ଜୀବନର ଶେଷ ପାହାଚରେ ସହାୟତାର ହାତ ଖୋଜୁଛନ୍ତି ଉଜୁଲି

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଝିଲିମିଣ୍ଡା ଗ୍ରାମର ଜଗନ୍ନାଥ ପଡ଼ାରେ ରହନ୍ତି ୯୨ ବର୍ଷୀୟା ଉଜୁଳି। ସ୍ବାମୀ କାହିଁ କେତେ ଦିନରୁ ଉଜୁଲିଙ୍କୁ ଏକା କରିଦେଇ ଆରପାରିକୁ ଚାଲିଗଲେଣି। ପରିସ୍ଥିତି ସହ ବାର୍ଦ୍ଧକ୍ୟ ମଣିଷକୁ ବେଳେ ବେଳେ ଇଚ୍ଛା ବିହୀନ କାର୍ଯ୍ୟ କରିବାକୁ ବାଧ୍ୟ କରାଏ, ସେମିତି ପରିସ୍ଥିତିରେ ପଡ଼ି ଅନ୍ୟ କିଛି ବିକଳ୍ପ ନ ପାଇ ଝିଅ ଜୋଇଁ ଘରେ ଆଶ୍ରା ନେଉଛନ୍ତି ସେ। ଜୀବନର ଶେଷ ପାହାଚରେ ଆଜି ତାଙ୍କ ଇନ୍ଦ୍ରିୟଗୁଡ଼ିକ ବି ତାଙ୍କ ଠାରୁ ଧୀରେ ଧୀରେ ଦୂରେଇ ଯାଇ ତାଙ୍କ ଶ୍ରବଣ ଶକ୍ତି, ଦୃଷ୍ଟି ଶକ୍ତି ଏବଂ ସର୍ବୋପରି ସହନ ଶକ୍ତି ଦୁର୍ବଳ ହୋଇଗଲାଣି। ଶରୀରକୁ ସଲଖି ଧରିବା ଶକ୍ତି ବି ତାଙ୍କର ନାହିଁ। ନଇଁ ନଇଁ ଚାଲନ୍ତି।ତଥାପି ସରକାରୀ ସହାୟତାରୁ ସେ ବଞ୍ଚିତ। ନା ଅଛି ରାସନ୍ କାର୍ଡଟିଏ ନା ପାଉଛନ୍ତି ବିଧବା ଭତ୍ତା। ବାର୍ଦ୍ଧକ୍ୟ ଭତ୍ତା କଥା ନ କହିଲେ ଭଲ।

ତାଙ୍କୁ ୯୨ ବର୍ଷ ହେଲାଣି କିନ୍ତୁ ଦୁଃଖର ବିଷୟ ଯେ ପ୍ରଶାସନିକ ବା ସରକାରୀ ସ୍ତରରେ ରହି କାମ କରୁଥିବା କର୍ମଚାରୀଙ୍କ ଦୃଷ୍ଟି ଗୋଚର ହୋଇନି କି କୌଣସି ସରକାରୀ ସହାୟତା ତାଙ୍କ ପାଖରେ ପହଞ୍ଚି ପାରିନି ଆଜି ଯାଏଁ। ତାଙ୍କୁ ଦେଖିଲେ ଲାଗୁଛି ଯେମିତି ପ୍ରତି ମୁହୂର୍ତ୍ତରେ ସେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ଝିଅଘରେ ଏମିତି ରହିବା ତାଙ୍କର ସ୍ୱାଭିମାନକୁ ଆଘାତ ଦେଉଥିଲେ ମଧ୍ୟ ସେ ନିରୁପାୟ। ତେଣୁ ସରକାରୀ ସହାୟତା ମିଳିଲେ କିଛି ନ ହେଲେ ବି ସେ ଶେଷ କିଛି ଦିନ ଆତ୍ମସନ୍ତୋଷ ପାଇବେ, ଆଉ ଶେଷ ସମୟରେ ଶାନ୍ତିରେ ରହିପାରିବେ।

Comments are closed.