ଖସିଲା ମହାନଦୀ ଜଳସ୍ତର ; ଚୌଦ୍ୱାରର ବହୁ ଅଞ୍ଚଳକୁ ଜଳଯୋଗାଣ ବ୍ୟାହତ

ଚୌଦ୍ୱାର : ମହାନଦୀର ଜଳସ୍ତର ତଳକୁ ଖସି ଯାଇଥିବାରୁ ମଙ୍ଗଳବାର ଦିନ ଚୌଦ୍ୱାର ସହରାଞ୍ଚଳର ବହୁ ୱାର୍ଡ଼କୁ ଜଳଯୋଗାଣ ବ୍ୟାହତ ହୋଇଥିବା ଜଣା ପଡ଼ିଛି। ଗ୍ରୀଷ୍ମଋତୁ ହେତୁ ମହାନଦୀରେ ଜଳସ୍ତର ବହୁ ତଳକୁ ଖସି ଯାଇଛି। ଏଥି ସହିତ ମହାନଦୀର ଶାଖାନଦୀ ବିରୂପା ବ୍ୟାରେଜର କିଛି ସଟର ଖୋଲିଦିଆ ଯାଇଥିବାରୁ ସେଥିରେ ନଦୀଜଳ ତଳିଆ ଅଞ୍ଚଳକୁ ଚାଲି ଯାଉଥିବାରୁ ମହାନଦୀର ଜଳସ୍ତର ବହୁ ମାତ୍ରାରେ ହ୍ରାସ ପାଇଛି। ଫଳରେ ଚୌଦ୍ୱାର ଅଞ୍ଚଳକୁ ଜଳ ଯୋଗାଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଚଷାପଡ଼ା ନିକଟରେ ମହାନଦୀରେ ବସା ଯାଇଥିବା ମୁଖ୍ୟ ପମ୍ପ ହାଉସ୍‍ ନିକଟରେ ପର୍ଯ୍ୟାପ୍ତ ପାଣି ନଥିବାରୁ ମଙ୍ଗଳବାର ଦିନ ପମ୍ପ ଚଳାଇବା ସମ୍ଭବ ହୋଇ ପାରିନାହିଁ। ଚୌଦ୍ୱାରର ସର୍ବାଧିକ ଅଞ୍ଚଳକୁ ପଇପ ଯୋଗେ ପାଣି ଯୋଗାଉଥିବା ଏହି ପମ୍ପ ବନ୍ଦ ହୋଇ ଯିବାରୁ ପୌରପାଳିକାର ୧୭ ନମ୍ବର ୱାଡ଼, ଓଟିଏମ୍‍ କଲୋନୀ, ଚୌଦ୍ୱାର ଗ୍ରାମର କିଛି ଅଞ୍ଚଳ ଆଦିକୁ ଜଳ ଯୋଗାଣ ବ୍ୟାହତ ହୋଇଥିବା ଜଣା ପଡ଼ିଛି। ଯେଉଁ ଅଞ୍ଚଳରେ ଭୂତଳ ଟାଙ୍କି ନିର୍ମାଣ ହୋଇଛି ସେଗୁଡ଼ିକରେ ଉଦ୍‍ବୃତ ଥିବା ପାଣିକୁ କିଛି ସମୟ ପାଇଁ ସେସବୁ ଅଞ୍ଚଳକୁ ଯୋଗାଇ ଦିଆ ଯାଇଛି। ତେବେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଚଷାପଡ଼ାସ୍ଥିତ ପମ୍ପରେ ଅଧିକ ଲମ୍ବର ପାଇପ୍‍ ସଂଯୋଗ କରାଯିବା କାର୍ଯ୍ୟ ଜାରୀ ରହିଥିବା ଚୌଦ୍ୱାର ଜନସ୍ୱାସ୍ଥ୍ୟ ବିଭାଗ କଳିଷ୍ଠ ଯନ୍ତ୍ରୀ ଶମ୍ଭୁନାଥ ସେଠୀ ସୂଚନା ଦେଇ ପାଇପ୍‍ ସଂଯୋଗ କାର୍ଯ୍ୟ ଶେଷ କରି ତୁରନ୍ତ ଜଳଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରାଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.