ପ୍ରଥମ ବର୍ଷ ୧୦୦ କୋଟି ରୋଜଗାର ଲକ୍ଷ୍ୟରେ ଜିଓ ଇନ୍‍ଷ୍ଟିଚ୍ୟୁଟ୍‍

0

ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ୍‍ ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ଜିଓ ଇନ୍‍ଷ୍ଟିଚ୍ୟୁଟ୍‍ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କଠାରୁ ପାଖାପାଖି ୧୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି। ପ୍ରାଥମିକ ପର୍ଯ୍ୟାୟରେ ୧୦୦୦ ଛାତ୍ରଛାତ୍ରୀଙ୍କଠାରୁ ଟ୍ୟୁସନ୍‍ ଫି ଓ ହଷ୍ଟେଲ୍‍ ଫି ଆକାରରେ ଏହି ଅର୍ଥ ଅ।।ଦାୟ କରାଯିବ। ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଓ ଆବେଦନ ପତ୍ରରେ ଜିଓ ଏହା ଉଲ୍ଲେଖ କରିଛି। ଅପରପକ୍ଷରେ ମେଧାବୃତ୍ତି ଆକାରରେ ଜିଓ ଛାତ୍ରଛାତ୍ରୀଙ୍କୁ ୩୮ କୋଟି ଟଙ୍କା ପ୍ରଦାନ କରିବ।
ସୂଚନାଯୋଗ୍ୟ, କେବଳ କାଗଜପତ୍ରରେ ଆରମ୍ଭ ହୋଇଥିବା ଏବଂ ଆଗାମୀ ତିନି ବର୍ଷ ପରେ ପାଠ ପଢ଼ା ଆରମ୍ଭ ହେବାକୁ ଥିବା ଜିଓ ଇନ୍‍ଷ୍ଟିଚ୍ୟୁଟ୍‍ ଏକମାତ୍ର ଗ୍ରୀନ୍‍ଫିଲ୍ଡ ଅନୁଷ୍ଠାନ ଭାବରେ ଉତ୍କର୍ଷ ଅନୁଷ୍ଠାନର ମାନ୍ୟତା ପାଇଛି। ଜିଓ ଇନ୍‍ଷ୍ଟିଚ୍ୟୁଟ୍‍ରେ ପ୍ରଥମ ବର୍ଷ ପ୍ରାକୃତିକ ବିଜ୍ଞାନରେ ୩୦୦, ଇଞ୍ଜିନିୟର ଓ କମ୍ପ୍ୟୁଟର ସାଇନ୍ସରେ ୨୫୦, ହ୍ୟୁମାନିଟିଜ୍‍ରେ ୨୦୦, ମ୍ୟାନେଜମେଣ୍ଟରେ ୧୨୫, ଆଇନ୍‍ରେ ୯୦, କଳାରେ ୫୦, କ୍ରୀଡ଼ା ବିଜ୍ଞାନରେ ୮୦, ନଗର ଯୋଜନା ଓ ଭାସ୍କର୍ଯ୍ୟରେ ୫୦ ଓ ସାମ୍ବାଦିକତାରେ ୬୦ଟି ସିଟ୍‍ରେ ନାମ ଲେଖା ପାଇଁ ବିଜ୍ଞାପନ ଦେବାର ପ୍ରସ୍ତାବ ରହିଛି। ୫୦୦ଟି ବିଶ୍ୱସ୍ତରୀୟ ଅନୁଷ୍ଠାନରୁ ଅଧ୍ୟାପକ ଚୟନ କରାଯିବ। ସେମାନଙ୍କ ଦରମା ବାବଦରେ ୯୩ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଦ୍ୱିତୀୟ ବର୍ଷରେ ସିଟ୍‍ ସଂଖ୍ୟା ୨ ହଜାରକୁ ବୃଦ୍ଧି କରାଯିବ ଓ ଛାତ୍ରଛାତ୍ରୀଙ୍କଠାରୁ ୨୦୮ କୋଟି ଟଙ୍କା ଆଦାୟ କରାଯିବ। ପଞ୍ଚଦଶ ବର୍ଷରେ ୧୦ ହଜାର ଛାତ୍ରଛାତ୍ରୀଙ୍କଠାରୁ ୧୫୦୨ କୋଟି ଟଙ୍କା ଆଦାୟ କରାଯିବ। ନଭି ମୁମ୍ବଇ ନିକଟରେ ୮୦୦ ଏକର ଜମିରେ ପ୍ରସ୍ତାବିତ ଏହି ଶିକ୍ଷାନୁଷ୍ଠାନ ପାଇଁ ୯୫୦୦କୋଟି ଟଙ୍କା ଖର୍ଚ୍ଚ ହେବ।

Leave A Reply