ମୌଳିକ ସୁବିଧା ପାଇବା ପାଲଟିଛି ସାତସପନ, ମିଳୁନି ପାନୀୟ ଜଳ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ହେବାର ଦୀର୍ଘ ୯ ବର୍ଷ ବିତିଲା, ହେଲେ ସୁଧୁରି ପାରୁନି ସମସ୍ୟା। ପ୍ରକଳ୍ପ ପରେ ପ୍ରକଳ୍ପ ଉଦଘାଟିତ ହୋଇ ଚାଲୁଛି, କିନ୍ତୁ ଜନସାଧାରଣଙ୍କ ପାଇଁ ମୌଳିକ ସୁବିଧା ମିଳିବା ସାତ ସପନ ପାଲଟିଛି। ପ୍ରଚଣ୍ଡ ଖରାରେ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ବସଷ୍ଟାଣ୍ଡରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହେଉଛି। ଲୋକେ ଗୁଳୁଗୁଳି ଓ ଗରମରେ ପିଇବା ପାଇଁ ପାଣି ପାଉନାହାନ୍ତି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ଉତ୍ତାପରେ ଅତାବିରା ଅଞ୍ଚଳର ଜୀବନଜାପନ ପ୍ରଣାଳୀ ଅସ୍ତବ୍ୟସ୍ତ ହୋଇ ପଡିଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବସଷ୍ଟାଣ୍ଡ ଛକରେ ଏନଏସି ପକ୍ଷରୁ ଦିଆଯାଇଥିବା ଥଣ୍ଡା ପାନୀୟ ଜଳ ଯନ୍ତ୍ର ଅଚଳ ହୋଇ ପଡ଼ିଛି। ଏପରିକି ତା ପାଖରେ ପିଏଚଡି ପାଣି କଳ ଟିଏ ମଧ୍ୟ ରହିଛି, ସେଥିରେ ବି ପାଣି ଆସୁନି। ରାସ୍ତାର ଉଭୟ ପାର୍ଶ୍ବରେ ଦିଆଯାଇଛି ଦୁଇଟି ସିଣ୍ଟେକ୍ସ ଟାଙ୍କି। କିନ୍ତୁ ଖରାରେ ସେହି ଟାଙ୍କି ଦୁଇଟି ତାତିଯାଇ ସେଠାରୁ ଫୁଟା ପାଣି ବାହାରୁଛି। ସ୍କୁଲ୍ ଛାତ୍ରଛାତ୍ରୀ ତଥା ଜନ ସାଧାରଣ ପାନୀୟ ଜଳ ପାଇଁ ହଟହଟା ହେଉଛନ୍ତି। ଏନଏସି ପକ୍ଷରୁ ଖରାଦିନ ପାଇଁ ପାନୀୟ ଜଳ ପିଇବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.