ଦୈନିକ ୧୦୦୦ ଟନ୍ ତରଳ ଅମ୍ଳଜାନ ମାଗଣାରେ ଯୋଗାଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

ମୁମ୍ବଇ: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି। ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି। ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କଂପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛି, ଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ। ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି। ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି।
ରିଲାଏନ୍ସ ଇଞ୍ଜିନିୟରମାନେ ଅକ୍ଳାନ୍ତ ଭାବରେ କାର୍ଯ୍ୟକରି ଏବଂ କ୍ରାୟୋଜେନିକ ବାୟୁ ପୃଥକିକରଣ ୟୁନିଟଗୁଡିକକୁ ସର୍ବାଧିକ କାର୍ଯ୍ୟକ୍ଷମ କରାଇ ତଥା ସେଥିରେ ଆବଶ୍ୟକ ପରିବର୍ତନ ଆଣି ଏହା ସମ୍ଭବ କରିପାରିଛନ୍ତି। ସଂପ୍ରତି ରିଲାଏନ୍ସ ଦେଶରେ ଉତ୍ପାଦିତ ମୋଟ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନର ୧୧ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଛି। ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏହି ଅମ୍ଳଜାନ ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ପ୍ରତିଦିନ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରୁଛି। କେବଳ ଅପ୍ରେଲ୍ ମାସରେ ରିଲାଏନ୍ସ ୧୫୦୦୦ ମେଟ୍ରିକ୍ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇଥିବା ବେଳେ ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ରିଲାଏନ୍ସ ସମଗ୍ର ଦେଶରେ ୫୫,୦୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇ ସାରିଛି। ଅନ୍ୟଏକ ନୂତନ ପଦକ୍ଷେପ ସ୍ୱରୂପ ରିଲାଏନ୍ସ ନାଇଟ୍ରୋଜେନ ଟ୍ୟାଙ୍କରଗୁଡିକୁ ମେଡିକାଲ ଗ୍ରେଡ ଅମ୍ଳଜାନ ପରିବହନ ପାଇଁ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତା ସଂଗଠନ ଦ୍ୱାରା ଅନୁମୋଦିତ ନିରାପଦ ପ୍ରକ୍ରିୟାରେ ପରିବହନକାରୀ ଟ୍ରକରେ ରୂପାନ୍ତରିତ କରିଥିଲା। ଏଥିସହିତ ରିଲାଏନ୍ସ ସାଉଦି ଆରବ, ଜର୍ମାନୀ, ବେଲଜିୟମ, ହଲାଣ୍ଡ ଏବଂ ଥାଇଲାଣ୍ଡ୍ରୁ ୨୪ଟି ଆଇଏସ୍ଓ କଂଟେନର ବିମାନଯୋଗେ ଭାରତକୁ ଆଣିବା ବ୍ୟବସ୍ଥା କରିଥିଲା। ଏଥିସହ ଦେଶର ତରଳ ଅମ୍ଳଜାନ ପରିବହନ କ୍ଷମତାରେ ବୃଦ୍ଧି ଘଟାଇ ରିଲାଏନ୍ସ ୫୦୦ ମେଟ୍ରିନ ଟନ୍ ଅତିରିକ୍ତ ପରିବହନ କ୍ଷମତା ଯୋଗ କରିଛି।
ଏହି ସମସ୍ତ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି, ସମଗ୍ର ଭାରତ କୋଭିଡ-୧୯ ମହାମାରୀର ନୂଆ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ମୋ ପାଇଁ ଏବଂ ରିଲାଏନ୍ସରେ ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକଟି ଜୀବନ ବଂଚାଇବା ଠାରୁ ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ନିତା ଅମ୍ବାନି କହିଛନ୍ତି, ଆମ ଦେଶ ସଂପ୍ରତି ଏକ ଅପ୍ରତ୍ୟାଶିତ ସଙ୍କଟ ଦେଇ ଗତିକରୁଛି। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଯଥାସମ୍ଭବ ସହାୟତା ଯୋଗାଣ ଜାରି ରଖିବୁ। ପ୍ରତ୍ୟେକଟି ଜୀବନ ମୂଲ୍ୟବାନ। ଆମର ଜାମନଗର ବିଶୋଧନାଗାରରେ ଥିବା ଆମ ପ୍ଲାଂଟଗୁଡିକରେ ପରିବର୍ତନ ଆଣି ରାତାରାତି ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରିବାକୁ ପ୍ରସ୍ତୁତ କରାଯାଇଛି, ଯାହାକୁ ସମଗ୍ର ଦେଶରେ ଯୋଗାଇ ଦିଆଯାଉଛି। ଆମର ଭାବନା ଏବଂ ଆମର ପ୍ରାର୍ଥନା ଆମର ପ୍ରିୟ ଦେଶବାସୀ ଓ ସମସ୍ତ ମହିଳାଙ୍କ ସହିତ ରହିଛି।

Comments are closed.