କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ରେମଡେସିଭିର ବିଫଳ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ୱାଶିଂଟନ: ଆମେରିକୀୟ କମ୍ପାନୀ ଗିଲିଆଡର ରେମଡେସିଭିର କରୋନା ରୋଗୀର ଜୀବନ ରକ୍ଷା କରିବାରେ ଅଧିକ ସକ୍ଷମ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ନିକଟରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ରେମଡେସିଭିର ସାହାଯ୍ୟରେ କୋଭିଡ-୧୯ ରୋଗୀଙ୍କ ହସ୍ପିଟାଲରେ ରହିବା ଓ  ବଞ୍ଚିବାର ସମ୍ଭାବନା ବହୁତ କମ୍।

ପ୍ରାରମ୍ଭରେ, ଏହି ଆଣ୍ଟିଭାଇରାଲ୍ ଔଷଧ କରୋନା ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲା ଏବଂ ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୋଇଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇତି ମଧ୍ୟରେ ଚାରୋଟି ସମ୍ଭାବ୍ୟ ଔଷଧ ବ୍ୟବସ୍ଥାର ପରୀକ୍ଷଣ କରିଥିଲା। ଏଥିରେ ରେମଡେସିଭିର, ହାଇଡ୍ରୋକ୍ସିକ୍ଲୋରୋକାଇନ୍, ଆଣ୍ଟି-ଏଚ୍.ଆଇ.ଭି ଔଷଧର ମିଶ୍ରଣ ଲୋପିନାଭିର-ରିଇଟୋନାଭିର ଏବଂ ଇଣ୍ଟରଫେରନ୍ ଅନ୍ତର୍ଭୁକ୍ତ ଥିଲା। ଏହି ପରୀକ୍ଷଣରେ ୩୦ ଟି ଦେଶର ୧୧,୨୬୬ ବୟସ୍କ ରୋଗୀ ମଧ୍ୟ ସାମିଲ ହୋଇଥିଲେ। ଅଧ୍ୟୟନରୁ ଜଣାପଡିଛି ଯେ ଏହା କରୋନା ଆକ୍ରାନ୍ତ ହୋଇ ଦୀର୍ଘ ସମୟ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଉପରେ କୌଣସି  ପ୍ରଭାବ ପକାଉନାହିଁ।

ମେ ୧ରେ, ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଆମେରିକାରେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ରେମଡେସିଭିରକୁ ଅନୁମୋଦନ କଲା, ପରେ ଏହା ବହୁ ଦେଶରେ ସରକାରୀ ଭାବେ ବ୍ୟବହୃତ ହେଉଥିଲା।

 

Comments are closed.