ବଜେଟ୍‌ ପାଇଁ ପାଣ୍ଠି ସଙ୍କଟ : କମିଛି ରାଜ୍ୟର ଆୟ, କେନ୍ଦ୍ରୀୟ ଅନୁଦାନ

ବାଣିଜ୍ୟକର, ଅବକାରୀ, ମୋଟରଯାନ ଟିକସ ବି କମୁଛି,-ଖଣିଜ କ୍ଷେତ୍ର ବଡ଼ ଭରସା, -ନିଅଣ୍ଟ ଅର୍ଥ ଭରଣା ପାଇଁ ଋଣ ବିକଳ୍ପ

ଭୁବନେଶ୍ୱର (ପ୍ରସନ୍ନ ପତି) : ଆଉ ମାତ୍ର ୧୦ ଦିନ ପରେ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ଏଥର ବଜେଟ ଆକାର କିଭଳି ହେବ ସେ ପ୍ରସଙ୍ଗକୁ ନେଇ ଚାଲିଛି ବିଚାର ବିମର୍ଶ। ଅର୍ଥନୀତି ବିଶେଷଜ୍ଞ, ବିଭାଗୀୟ ଅଧିକାରୀ, ସାମାଜିକ ସଙ୍ଗଠନ, ସାଧାରଣ ଜନତାଙ୍କ ମତାମତକୁ ଆଧାର କରି ତିଆରି ଚାଲିଛି ବଜେଟ। କିନ୍ତୁ ସଙ୍କଟ ହେଲାଣି ପାଣ୍ଠି। କୋଭିଡ଼ ରାଜ୍ୟର ଆର୍ଥିକ ସ୍ଥିତିକୁ ଯେଭଳି ଢ଼ଙ୍ଗରେ ବାଗାଡ଼ିଛି ସେଥିରେ ସୁଧାର ଆଣିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ।
ଚଳିତ ଆର୍ଥିକ ବର୍ଷର ୧୦ ମାସ ବିତିଯାଇଛି। ହେଲେ ଆଖିଦୃଶିଆ ରାଜସ୍ବ ସଂଗ୍ରହ ହୋଇପାରିନି। ସେପଟେ କେନ୍ଦ୍ରୀୟ ଟିକସ ବାବଦ ଅଂଶ ଏବଂ କେନ୍ଦ୍ରୀୟ ଅନୁଦାନ କମୁଥିବାରୁ ରାଜ୍ୟରେ ସାମଗ୍ରିକ ଭାବେ ଏ ପର୍ଯ୍ୟନ୍ତ ରାଜସ୍ବ ଆୟ ୮ପ୍ରତିଶତରୁ ଅଧିକ କମିଛି। ଏସବୁ ଭିତରେ ୨୦୨୦-୨୧ ବର୍ଷର ମୂଳ ବଜେଟ ଓ ଅତିରିକ୍ତ ବଜେଟକୁ ମିଶାଇ ମୋଟ ୧ଲକ୍ଷ ୬୧ହଜାର କୋଟିର ବ୍ୟୟବରାଦ କରାଯାଇଥିଲେ ହେଁ ସେଥିରୁ ସିଂହଭାଗ ଏ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନି। ପରିସ୍ଥିତି ଯାହା ହେଉନା କାହିଁକି ଆଗାମୀ ବର୍ଷର ବଜେଟର ଆକାର ଯେକୌଣସିମତେ ଚଳିତ ବର୍ଷ ତୁଳନାରେ ଅଧିକ କରିବାକୁ ପଡ଼ିବ, ନଚେତ ସାଧାରଣରେ ଏକ ଭୁଲ ବାର୍ତ୍ତା ଯିବ। ଏସବୁକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ବଜେଟରେ ବ୍ୟୟବରାଦ ପ୍ରାୟ ୧ଲକ୍ଷ ୮୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା ତିଆରି ହେଉଛି। ହେଲେ ସବୁ କିଛି ନିର୍ଭର କରୁଛି କେନ୍ଦ୍ର ଅନୁଦାନ ଉପରେ। କୋଭିଡ଼ ମାଡ଼ରେ ବିପର୍ଯ୍ୟସ୍ତ ରାଜ୍ୟ ଅର୍ଥନୀତି ପାଇଁ ଏଥର କେନ୍ଦ୍ରର ଅନୁଦାନ ସେତେଟା ଭରସାଯୋଗ୍ୟ ହୋଇନପାରେ। ଏହାଛଡ଼ା ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଆସନ୍ତା ୫ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ୧୦,୮୪୦କୋଟି କମିବା ଦ୍ବାରା ରାଜ୍ୟର ଆର୍ଥିକ କ୍ଷେତ୍ର ପ୍ରଭାବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବଜେଟ ପ୍ରତିକ୍ରିୟାରେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ କେନ୍ଦ୍ରରୁ ଟିକସ ଭାଗ ବାବଦରେ ଚଳିତବର୍ଷ ଗତ ବର୍ଷଠାରୁ ୨୩ପ୍ରତିଶତ ଅର୍ଥ କମିଛି। ଗତ ଜାନୁଆରୀ ସୁଦ୍ଧା ଏ ବାବଦରେ ମିଳିଛି ୧୮,୯୨୬କୋଟି ଟଙ୍କା। ସେହିପରି କେନ୍ଦ୍ରୀୟ ଅନୁଦାନ ବି ୧୭ପ୍ରତିଶତ ହ୍ରାସ ପାଇଛି ଏବଂ ଜାନୁଆରୀ ସୁଦ୍ଧା ମିଳିଛି ୧୭,୬୨୯କୋଟି ଟଙ୍କା। ସାମଗ୍ରିକ ଭାବେ ରାଜ୍ୟର ରାଜସ୍ବ ଆୟ ଗତ ଜାନୁଆରୀ ସୁଦ୍ଧା ୭୫,୨୬୯କୋଟି ଟଙ୍କାରେ ପହଞ୍ଚିଛି। କିନ୍ତୁ ଗତବର୍ଷ ଏହି ସମୟ ସୁଦ୍ଧା ରାଜସ୍ବ ଆୟର ପରିମାଣ ଥିଲା ୮୨ହଜାର କୋଟି ଟଙ୍କାରୁ ଅଧିକ।
ଚଳିତବର୍ଷର ବଜେଟ ସମୀକ୍ଷାରୁ ଜଣାପଡ଼ିଛି ଯେ ଗତ ଜାନୁଆରୀ ସୁଦ୍ଧା ବାଣିଜ୍ୟ କର, ମୋଟରଯାନ ଟିକସ ଏବଂ ଅବକାରୀ କ୍ଷେତ୍ରରୁ ଟିକସ ସଂଗ୍ରହ ଗତ ବର୍ଷ ତୁଳନାରେ ବହୁ ପଛରେ ପଡ଼ିଛି।
ଗତବର୍ଷ ବାଣିଜ୍ୟ କର କ୍ଷେତ୍ରରୁ ୧୬,୪୫୫କୋଟି ଟଙ୍କା ମିଳିଥିବାବେଳେ ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ମିଳିଛି ୧୫ହଜାର କୋଟି। ସେହିପରି ଅବକାରୀ ଓ ମୋଟର ଯାନ କ୍ଷେତ୍ରରୁ ୧୯ ପ୍ରତିଶତ ଟିକସ ଆୟ କମିଛି।
ଏସବୁ ସଙ୍କଟ ଭିତରେ ଆଶା ଉଜ୍ଜୀବିତ କରିଛି ଖଣିଜ କ୍ଷେତ୍ର। ଏ ପର୍ଯ୍ୟନ୍ତ ଅନ୍ୟାନ୍ୟ କ୍ଷେତ୍ର ତୁଳନାରେ ଖଣି କ୍ଷେତ୍ରର ଟିକସ ରାଜସ୍ବ ବାବଦ ଆୟ ସବୁଠୁ ଅଧିକ ରହିଛି। ଗତ ବର୍ଷ ତୁଳନାରେ ଖଣିଜ କ୍ଷେତ୍ରରୁ ରାଜସ୍ବ ଆୟ ୧୩ ପ୍ରତିଶତ ବଢ଼ି ୯୮୭୮କୋଟି ଟଙ୍କା ଅତିକ୍ରମ କରିଛି।
କୋଭିଡ଼ ପାଇଁ ଦୀର୍ଘ ୮ମାସ କାଳ ଆର୍ଥିକ କାର୍ଯ୍ୟକ୍ରମ ମାନ୍ଦା ପଡ଼ିଯିବାରୁ ବିକାଶ କାର୍ଯ୍ୟ ଧିମେଇଯାଇଥିଲା। ଲୋକେ କାମ ନପାଇ ହାତ ବାନ୍ଧି ବସିବା ସହିତ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟିଥିଲା। ଜୀବିକାର୍ଜନ ପନ୍ଥା ଏକଦମ ଶିଥିଳ ପଡ଼ିଯିବା ସହିତ ରୋଜଗାରର ପନ୍ଥା ହରାଇ ଲୋକେ ବଞ୍ଚିବା ପାଇଁ ଏକ ରକମ ସଂଗ୍ରାମ ଚଳାଇଥିଲେ। ଏବେ ସଂକ୍ରମଣ କମିଛି ସତ, ହେଲେ ଲୋକଙ୍କ ସଂଗ୍ରାମ କମିନି।
ଏବେ ଅର୍ଥନୈତିକ କ୍ଷେତ୍ର ଚଳଚଞ୍ଚଳ ହୋଇଥିଲେ ବି ସ୍ବାଭାବିକ ସ୍ଥିତିକୁ ଆଣିବାକୁ ଢ଼େର ସମୟ ଲାଗିବ। କରୋନାରେ ବିଶ୍ବ ଓ ଜାତୀୟ ଅର୍ଥନୀତି ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ବିଶ୍ବ ଇକୋ‌େ‌ନାମିକ ଆଉଟଲୁକ ଆକଳନ କରିଛି ଯେ ଏହାର ପ୍ରଭାବରେ ବିଶ୍ବ ଅର୍ଥନୀତିରେ ଜିଡ଼ିପି(ସାମଗ୍ରିକ ଉତ୍ପାଦ) ୩ପ୍ରତିଶତ ଓ ଭାରତୀୟ ଅର୍ଥନୀତିର ଜିଡ଼ିପି ପ୍ରାୟ ୯ପ୍ରତିଶତକୁ ଖସିବାର ସମ୍ଭାବନା ରହିଛି। କରୋନା କାଳରେ ଓଡ଼ିଶା ଅର୍ଥନୀତି କେବଳ ସଙ୍କୁଚିତ ହୋଇନି ବରଂ ଧରାଶାୟୀ ହୋଇଛି। ଏଭଳି ସ୍ଥିତିରେ ଆଗାମୀ ବଜେଟରେ ସରକାର କେଉଁ ଢ଼ାଞ୍ଚାରେ ବ୍ୟୟବରାଦ କରିବେ ସେଥିନେଇ ଅଡ଼ୁଆରେ ପଡ଼ିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତିବେଳେ କୋଭିଡ଼ କାୟା ବିସ୍ତାର କରି ନଥିଲା। ସେଥିପାଇଁ ଓଡ଼ିଶାର ଜିଡ଼ିପି ଜାତୀୟ ହାରକୁ ଟପିଯିବ ବୋଲି ଆକଳନ କରାଯାଇଥିଲା। ହେଲେ ଏବେ ସ୍ଥିତି ଅସମ୍ଭାଳ ଅବସ୍ଥାରେ ପହଞ୍ଚିଛି। ରାଜ୍ୟରେ ଆୟ କମିଛି ଓ ବ୍ୟୟ ମଧ୍ୟ କମିଛି। ଅର୍ଥନୀତି ଚଳଚଞ୍ଚଳ ହୋଇଥିଲେ ବି ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ହେବା ଦ୍ବାରା ଲୋକଙ୍କ କ୍ରୟ ଶକ୍ତି କମିଯାଇଛି।
ଆଗକୁ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି, ଜୀବିକାର୍ଜନ ପନ୍ଥା ବଢ଼ାଇବା, ଏମଏସଏମଇ କ୍ଷେତ୍ରକୁ ଗୁରୁତ୍ବ ଦେବା, ମହିଳା ସଶକ୍ତୀକରଣକୁ ତ୍ବରାନ୍ବିତ କରିବା ଏବଂ ସବୁଠୁ ଅଧିକ ଚାପ ପଡ଼ୁଥିବା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଚଳଚଞ୍ଚଳ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଏତେସବୁ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ହାତରେ ପାଣ୍ଠି ନାହିଁ। ତେଣେ ରାଜ୍ୟ ବିତ୍ତୀୟ ଶୃଙ୍ଖଳାକୁ ଗୁରୁତ୍ବ ଦେଇ ଆସୁଥିବାବେଳେ ଆଗାମୀ ଦିନରେ ତାହା ବିଗିଡ଼ିଯିବାର ଆଶଙ୍କା ରହିଛି। କାରଣ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ସୁଧାରିବା ସହିତ ପୁଞ୍ଜିନିବେଶ କ୍ଷେତ୍ରକୁ ଆକର୍ଷିତ କରିବାକୁ ହେଲେ ସରକାରଙ୍କୁ ଅଧିକ ଋଣ କରିବାକୁ ପଡ଼ିବ। ଏବେ ରାଜ୍ୟ ସରକାରଙ୍କ ଋଣ ଭାର ୧ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ରାଜ୍ୟର ଋଣ ଭାର ଏବେ ମଧ୍ୟ ଜିଡ଼ିପିର ୨୫ ପ୍ରତିଶତ ଭିତରେ ସୀମିତ ରହିଛି। ବଜେଟରେ କୁହାଯାଇଥିଲା ଯେ ଚଳିତବର୍ଷ ସରକାର ସର୍ବାଧିକ ୨୫ ହଜାର କୋଟି ପର୍ଯ୍ୟନ୍ତ ଋଣ କରିପାରନ୍ତି। କିନ୍ତୁ ଯାହା ଲକ୍ଷ୍ୟ କରାଯାଉଛି ସରକାରଙ୍କ ଲକ୍ଷ୍ୟ ପୂରଣ କରିବାକୁ ହେଲେ ଋଣ ଆହୁରି ବଢ଼ାଇବାକୁ ପଡ଼ିବ। ଏବେ ଋଣ ଭାର ୨୫ ହଜାର କୋଟି ଟପିଯିବାର ସମ୍ଭାବନା ରହିଛି। ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ହେଲେ ସରକାରଙ୍କ ପାଖରେ ଋଣ ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ। ଦରକାର ପଡ଼ିଲେ ଖୋଲା ବଜାରରୁ ଅଧିକ ପରିମାଣର ଋଣ ଉପରେ ନିର୍ଭର କରିବାକୁ ପଡ଼ିବ। ଏସବୁକୁ ଦୃଷ୍ଟିରୁ ନୂଆ ବଜେଟକୁ ଚୂଡ଼ାନ୍ତ ରୂପରେଖ ଦେବା ଦିଗରେ ଅନେକ ଆହ୍ବାନ ମୁଣ୍ଡ ଟେକିଛି। ବଜେଟ ଆକାର କେତେ ହେବ ଏବଂ ସରକାର କେଉଁ ସୂତ୍ରରୁ ପାଣ୍ଠି ଆଣି ବଜେଟ ବ୍ୟୟବରାଦ ପ୍ରସ୍ତୁତ କରିବେ ତାହା ଚିନ୍ତାର ବିଷୟ।

Comments are closed.