ହ୍ରାସ ପାଉଛି ନକ୍ସଲ ହିଂସା ଘଟଣା – ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ

ସମାଜ ପୋର୍ଟାଲ ଡେସ୍କ: ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି। ମଙ୍ଗଳବାର ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଛନ୍ତି, ବ୍ୟାପକ ଭାବେ ବାମପନ୍ଥୀ ଉଗ୍ରବାଦର ମୁକାବିଲା ଲାଗି କେନ୍ଦ୍ର ସରକାର ଜାତୀୟ ନୀତି ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏଥିରେ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି ଯେପରିକି ସୁରକ୍ଷା କଡ଼ାକଡ଼ି କରିବା, ସ୍ଥାନୀୟ ସମୁଦାୟଙ୍କ ବିକାଶ ଓ ସେମାନଙ୍କ ଅଧିକାର ଓ ସୁବିଧା ସୁଯୋଗକୁ ସୁରକ୍ଷିତ ରଖିବା ଆଦି। ଏପରି ନୀତି ଗ୍ରହଣ କରାଯିବା ଫଳରେ ବାମପନ୍ଥୀ ଉଗ୍ରବାଦ ଘଟଣା ଏବଂ ନକ୍ସଲ ହିଂସା ପ୍ରବଣ କ୍ଷେତ୍ର ମଧ୍ୟ ନିୟମିତ ଭାବେ କମିବାରେ ଲାଗିଛି।

ସୂଚନା ଅନୁଯାୟୀ, ୨୦୧୭ରେ ୯୦୮ଟି ନକ୍ସଲ ହିଂସା ଘଟଣା ଘଟିଥିଲା। ଏଥିରେ ୧୮୮ ଜଣ ସାଧାରଣ ନାଗରିକ ଓ ୭୫ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ୧୩୬ ଜଣ ନକ୍ସଲ ନିହତ ହେବା ସହିତ ୧୮୮୮ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା। ୨୦୧୮ରେ ପୂର୍ବ ବର୍ଷ ଅପେକ୍ଷା କମ ଅର୍ଥାତ ୮୩୩ଟି ନକ୍ସଲ ହିଂସା ଘଟଣା ଘଟିଥିବା ବେଳେ ୧୭୩ ଜଣ ସାଧାରଣ ନାଗରିକ ଓ ୬୭ ଜଣ ସୁରକ୍ଷାକର୍ମୀଙ୍କ ପ୍ରାଣହାନି ଘଟିଥିଲା। ଏହି ବର୍ଷ ୨୨୫ ଜଣ ନକ୍ସଲ ନିହତ ହେବା ସହିତ ୧୯୩୩ ଜଣ ଗିରଫ ହୋଇଥିଲେ। ୨୦୧୯ରେ ଘଟିଥିବା ୬୭୦ଟି ନକ୍ସଲ ହିଂସା ଘଟଣାରେ ୧୫୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ଏହି ବର୍ଷ ୧୪୫ ଜଣ ନକ୍ସଲ ନିହତ ହେବା ସହ ୧୨୭୬ ଜଣ ଗିରଫ ହୋଇଥିଲେ।

Comments are closed.