ରିଲାଏନ୍ସ ଜିଓର ଚତୁର୍ଥ ତ୍ରୟମାସରେ ନିଟ୍‍ ଲାଭ ୧୭୭ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା

ଭୁବନେଶ୍ୱର: ରିଲାଏନ୍ସ ଜିଓର ସଦ୍ୟ ସମାପ୍ତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରି-ମାର୍ଚ୍ଚ ୨୦୨୦) ନିଟ୍‍ ଲାଭ ୧୭୭.୫ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା ହୋଇଥିବା କମପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗ୍ରାହକ ସଂଖ୍ୟାରେ ଘଟିଥିବା ଦ୍ରୁତ ବୃଦ୍ଧି କାରଣରୁ କମ୍ପାନୀ ଏଭଳି ସଫଳତା ହାସଲ କରିଛି। ଏହି ତିନି ମାସରେ ଜିଓର ନିଜସ୍ୱ ରାଜସ୍ୱ ୧୪,୮୩୫ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ତୁଳନାରେ ୨୬.୬ ପ୍ରତିଶତ ବୃଦ୍ଧି ଘଟିଛି। ପୂର୍ବବର୍ଷର ଚତୁର୍ଥ ତ୍ରୟମାସରେ ଜିଓର ନିଟ୍‍ ଲାଭ ୮୪୦ କୋଟି ଟଙ୍କା ଥିଲା।

୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (ଅକ୍ଟୋବର-ଡିସେମ୍ବର ୨୦୧୯) ସହ ତୁଳନା କଲେ ଜିଓର ଚତୁର୍ଥ ତ୍ରୟମାସ ନିଟ୍‍ ଲାଭ ୭୨.୭ ପ୍ରତିଶତ ବୃଦ୍ଧି ପାଇଛି। ଏହି ଚତୁର୍ଥ ତ୍ରୟମାସରେ କମ୍ପାନୀର ମାସିକ ଗ୍ରାହକ ପିଛା ହାରାହାରି ରାଜସ୍ୱ (ଏଆରପିୟୁ)ରେ ଉଲ୍ଲେଖନୀୟ ବୃଦ୍ଧି ଘଟି ୧୩୦.୬ ଟଙ୍କା ହୋଇଛି। କିଛି ଦିନ ତଳେ କଂପାନି ଗ୍ରହଣ କରିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରଭାବରେ ଆଗାମୀ ଦିନରେ ଏଥିରେ ଆହୁରି ବୃଦ୍ଧି ଘଟିବ ବୋଲି କମ୍ପାନୀ ଆଶା କରୁଛି। ଏହି ସମୟରେ କମ୍ପାନୀର ମୋଟ ମୋବାଇଲ୍‍ ଡାଟା ବ୍ୟବହାର ୩୪.୩% ବୃଦ୍ଧିପାଇ ୧୨୮୪ କୋଟି ଜିବି ହୋଇଥିବା ଜଣାପଡିଛି। ଏଥିସହିତ ଜିଓ ପ୍ଲାଟଫର୍ମସ୍‍ ତରଫରୁ “ଜିଓମିଟ୍‍’ ନାମକ ଏକ ସର୍ବଭାରତୀୟ ଭିଡିଓ ପ୍ଲାଟଫର୍ମ ଆରମ୍ଭ କରାଯିବ ବୋଲି କମ୍ପାନୀ ଘୋଷଣାକରିଛି।

ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ସଂକ୍ରାନ୍ତରେ ରିଲାଏନ୍ସ ଇଣ୍ଡଷଷ୍ଟ୍ରିଜ୍‍ ଲିମିଟେଡ୍‍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମୁକେଶ ଅମ୍ବାନି କହିଛନ୍ତି ଯେ, “ବର୍ତ୍ତମାନର ସଙ୍କଟ ସମୟରେ ଆମ ଗ୍ରାହକମାନଙ୍କ ପାଇଁ ଯୋଗାଯୋଗ ଓ ପରିଚାଳନା ସହଜ କରିପାରିଥିବାରୁ ଆମେ ବେଶ୍‍ ଆନନ୍ଦିତ। ଜିଓର ପ୍ରତିଟି କର୍ମଚାରୀ ଗାହକମାନଙ୍କ ସୁବିଧାକୁ ଅଗ୍ରାଧିକାର ଦେଉଥିବାରୁ ଅମେ ଏବେ ପ୍ରାୟ ୪୦ କୋଟି ମୋବାଇଲ୍‍ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛିୁ।

ବିଶ୍ୱର ସର୍ବବୃହତ ଡିଜିଟାଲ କଂପାନି ଫେସବୁକ ସହ ଯୁଗାନ୍ତକାରୀ ସହଯୋଗିତା ସ୍ଥାପନ କରି ଜିଓ ପରବର୍ତି ଅଭିବୃଦ୍ଧି ପଥରେ ଅଗ୍ରସର ହୋଇଛି। ଶ୍ରେଷ୍ଠ ମାନର ସଂଯୋଗ ସହିତ ମନୋରଂଜନ, ବାଣିଜ୍ୟ, ଯୋଗାଯୋଗ, ଅର୍ଥ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ପ୍ରଯୁକ୍ତି ଦକ୍ଷତାକୁ ନେଇ ଭାରତକୁ ବାସ୍ତବରେ ଏକ ଡିଜିଟାଲ ସମାଜରେ ପରିଣତ କରିବା ଲାଗି ଆମେ ଉଭୟ ସଂସ୍ଥା ମିଶି ସଂକଳ୍ପ ନେଇଛୁ। ଭାରତର ୬୦ ନିୟୁତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ, ୧୨୦ ନିୟୁତ ଚାଷୀ, ୩୦ ନିୟୁତ କ୍ଷୁଦ୍ର ବ୍ୟବସାୟୀ ଓ ଅଣ ସଂଗଠିତ କ୍ଷେତ୍ରର ନିୟୁତାଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉପରେ ଆମର ଗୁରୁତ୍ୱ ରହିବ।’’

ସମ୍ପୂର୍ଣ୍ଣ ୨୦୧୯-୨୦ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନିଟ୍‍ ଲାଭ ୮୮% ବୃଦ୍ଧି ପାଇ ୫୫୬୨ କୋଟି ଟଙ୍କା ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ କମ୍ପାନୀର ନିଟ୍‍ ଲାଭ ୨୯୬୪ କୋଟି ଟଙ୍କା ଥିଲା। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନୀର ଗ୍ରାହକ ସଂଖ୍ୟା ୩୮୭.୫ ନିୟୁତ ହୋଇଛି। ଚତୁର୍ଥ ତ୍ରୟମାସରେ କଂପାନି ୧୭.୫ ନିୟୁତ ନୂଆ ଗ୍ରାହକ ଯୋଡ଼ିଛି। ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ଜିଓର ମୋଟ ପରିଚାଳନା ରାଜସ୍ୱ ୫୪,୩୧୬ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୪୦,୬୬୩ କୋଟି ଟଙ୍କା ରହିଥିଲା। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡ୍‍ ତରଫରୁ ମଧ୍ୟ ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ୬୫୪୬ କୋଟି ଟଙ୍କାର ନିଟ୍‍ ଲାଭ ହୋଇଥିବା ଘୋଷଣା କରାଯାଇଛି। ଏହି ସମୟରେ କଂପାନିର ମୋଟ ରାଜସ୍ୱ ୧.୫୧ ଲକ୍ଷ କୋଟି ଟଙ୍କା ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ତରଫରୁ ଏହାର ନିବେଶକମାନଙ୍କ ପାଇଁ ୫୩,୧୨୫ କୋଟି ଟଙ୍କାର ସର୍ବବୃହତ ରାଇଟ୍‍ ଇସ୍ୟୁ ବିଷୟରେ ଘୋଷଣା କରାଯାଇଛି। ୧:୧୫ ଅନୁପାତରେ ଏହି ସେୟାର ଆବଂଟନ କରାଯିବ ଏବଂ ଏଥିରେ ପ୍ରତି ସେୟାର୍‍ ମୂଲ୍ୟ ୧୨୫୭ ଟଙ୍କା ରଖାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହା ବ୍ୟତୀତ ତୈଳ ଓ ଗ୍ୟାସ୍‍ କାରବାରକୁ ଏକ ସ୍ୱତନ୍ତ୍ର କଂପାନି ଭାବେ ପ୍ରତିଷ୍ଠା କରିବା ଲାଗି ନ୍ୟାସନାଲ କଂପାନି ଲ’ ଟ୍ରିବ୍ୟୁନାଲ (ଏନସିଏଲଟି)
ନିକଟରେ ଆବେଦନ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ପକ୍ଷରୁ କୁହାଯାଇଛି।

Comments are closed.