେ ଶରୀରର ସବୁ ଜ୍ଵାଳା ଫିକା ପଡିଛି ଶତୃଘନଙ୍କ ଠାରେ। ଖରା ହେଉକୁ ବର୍ଷା, ଶୀତ ହେଉ କି କାକର ବା ହେଉ ମହାମରିର ପ୍ରକୋପ। କିନ୍ତୁ ଭିକ୍ଷା ନ ମାଗିଲେ ପେଟକୁ ଦାନା ମିଳୁନାହିଁ। ସ୍ତ୍ରୀ ତିଳୋତ୍ତମା ବାତ ରୋଗରେ ପୀଡ଼ିତ ହୋଇ ଚଲାବୁଲା କରିବା ବି କଷ୍ଟକର ହେଉଛି। ହାତରେ ବାଡିଟିଏ ଧରି କଷ୍ଟେ ମଷ୍ଟେ ନିତ୍ୟ କର୍ମ ପାଇଁ ଯାଇଥାନ୍ତି । ଶତୃଘନ ଭିକ୍ଷା ବୃତ୍ତି କରି ଯାହା ପାଆନ୍ତି ସେଥିରେ ତାଙ୍କର ତେଲ ଲୁଣ ଚାଲିବା ବି ବେଳେ ବେଳେ କଷ୍ଟକର ହୋଇ ପଡେ। ଆଉ ସ୍ତ୍ରୀର ଚିକିତ୍ସା କରିବା ତାଙ୍କ ପାଇଁ ଅସମ୍ଭବ। କୋଉଠି ହେଲେ ଘର ଖଣ୍ଡିଏ କରିଦେବା ପାଇଁ ସେ ସମସ୍ତଙ୍କୁ ନେହୁରା ହେଉଛନ୍ତି। ଗରିବଙ୍କ ପାଇଁ ନିଜକୁ ଦରଦୀ ବନ୍ଧୁ ବୋଲି ଡିଣ୍ଡିମ ପିଟୁଥିବା ସରକାର ବାହାଦୁର ବି ଏମାନଙ୍କ ପାଇଁ କିଛି କରି ନଥିବା ବଡ ଦୁଃଖର ବିଷୟ। ତେବେ ଏମାନଙ୍କ ପାଇଁ ବାଟବଣା ହୋଇଥିବା ସରକାରୀ ଯୋଜନା କେବେ ବାଟଖୋଜି ପାଇବ ସେଇ ଦିନକୁ ଅନେଇ ରହିଛନ୍ତି ଶତୃଘନ ।
Comments are closed.