ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦ୍ୱାରା ଚୀନ୍‌ଠାରୁ ତିନି ଗୁଣା ଶସ୍ତା ଓ ଉତ୍ତମ ମାନର ପିପିଇ କିଟ୍ ପ୍ରସ୍ତୁତ

– ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ
– ୧୦ ହଜାର ଲୋକଙ୍କୁ ନିଯୁକ୍ତି
– ଅନେକ ଗୁଣ ଶସ୍ତା କରୋନା ଟେଷ୍ଟିଂ କିଟ୍‌ର ବିକାଶ
– ଚୀନ୍‌ଠାରୁ ୧୦ ଗୁଣ ଶସ୍ତା ଟେଷ୍ଟିଂ ସ୍ୱାବ୍
ଭୁବନେଶ୍ୱର: କରୋନା ସଂକ୍ରମଣ ବିରୋଧରେ ଭାରତର ଲଢେଇରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଥିବା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍‌ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣ ବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା ପିପିଇ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛି । ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଏହି କିଟ୍‌ଗୁଡିକର ଉତ୍ତମ ଗୁଣବତ୍ତା ରହିଛି । କମ୍ପାନୀର ସିଲଭାସା ସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି । ଚୀନରୁ ଆମଦାନୀ କରାଯାଉଥିବା ପ୍ରତି ପିପିଇ କିଟ୍‌ର ମୂଲ୍ୟ ଦୁଇ ହଜାର ଟଙ୍କାରୁ ଅଧିକ ରହୁଥିବା ବେଳେ ରିଲାଏନ୍ସର ସହଯୋଗୀ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରୀଜ ଦ୍ୱାରା ମାତ୍ର ୬୫୦ ଟଙ୍କାରେ ପିପିଇ ପ୍ରସ୍ତୁତ କରାଯାଉଛି । ପିପିଇ କିଟ୍ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ପୋଲିସ ଓ ସଫେଇ କର୍ମଚାରୀଙ୍କ ଭଳି ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିଥାଏ ।
ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ପକ୍ଷରୁ ନିଜର ବିଭିନ୍ନ ଉତ୍ପାଦନ କେନ୍ଦ୍ରଗୁଡିକୁ କାର୍ଯ୍ୟରେ ଲଗାଯାଇଛି । ଜାମ୍‌ନଗର ସ୍ଥିତ ଦେଶର ସର୍ବବୃହତ୍ତ ରିଫାଇନାରୀରେ ପିପିଇ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା କପଡା ତିଆରି ପାଇଁ ଦରକାରୀ ପେଟ୍ରୋ କେମିକାଲ୍ସ ବିପୁଳ ମାତ୍ରାରେ ଉତ୍ପାଦନ କରାଯାଉଛି ।
ଏହି କପଡା ବ୍ୟବହାର କରି ଆଲୋକ ଇଣ୍ଡଷ୍ଟ୍ରିଜରେ ପିପିଇ କିଟ୍ ପ୍ରସ୍ତୁତ କରାଯାଉଛି । ନିକଟରେ ରିଲାଏନ୍ସ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଆଲୋକ ଇଣ୍ଡଷ୍ଟ୍ରିଜର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପିପିଇ କିଟ୍ ପ୍ରସ୍ତୁତ କରିବାରେ ନିୟୋଜିତ କରାଯାଇଛି । ଆଜିକା ଦିନରେ ଆଲୋକ ଇଣ୍ଡଷ୍ଟ୍ରିଜରେ ପିପିଇ ପ୍ରସ୍ତୁତ କରିବା ପାଇଁ ୧୦ ହଜାରରୁ ଅଧିକ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି ।
କେବଳ ପିପିଇ ନୁହେଁ କରୋନା ଟେଷ୍ଟିଂ କିଟ୍ କ୍ଷେତ୍ରରେ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ୱଦେଶୀ ଜ୍ଞାନକୌଶଳ ବିକାଶ କରିିଛି । କେନ୍ଦ୍ର ସରକାରଙ୍କ ସିଏସ୍‌ଆଇଆର୍ ସହିତ ମିଳିତ ଭାବରେ ରିଲାଏନ୍ସ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଆର୍‌ଟି-ଏଲଏଏମ୍‌ପି (RT-LAMP) ପର୍ଯ୍ୟବେସିତ କୋଭିଡ୧୯ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇଛି । ଏହି କିଟ୍ ଚୀନରୁ ଆସୁଥିବା ଟେଷ୍ଟିଂ କିଟ୍ ଠାରୁ ଅନେକ ଗୁଣ ଶସ୍ତା ଏବଂ ମାତ୍ର ୪୫ ରୁ ୬୦ ମିନିଟ୍ ମଧ୍ୟରେ କୋଭିଡ୧୯ ଟେଷ୍ଟିଂର ସଠିକ୍ ଫଳାଫଳ ପ୍ରଦାନ କରୁଛି ।
ଆର୍‌ଟି-ଏଲଏଏମ୍‌ପି ଟେଷ୍ଟିଂ କିଟ୍‌ରେ ଏକ ଟିଉବ୍ ବ୍ୟବହାର ହୋଇଥାଏ । ସେଥିପାଇଁ ଏହାକୁ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଭଳି ସାର୍ବଜନୀନ ସ୍ଥାନରେ ଉପଯୋଗ କରାଯାଇପାରିବ । ଏହି ଟେଷ୍ଟ କିଟ୍‌ରେ ସାଧାରଣ ଲ୍ୟାବ୍ ବ୍ୟବସ୍ଥା ଓ ସ୍ୱଳ୍ପ ଦକ୍ଷତାର ଆବଶ୍ୟକ ହେଉଥିବାରୁ ଏହାର ବ୍ୟବହାର ଟେଷ୍ଟିଂ ମୋବାଇଲ ଭ୍ୟାନ ବା କିଓସ୍କରେ ମଧ୍ୟ କରାଯାଇପାରିବ ।
ଏହା ପୂର୍ବରୁ ନମୁନା ସଂଗ୍ରହ ପାଇଁ ବ୍ୟବହାର ହେଉଥିବା ଟେଷ୍ଟିଂ ସ୍ୱାବ୍‌ର ବିକାଶରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଗରୁ ଏହି ଟେଷ୍ଟିଂ ସ୍ୱାବ ଚୀନରୁ ଆମଦାନୀ ହେଉଥିଲା ଯାହାର ମୂଲ୍ୟ ଭାରତରେ ପ୍ରତି ଟେଷ୍ଟିଂ ସ୍ୱାବ ପିଛା ପ୍ରାୟ ୧୭ ଟଙ୍କା ରହୁଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଜନସନ୍ ଆଣ୍ଡ ଜନସନ୍ ମିଳିତ ସହଯୋଗରେ ବିକଶିତ ହୋଇଥିବା ନୂଆ ସ୍ୱଦେଶୀ ସ୍ୱାବ୍‌ର ମୂଲ୍ୟ ଚୀନଠାରୁ ୧୦ ଗୁଣ ଶସ୍ତା ଅର୍ଥାତ ସ୍ୱାବ ପ୍ରତି ଏକ ଟଙ୍କା ୭୦ ପଇସା ରହୁଛି ।

Comments are closed.