ବିନା ମାଟି ଓ ସ୍ୱଳ୍ପ ଆଲୋକ ପାଣିରେ ସବୁ ଋତୁରେ ଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୁବ ଚାଷୀ ସଞ୍ଜୟ

ରେମୁଣା: ବିନା ମାଟି, ସାର, କୀଟନାଶକ ଓ ସ୍ୱଳ୍ପ ଆଲୋକ, ପାଣିରେ ସବୁ ଋତୁରେ ଚାଷ। ଏହା ସମ୍ଭବ କରିପାରିଛନ୍ତି ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବୋରାଇ ଗାଁର ସଞ୍ଜୟ ଦାସ। ସେ ଇଲେକଟ୍ରିକାଲ ଇଞ୍ଜିିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ ବି ଚାକିରି ପଛରେ ନ ଗୋଡ଼ାଇ ଚାଷରୁ ରୋଜଗାରର ବାଟ ପାଇଛନ୍ତି।

ଉକ୍ତ ଗାଁର କାର୍ତିକ ଦାସଙ୍କ ପୁଅ ସଞ୍ଜୟ (୨୨)। ପ୍ରଥମେ କୁଣ୍ଡ ମାଛ ଚାଷ କରିଥିଲେ। ପରେ ନିଜର ବନ୍ୟା ପ୍ଲାବିତ ଅଞ୍ଚଳରେ କିପରି ସବୁ ଋତୁରେ ପନିପରିବା ଚାଷ ହୋଇପାରିବ, ସେଥି ନେଇ ଉଦ୍ୟମ କଲେ। ତାଙ୍କ ଗାଁ ବଡ଼ପାଳ ପଞ୍ଚାୟତର କାକବୋରାଇ ଗାଁ ଏକ ବନ୍ୟାପ୍ଳାବିତ ଅଞ୍ଚଳ। ପଟୁ ମାଟି ପାଇଁ ସେଠାକାର ମାଟି ମଧ୍ୟ ବେଶ ଉର୍ବର। ବର୍ଷରେ ଥରେ ନିଶ୍ଚୟ ବନ୍ୟା ହୁଏ। ଆଉ ବନ୍ୟା ହେଲେ ଚାଷ ବୁଡ଼ିଯିବା, ନଷ୍ଟ ହେବା ମଧ୍ୟ ନିଶ୍ଚିତ। ଏହାକୁ ଲକ୍ଷ୍ୟ କରି ସବୁ ଋତୁରେ କିପରି ପନିପରିବା ଉତ୍ପାଦନ କରାଯାଇପାରିବ, ସେ ଦିଗରେ ସଞ୍ଜୟ ମନ ବଳାଇଲେ। ୟୁ ଟ୍ୟୁବ ମାଧ୍ୟମରେ ସେହି ପ୍ରକାର ଚାଷ ସମ୍ପର୍କରେ ଅବଗତ ହେଲେ। ବିହାର ଓ ଉତ୍ତର ପ୍ରଦେଶ ଯାଇ ତାଲିମ ଗ୍ରହଣ କଲେ। ଘରକୁ ଫେରି ସେ ନୂତନ ପ୍ରଣାଳୀରେ ଚାଷ ପାଇଁ ଆବଶ୍ୟକ ଉପକରଣ; ବାଉଁଶ, ପ୍ଲାଷ୍ଟିକ ପାଇପ, ପାଣି ଉଠା ମୋଟର, ଗ୍ରିନ ନେଟ, ନଡ଼ିଆ କତାର ଗୁଣ୍ଡ,ଗଛ ଲଗାଇବା ପାଇଁ ଗ୍ଲାସ ଆକୃତିର ପାତ୍ର ଏବଂ ମଞ୍ଜି ସଂଗ୍ରହ କଲେ।
ସଞ୍ଜୟ ଆପଣେଇଥିବା ଆଧୁନିକ ଚାଷ ପ୍ରଣାଳୀରେ ମାଟି ଉପରୁ ୨ ଫୁଟ ଉଚ୍ଚରେ ଭାଡ଼ି କରାଯାଏ। ତା’ଉପରେ ୪ ଇଞ୍ଚିଆ ପ୍ଲାଷ୍ଟିକ ପାଇପ ବନ୍ଧାଯାଏ। ପାଇପରେ ଗୋଟିଏ ପାଖ କଣା କରାଯାଏ। ତା’ ଭିତରେ ଗ୍ଲାସ ଆକୃତିର କଣା ଥିବା ପାତ୍ରରେ ମାଟି ବଦଳରେ ନଡ଼ିଆ କତା ଗୁଣ୍ଡ ସହ ଜୈବିକ ପଦ୍ଧତିରେ ପ୍ରସ୍ତୁତ କମ୍ପୋଷ୍ଟ ରଖାଯାଏ। ସେଥିଲେ ଚାରା ଗଛ ଲଗାଇ ସେହି କଣାରେ ରଖିଦିଆଯାଏ। ପାତ୍ରର ତଳ ପଟେ ଏକ ଛିଡ଼ା କନା ଲଗାଯାଏ, ଯାହା ପାଇପ ମଧ୍ୟରୁ ଗଛ ପାଇଁ ପାଣି ସଂଗ୍ରହ କରିବାରେ ସାହାଯ୍ୟ କରିଥାଏ। ଗଛଗୁଡ଼ିକ ବଢ଼ିଲେ ଉପରେ ବନ୍ଧା ଯାଇଥିବା ସୂତାରେ ମଡ଼ାଇ ଦିଆଯାଏ। ଫଳରେ ଗଛଗୁଡ଼ିକ ତଳକୁ ଲାଗି ନ ଥାଏ। ମାଟିରେ ପଡ଼ି ପନିପରିବାରେ ପୋକ ଲାଗି ନ ଥାଏ ବା ନଷ୍ଟ ହୋଇ ନ ଥାଏ।

ଚାଷରେ କୀଟନାଶକ ଭାବେ ନିମ୍ବ ତେଲ ମିଶ୍ରିତ ପାଣି ଦେଇ ଗଛ ଉପରେ ସିଞ୍ଚନ କରାଯାଏ। ଏହି ପ୍ରଣାଳୀରେ ସଞ୍ଜୟ କଲରା, କାକୁଡ଼ି, ବିଲାତି, କ୍ୟାପସିକମ ଆଦି ଗଛ ଲଗାଇଛନ୍ତି। ସମ୍ପୂର୍ଣ୍ଣ ଚାଷ କରାଯାଇଥିବା ଅଞ୍ଚଳକୁ ଗ୍ରୀ ନ ନେଟ ଦ୍ୱାରା ଢାଙ୍କି ଦିଆଯାଇଛି, ଯେପରି ପ୍ରଖର ସୂର୍ଯ୍ୟାଲୋକ ଗଛ ଉପରେ ପଡ଼ିବ ନାହିଁ। ସେହିପରି ଗଛ ପାଇଁ ବ୍ୟବହୃତ ପାଣି ପାଇପ ଦେଇ ଏକ କୁଣ୍ଡରେ ପଡ଼େ। କୁଣ୍ଡରୁ ପାଣି ଉଠା ମେସିନ ସାହାଯ୍ୟରେ ପୁନଃ ପାଇପରେ ପଶି କାମରେ ଲାଗି ପାରୁଛି। ଜଳଚକ୍ର ସଦୃଶ ହୋଇଥିବାରୁ ପାଣି ନଷ୍ଟ ନ ହୋଇ କମ ପାଣିରେ ମଧ୍ୟ ଚାଷ କାମ ହୋଇପାରିବ। କେବଳ ପନିପରିବାର ଚାଷ ଏହି ପ୍ରଣାଳୀରେ ସବୁ ସମୟରେ ହୋଇପାରିବ ବୋଲି ସଞ୍ଜୟ କହିଛନ୍ତି। ସଞ୍ଜୟଙ୍କର ଏଭଳି ପ୍ରଣାଳୀରେ ଚାଷ ଦେଖିବା ପରେ ଅନେକ ଲୋକ ସେ ପ୍ରକାର ଚାଷ ପ୍ରତି ଆଗ୍ରହୀ ହୋଇଛନ୍ତି।

Comments are closed.