ଓଡ଼ିଶା ରାଜ୍ୟ କୃଷକ ସଂଗଠନର ନୂତନ କର୍ମକର୍ତ୍ତାଙ୍କ ପ୍ରଥମ ବୈଠକ

ରେଙ୍ଗାଲିକେମ୍ପ: ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ମୁଖ୍ୟ କାର୍ଯ୍ୟାଳୟ ଠାରେ ନବନିର୍ବାଚିତ କର୍ମକର୍ତ୍ତାଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର ସଭାପତି ସଡାନନ୍ ଭୋଇଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ସଂଗଠନର ସମସ୍ତ ସଭ୍ୟଙ୍କ ସକ୍ରିୟ ଉପସ୍ଥିତି ରହିଥିଲା। ଚଳିତ ରବି ୠତୁର ଅଭାବୀ ବିକ୍ରୀ, ପ୍ରଶାସନର ଭୂମିକା ତଥା ଚାଷୀଙ୍କ ବହୁବିଧ ସମସ୍ୟାର ସମାଧାନରେ ସଂଗଠନର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଫସଲ ଆରମ୍ଭରୁ ସରକାରଙ୍କ ପ୍ରଣୀତ ନୂତନ କୃଷିନୀତି ବିରୋଧରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଚାର ପତ୍ର ତିଆରି କରି ସଂଗଠନ ପର୍ଯ୍ୟାୟ କ୍ରମେ ଦୁଇମାସ ଧରି ଅତାବିରା ବ୍ଲକ ର ବିଭିନ୍ନ ଗାଆଁ ଗାଆଁ ବୁଲି ଲୋକଙ୍କୁ ଅବଗତ କରାଇବା ସହ ସଚେତନ କରିଥିଲା।

ନୂତନ କୃଷି ନୀତିରେ ଥିବା ଅନଲାଇନ ଜଳକର ଆଦାୟ, ଏକଜମାଲି ଜମି ମାଲିକାନାରେ ଥିବା ଅଂଶୀଦାରଙ୍କ ଟୋକନ ସମସ୍ୟା, ଧାନ ବିକ୍ରି ସମସ୍ୟାର ସମ୍ଭାବ୍ୟ ବିପଦ ସମ୍ପର୍କରେ ଯାହା ସଂଗଠନ ଅନୁମାନ କରିଥିଲା ତାହା ଆଜି ସତ ହୋଇଛି। ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ସଂଗଠନ ତରଫରୁ ମୁଖ୍ୟ ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ଯୋଗାଣ କମିଶନର, ଆରଏମସି ସମ୍ପାଦକ, ଉପଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଯାଇଥିଲା। ହେଲେ ପରିତାପର ବିଷୟ ଏହିକି ଯେ ସରକାର ସମସ୍ୟାର ସମାଧାନ ପରିବର୍ତ୍ତେ ଚଳିତ ଥର ଟୋକନ ଅବଧିକୁ ସୀମିତ କରି ମିଲର୍ସମାନଙ୍କ ଠାରେ ଆତ୍ମସମର୍ପଣ କରିବା ସହ ସର୍ବୋଚ୍ଚ ଅଣ୍ଡରରେଟ୍ ଜାରିକଲେ। ଯାହା ଫଳରେ ଚାଷୀ ଏ ବର୍ଷ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହେଲେ। ତେଣୁ ସଂଗଠନ ଆଜି ସରକାରଙ୍କୁ ଅବଗତ କରିଛି ଯେ ଆସନ୍ତା ଦିନରେ ଟୋକନର ସମ୍ପୁର୍ଣ୍ଣ ଉଚ୍ଛେଦ, ବର୍ଷ ସାରା ମଣ୍ଡି ଖୋଲା ରହିବ ଓ ଚାଷୀଙ୍କ ଜଳକର ରସିଦ କିମ୍ବା ଜମିର ନେଟ କପି ଆଧାରରେ ଧାନ କିଣିବାପାଇଁ ପ୍ରଶାସନକୁ ବାଧ୍ୟ କରିବ ବୋଲି ସଂଗଠନ ଦୃଢ଼ ସଂକଳ୍ପ ନେଇଛି।

ଏହି ବୈଠକରେ ସନାତନ ପ୍ରଧାନ, ବସନ୍ତ ବାରିକ, ବୃଷଭାନୂ ସାହୁ, ଜଗନ୍ନାଥ ସାହୁ,ଦଇତାରୀ ଭୋଇ, ପଲଉ ମାଝୀ, ଶ୍ରୀମତୀ ବାରିକ, ଲୋକେଶ୍ୱର ପ୍ରଧାନ, ଭିକାରୀ ବାରିକ, ହାରାଧାନ ପ୍ରଧାନ, ପ୍ରକାଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗଣେଶ ମହାକୁର ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.