ଦେଶରେ ସିଏସଆରରେ ଖର୍ଚ୍ଚ କରୁଥିବା କମ୍ପାନୀସମୂହ ମଧ୍ୟରେ ରିଲାଏନ୍ସ ଶୀର୍ଷରେ

ଦ୍ୱିତୀୟରେ ରହିଛି ଟିସିଏସ ଓ ତୃତୀୟ ସ୍ଥାନରେ ୱିପ୍ରୋ

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କ ନେତୃତ୍ୱାଧୀନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ୨୦୨୦-୨୧ ଆର୍ଥିକ ବର୍ଷରେ କର୍ପୋରେଟ ସୋସିଆଲ ରେସ୍‍ପନସିବିଲିଟି (ସିଏସଆର) କ୍ଷେତ୍ରରେ ସବୁଠାରୁ ଅଧିକ ଖର୍ଚ୍ଚ କରିଥିବା କମ୍ପାନୀର ମାନ୍ୟତା ଲାଭ କରିଛି । କରୋନା ମହାମାରୀ ସମୟରେ କମ୍ପାନୀ ସମାଜସେବା କ୍ଷେତ୍ରରେ ୯୨୨ କୋଟି ଟଙ୍କା ଖର୍ଚ୍ଚ କରିଛି । ଆଲୋଚ୍ୟ ବର୍ଷରେ ଭାରତୀୟ କମ୍ପାନୀଗୁଡିକ ଦ୍ୱାରା ସିଏସଆର୍‍ ବାବଦରେ ମୋଟ ୮୮୨୮.୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଏହା ଜଣାଯାଇଛି ।
ଏଥିରେ କୁହାଯାଇଛି ଯେ ସିଏସଆର୍‍ ଖର୍ଚ୍ଚରେ ରିଲାଏନ୍ସ ପରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଦୁଇ ଆଇଟି କମ୍ପାନୀ ଯଥା ଟିସିଏସ ଏବଂ ୱିପ୍ରୋ ରହିଛନ୍ତି । ଟାଟା ଗ୍ରୁପ୍‍ କମ୍ପାନୀ ଟିସିଏସ ୬୭୪ କୋଟି ଟଙ୍କା ସିଏସଆର ବାବଦରେ ଖର୍ଚ୍ଚ କରିବା ସହିତ ଦ୍ୱିତୀୟ ସ୍ଥାନ ଏବଂ ୱିପ୍ରୋ ୨୪୬ କୋଟି ଟଙ୍କା ଖର୍ଚ୍ଚ କରି ତୃତୀୟ ସ୍ଥାନରେ ରହିଛି । ଭାରତୀୟ କର୍ପୋରେଟ ଜଗତ ଦ୍ୱାରା ସିଏସଆର୍‍ କ୍ଷେତ୍ରରେ କରାଯାଇଥିôବା ମୋଟ ଖର୍ଚ୍ଚର ୧୦% ରିଲାଏନ୍ସ ଏକାକି କରିଛି ।
ସୂଚନାଯୋଗ୍ୟ ଯେହ କମ୍ପାନୀଗୁଡିକ ନିମନ୍ତେ ବିଗତ ତିନିବର୍ଷର ନେଟ୍‍ ଲାଭର ୨% ସିଏସଆର୍‍ ବାବଦରେ ଖର୍ଚ୍ଚ କରିବାକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ ମହାମାରୀ କାରଣରୁ ରିଲାଏନ୍ସ ତାହା ପାଇଁ ଧାର୍ଯ୍ୟ ୨ ପ୍ରତିଶତ ତୁଳନାରେ ଯଥେଷ୍ଟ ଅଧିକ ଖର୍ଚ୍ଚ କରିଛି । ତେବେ ଭାରତୀୟ କର୍ପୋରେଟ ଜଗତ ପୂର୍ବ ବର୍ଷ ତୁଳନାରେ ଆଲୋଚ୍ୟ ଆର୍ଥିକ ବର୍ଷରେ ୬୪% କମ୍‍ ଖର୍ଚ୍ଚ କରିଥିବା ଜଣାଯାଇଛି ।
୨୦୨୦ ମାର୍ଚ୍ଚରେ ସମଗ୍ର ଦେଶରେ କୋଭିଡ ଜନିତ ତାଲାବନ୍ଦ ଆରମ୍ଭ ହେବା ପୂର୍ବରୁ ରିଲାଏନ୍ସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଦେଶର ପ୍ରଥମ କୋଭିଡ ଯତ୍ନ ବ୍ୟବସ୍ଥା ସ୍ଥାପନ କରିଥିଲା । ପରେ ସମଗ୍ର ଦେଶକୁ ଏହି ସୁବିଧା ସହିତ ଅନ୍ୟାନ୍ୟ ସେବା ସମ୍ପ୍ରସାରିତ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ମହାମାରୀ ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରିଲାଏନ୍ସ ୫୬୧ କୋଟି ଟଙ୍କା ଦାନ କରିଥିଲା । କୋଭିଡର ଦ୍ୱିତୀୟ ଲହର ସମୟରେ ରିଲାଏନ୍ସ ତାହାର ଜାମନଗର ବିଶୋଧନାଗାରକୁ ମେଡିକାଲ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପୁନଃ ଅଭିପ୍ରେତ କରିଥିଲା । ଦୁଇ ସପ୍ତାହ ମଧ୍ୟରେ ଏହା ଦୈନିକ ୧୧୦୦ ମେଟ୍ରିକ ଟନ ମେଡିକାଲ ଅକ୍ସିଜେନ ଉତ୍ପାଦନ କରି ବିଭିନ୍ନ ରାଜ୍ୟକୁ ମାଗଣାରେ ଯୋଗାଇ ଦେଇଥିଲା ଏବଂ ଏହାଦ୍ୱାରା ଦୈନିକ ୧ ଲକ୍ଷ ଲୋକଙ୍କର ଜୀବନ ରକ୍ଷାରେ ସହାୟକ ହୋଇଥିଲା । ଏହା ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଅନ୍ନ ସେବା ଅଭିଯାନ ହାତକୁ ନେଇଥିଲା ଏବଂ ତାହା ଖୁବଶୀଘ୍ର ସମଗ୍ର ବିଶ୍ୱରେ ଏକ କର୍ପୋରେଟ ଫାଉଣ୍ଡେସନ ଦ୍ୱାରା ହାତକୁ ନିଆଯାଇଥିବା ସର୍ବବୃହତ ଭୋଜନ ବଣ୍ଟନ କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା । ରିଲାଏନ୍ସ ଫାଉଣ୍ଡେସନ ୨୧ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ମୁଖ ଭାଗ ଯୋଦ୍ଧା ଏବଂ ଜନସାଧାରଣଙ୍କୁ ମୋଟ ୧.୩ କୋଟି ମାସ୍କ ବଣ୍ଟନ ସହିତ କୋଭିଡ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲା ।

Comments are closed.