କୋଣାର୍କ ଝୋଟ କଳ ନାଁ ଲିଭିଲା, ବିଧିବଦ୍ଧ ହସ୍ତାନ୍ତର କାର୍ଯ୍ୟକାରୀ

ଚଣ୍ଡିଖୋଲ: ଧାନମଣ୍ଡଳସ୍ଥିତ ଓଡ଼ିଶାର ଏକମାତ୍ର କୃଷି ଓ ଶ୍ରମଭିତ୍ତିକ ଶିଳ୍ପ କୋଣାର୍କ ଝୋଟ କଳର ନାମ ଆଜିଠାରୁ ବୁଡ଼ିଲା। ବିଧିବଦ୍ଧ ଭାବେ ଏକ ଘରୋଇ କମ୍ପାନୀ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼୍‍ (ଓଏସଏଲ)କୁ ଏହା ହସ୍ତାନ୍ତର ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରୁ ବିରୋଧ, ଅନୁରୋଧ ଓ ନ୍ୟାୟିକ ତର୍ଜମା ଅବ୍ୟାହତ ରହିବା ପରେ ଶେଷରେ କୋଣାର୍କ ଝୋଟ କଳକୁ ଘରୋଇ କମ୍ପାନୀକୁ ହସ୍ତାନ୍ତର ହୋଇଯିବା ଖବର ସାଧାରଣରେ ଲୋକେ ବିଶ୍ୱାସ କରୁ ନାହାନ୍ତି। ଏପରି ଏକ ସମ୍ବେଦନଶୀଳ ଖବର ପ୍ରଚାରକୁ ଲୋକେ ବିଶ୍ୱାସ କରୁ ନ ଥିଲେ ମଧ୍ୟ ତାହା ଆଜି ସତ୍ୟରେ ପରିଣତ ହୋଇଛି। କୌଣସି ଅଧିକ ଜଟିଳ କାରଣ ନଥାଇ କିମ୍ବା ସରକାରଙ୍କୁ ପ୍ରଭାବିତ କଲା ଭଳି ଦକ୍ଷତା ଆରୋପ କରାଯାଇ ନଥିବାରୁ ଏପରି ଘଟଣା ଘଟିଲା ବୋଲି ଅପେକ୍ଷାରତ ଶ୍ରମିକ ଓ ସାଧାରଣ ଜନତା ପ୍ରକାଶ କରିଛନ୍ତି।

୨୦୧୦ ଅକ୍ଟୋବର ମାସରେ ନିଲାମ ମାଧ୍ୟମରେ ମାତ୍ର ୩୪କୋଟି ଟଙ୍କା ମୂଲ୍ୟରେ ଓଡ଼ିଶା ଷ୍ଟେବିଡର଼ର୍ସ ଲିମିଟେଡ଼୍‍ ଏହାକୁ କ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲା। ସେତେବେଳେ ଆଉ କେହି ଅଧିକ ମୂଲ୍ୟଧାରୀ ବିଡ଼ର ନଥିବାରୁ ଓଏସଏଲ ସପକ୍ଷରେ ବିକ୍ରି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ କମ୍ପାନୀର ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାରେ ଦେଣନେଣ ବାକିଥିବାରୁ ୧୧ ବର୍ଷ ହେବ କମ୍ପାନୀ ବିଧିବଦ୍ଧ ଭାବେ ହସ୍ଥାନ୍ତର ହୋଇପାରି ନଥିଲା। ଗତ ଦୁଇଦିନ ତଳେ ଓଏସଏଲ କର୍ତ୍ତୃପକ୍ଷ ଓ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହେବା ପରେ ଆଜି ବିଧିବଦ୍ଧ ଭାବେ ଏହା ହସ୍ତାନ୍ତର ହୋଇଛି। ୨୦୧୦ରେ ଝୋଟକଳ ବିକ୍ରି ପାଇଁ ନିଷ୍ପତ୍ତି ହେବା ପରେ ୨୦୧୨ରେ ଝୋଟ କଳରେ କାର୍ୟ୍ୟରତ ୪୧୭ ଜଣ ଶ୍ରମିକ ଓ କର୍ମଚାରୀ ସ୍ବେଚ୍ଛାକୃତ ଅବସର ନେଇଥିଲେ। ସେତେବେଳେ କଥା ହୋଇଥିଲା ସ୍ବେଚ୍ଛାକୃତ ଅବସର ନେଇଥିବା ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ଓଏସଏଲ ପୁନଃ ନିଯୁକ୍ତି ଦେବ ଓ ଘରୋଇକରଣ ପ୍ରକ୍ରିୟାରେ କୋଣାର୍କ ଝୋଟକଳ ଚାଲିବ ଓ ଝୋଟ ସାମଗ୍ରୀ ଉତ୍ପାଦିତ ହେବ। ମାତ୍ର ସେହି ସମସ୍ତ ବିଚାର ପାଣିରେ ପଡ଼ିଯାଇଛି। ଏନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ହୋଇ ନଥିବା ଜଣାପଡ଼ିଛି।

Comments are closed.