ହସ୍ପିଟାଲରେ କାର ବନ୍ଧକ ରଖି ରୋଗୀଙ୍କ ମୃତଦେହ ଆଣିଲେ ସମ୍ପର୍କୀୟ

କରୋନା ମହାମାରୀ ସମୟରେ ଲୋକମାନେ ପରସ୍ପରକୁ ସହାୟତା କରି ମାନବିକତାର ପରିଚୟ ଦେଉଛନ୍ତି। କିନ୍ତୁ ଅନ୍ୟ ପଟେ କିଛି ଘରୋଇ ହସ୍ପିଟାଲ ନିଜର ଫାଇଦା ପାଇଁ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଏପରି କି ମୃତଦେହ ଛାଡ଼ିବାକୁ ରୋଗୀ ସମ୍ପର୍କୀୟଙ୍କଠାରୁ କାର୍‌ ବି ବନ୍ଧକ ରଖୁଛନ୍ତି ହସ୍ପିଟାଲ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗୁଜରାଟର ଭଲସାଡ଼ ଜିଲାରେ।

ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଏକ ଘରୋଇ ହସ୍ପିଟାଲର ଡାକ୍ତର ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ମୃତଦେହ ଦେବାକୁ ମନା କରିଦେଇଥିଲେ। ହସ୍ପିଟାଲର ସମ୍ପୂର୍ଣ୍ଣ ବିଲ୍‌ ନ ଦେଲେ ମୃତଦେହ ହସ୍ତାନ୍ତର କରାଯିବ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।

ସୂଚନା ଅନୁସାରେ, ଭଲସାଡ଼ ଜିଲାର ସରି ଗାଁର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ହେବାରୁ ତାଙ୍କୁ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଗତ ମଙ୍ଗଳବାର ରୋଗୀର ମୃତ୍ୟୁ ଘଟିଥିଲା। ଏହା ପରେ ଅନ୍ତିମ ସଂସ୍କାର ଲାଗି ହସ୍ପିଟାଲ ପକ୍ଷରୁ ମୃତଦେହ ଦେବାକୁ ମନା କରାଯାଇଥିଲା। ସମ୍ପୂର୍ଣ୍ଣ ବିଲ୍‌ ପଇଠ ନ କଲେ ମୃତଦେହ ଦିଆଯିବ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। କିନ୍ତୁ ସେତେବେଳେ ସେମାନଙ୍କ ନିକଟରେ ଏକ  କାର୍‌ ବ୍ୟତୀତ ଅନ୍ୟ କିଛି ନ ଥିଲା। ତେଣୁ ହସ୍ପିଟାଲ ପକ୍ଷରୁ କାର୍‌ଟିକୁ ବନ୍ଧକ ରଖି ମୃତଦେହ ନେବାକୁ କୁହାଯାଇଥିଲା। ଫଳରେ ବାଧ୍ୟ ହୋଇ ରୋଗୀ ସମ୍ପର୍କୀୟମାନେ ନିଜ କାର୍‌ ବନ୍ଧକ ରଖି ମୃତଦେହ ଆଣିଥିଲେ।

ତେବେ ଖବର ପାଇ ପୁଲିସ ହସ୍ପିଟାଲରେ ପହଞ୍ଚିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ନରମି ଥିଲେ। ରୋଗୀ ସମ୍ପର୍କୀୟମାନେ ମୃତଦେହ ଧରି ଫେରୁଥିବା ସମୟରେ ହସ୍ପିଟାଲ ପକ୍ଷରୁ ସେମାନଙ୍କୁ ଡକାଯାଇ କାର୍‌ ଫେରସ୍ତ କରାଯାଇଥିଲା।

Comments are closed.