ଭଗବାନଙ୍କୁ ନୁହେଁ ଗଡସେଙ୍କୁ ଭଲପାନ୍ତି ବିଜେପି ଓ ଆରଏସ୍‍ଏସ୍‍ : ରାହୁଲ ଗାନ୍ଧୀ

ସୋଲନ : ଲୋକସଭା ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଓ ଆରଏସ୍‍ଏସ୍‍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ନାଥୁରାମ ଗଡ଼ସେଙ୍କ ଉପରେ ବିଜେପି ନେତ୍ରୀ ସାଧ୍ୱୀ ପ୍ରଜ୍ଞା ଠାକୁର ଓ ଅନ୍ୟ ନେତାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ଏହାସହ ବିମୁଦ୍ରାୟନ ନେଇ ସେ ମୋଦୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଟ୍ୱିଟ୍‍ କରିଛନ୍ତି ଯେ ‘ମୁଁ ଶେଷରେ ଜାଣିବାକୁ ପାଇଲି ଯେ ବିଜେପି ଓ ଆରଏସ୍‍ଏସ କ’ଣ। ସେମାନେ ଭଗବାନଙ୍କୁ ନୁହେଁ ବରଂ ଗଡସେଙ୍କୁ ଭଲ ପାନ୍ତି।

ଏହା ପୂର୍ବରୁ ହିମାଚଳ ପ୍ରଦେଶର ସୋଲନଠାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ମୋଦୀ ବିମୁଦ୍ରାୟନ ନିଷ୍ପତ୍ତି ନେବା ସମୟରେ ନିଜ କ୍ୟାବିନେଟ ମନ୍ତ୍ରୀଙ୍କୁ ଘରେ ପୁରାଇ ତଲା ପକାଇ ଦେଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ମଧ୍ୟ ବିମୁଦ୍ରାୟନ ସମ୍ପର୍କରେ ପଚାରିନଥିଲେ। ବୁଦ୍ଧି ନଥିବାରୁ ମୋଦୀ ବାୟୁ ସେନାର ଲୋକଙ୍କୁ ଜ୍ଞାନ ଦେଉଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଖାଲିପଡ଼ିଥିବା ୨୨ ଲକ୍ଷ ସରକାରୀ ଚାକିରିରେ ତୁରନ୍ତ ନିଯୁକ୍ତି ଦିଆଯିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.