ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଓ ବର୍ଷା ପୂର୍ବରୁ ଶସ୍ୟ ସୁରକ୍ଷା ପରାମର୍ଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ସମ୍ଭାବିତ ବାତ୍ୟା ଗତିପଥରେ ଆସୁଥିବା ୧୬ଟି ଜିଲାର ହଜାର ହଜାର ସଂଖ୍ୟକ କୃଷକ, ଗୋସମ୍ପଦ ପାଳନକାରୀ ଏବଂ ସ୍ଥଳଭାଗର ମତ୍ସ୍ୟଚାଷୀଙ୍କ ପାଇଁ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ଶସ୍ୟର ସୁରକ୍ଷାମୂଳକ ପଦକ୍ଷେପ, ଗୋସମ୍ପଦ ଓ ମତ୍ସ୍ୟଚାଷୀଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଅନେକ ଅଡିଓ ସମ୍ମିଳନୀ ଏବଂ ୟୁଟ୍ୟୁବ ସିଧା ପ୍ରସାରଣ ଅଧିବେଶନ କେଭିକେ ନୟାଗଡ, କେଭିକେ ଢେଙ୍କାନାଳ, କେଭିକେ କଟକ, କୃଷି ବିଭାଗ, ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ମତ୍ସ୍ୟଚାଷ ବିଭାଗର ବୈଷୟିକ ସହଯୋଗରେ ଏକ ସମୟରେ ଅନେକ ସ୍ଥାନରେ ଆୟୋଜନ କରାଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଗଣ, ବାଲେଶ୍ୱର, ଭଦ୍ରକ ଏବଂ ପୁରୀ ଜିଲାର ୧୬ଟି ବାତ୍ୟା ଆଶ୍ରୟ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟିର ସମ୍ପାଦକ ଓ ସଦସ୍ୟବୃନ୍ଦଙ୍କ ସମେତ ବାହାନଗାସ୍ଥିତ ଗ୍ରାମ୍ୟ କୃଷି ବିକାଷ କେନ୍ଦ୍ରର ଅଧିକାରୀଗଣ; ତ୍ରିବେଣୀ ଟ୍ରଷ୍ଟ ଭଦ୍ରକ, ପ୍ରଗତି ଯୁବକ ସଂଘ ଭଦ୍ରକର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜିଲାରେ ବାତ୍ୟାର ପ୍ରକାର, ରାଜ୍ୟ / ଜିଲା ପ୍ରଶାସନ ପକ୍ଷରୁ ବାତ୍ୟାର ମୁକାବିଲା ନିମନ୍ତେ ଅମଲମ୍ବନ କରାଯାଉଥିବା କୌଶଳ, ନିୟନ୍ତ୍ରଣ କକ୍ଷ ସମ୍ପର୍କିତ ବିସ୍ତୃତ ତଥ୍ୟ, ବାତ୍ୟା ମୁକାବିଲା ପ୍ରସ୍ତୁତି ଏବଂ ବାତ୍ୟା ପୂର୍ବରୁ ଶସ୍ୟର ସୁରକ୍ଷା ଦିଗରେ ପଦକ୍ଷେପ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ବେସାମରିକ ପ୍ରତିରକ୍ଷା ସଂଗଠନର ସହଯୋଗରେ କୃଷକ ଏବଂ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ବାତ୍ୟା ସମ୍ପର୍କିତ ପ୍ରାୟ ୬୦୦ ପ୍ରଶ୍ନର ଉତ୍ତର ଦିଆଯାଇଥିଲା।

ମୋବାଇଲ ଅଡିଓ ପରାମର୍ଶ ଏବଂ ସତର୍କ ସୂଚନା ଓଡ଼ିଶାର ୨୦ଟି ଜିଲାର ୬,୩୭,୦୦୦ କୃଷକଙ୍କ ନିକଟରେ ପହଞ୍ଚାଯାଇଥିଲା। ସେଥି ମଧ୍ୟରେ ପାକଳ ହୋଇ ଯାଇଥିବା ଧାନ ଫସଲକୁ ଅମଳ କରିବା, କଟା ସରିଥିବା ଧାନ ଫସଲକୁ ଜମିରେ ନଶୁଖାଇବା, ଅମଳ ହୋଇଥିବା ଫସଲକୁ ନିରାପଦ ସ୍ଥାନରେ ରଖିବା ଏବଂ ଧାନ ଫସଲ ଥିବା ଜମିରୁ ବଳକା ପାଣି ବାହାର କରିଦେବାକୁ ସିଆର କାଟିବା ଆଦି ପରାମର୍ଶ ସାମିଲ ଥିଲା। ଏଥିସହିତ କୃଷକଙ୍କୁ ରବି ଫସଲ ନବୁଣିବା, ମଧ୍ୟବର୍ତ୍ତୀକାଳୀନ କୃଷିକାର୍ଯ୍ୟ ସ୍ଥଗିତ ରଖିବା, ରବି ଫସଲରେ ସିଞ୍ଚନ, ସାର ପ୍ରୟୋଗ ଏବଂ ଜଳସେଚନ ଆଦି ବନ୍ଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ପନିପରିବା ଚାଷୀଙ୍କୁ ପନିପରିବା ନର୍ସରୀ ଉପରେ ଧଳା ପଲିଥିନ ଘୋଡାଇବା ଏବଂ କଦଳୀ, ଅମୃତଭଣ୍ଡା ତଥା ଅଧିକ ପବନ ସମ୍ବେଦୀ ପନିପରିବା ଗଛକୁ ଉପଯୁକ୍ତ ଢିରା ଦେବାକୁ ସଚେତନ କରାଯାଇଥିଲା।

Comments are closed.