ଖସୁଛି ଜଳସ୍ତର ; ଟଳିନି ସଙ୍କଟ

ମଥାନିରେ ବିପଦ ସଙ୍କେତ ଉପରେ, ତଳିଆ ଅଞ୍ଚଳରେ ଦୁର୍ଦଶା ବଢ଼ୁଛି

ଭୁବନେଶ୍ୱର : ଲଘୁଚାପଜନିତ ଲଗାଣ ବର୍ଷା କମିଛି, ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ହ୍ରାସ ପାଉଛି, ହେଲେ ଲୋକଙ୍କ ଦୁର୍ଦଶା କମିନାହିଁ। ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ପ୍ରଭୃତି ଜିଲାର ତଳିଆ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହିତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ପରେ ଜିଲା ପ୍ରଶାସନ ପକ୍ଷରୁ ଯେଭଳି ରିଲିଫ ସହାୟତା ଏବଂ ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯିବା କଥା ତାହା କରାଯାଉନାହିଁ। କୂଅ, ପୋଖରୀରେ ବନ୍ୟା ଜଳ ପଶି ପାଣି ଦୂଷିତ କରିଦେଇଛି। ଲୋକେ ବିଶୁଦ୍ଧ ପାଣି ପିଇବାକୁ ପାଉନାହାନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳମଗ୍ନ ଅଞ୍ଚଳଗୁଡିକରେ ବ୍ଲିଚିଂ ଓ କ୍ଲୋରୋକୁଇନ୍ ବଟିକା ବଣ୍ଟନ କରାଯିବା କଥା, ହେଲେ ଏଥିପ୍ରତି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ। ତେଣୁ ଲୋକଙ୍କ ଦୁର୍ଦଶା ବଢ଼ୁଥିବା ଅଭିଯୋଗ ହୋଇଛି।
ଏହି ପରିପ୍ରେକ୍ଷୀରେ ହୀରାକୁଦ ଜଳସ୍ତର ବିପଦ ସଙ୍କେତଠାରୁ ୧.୩୨ ଫୁଟ୍ ତଳେ ରହିଥିବାବେଳେ ବୁଢ଼ାବଳଙ୍ଗ,ଇବ୍, ଋଷିକଲ୍ୟା, ସୁବର୍ଣ୍ଣରେଖା, ବ୍ରାହ୍ମଣୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ହେଲେ ଜଳକାର ମଥାନିଠାରେ ଏବେ ବି ବିପଦ ସଙ୍କେତ ଉପରେ ଜଳସ୍ତର ରହିଛି। ମଥାନିଠାରେ ୫.୫୦ ମିଟର ବିପଦ ସଙ୍କେତ ରହିଥିବାବେଳେ ଏବେ ସେଠାରେ ୬.୦୭ ମିଟର ଜଳସ୍ତର ରହିଛି।

ସେହିପରି ବୈତରଣୀର ଆଖୁଆପଦାଠାରେ ୧୭.୮୩ ମିଟର ବିପଦ ସଙ୍କେତ ରହିଥିବାବେଳେ ଏବେ ସେଠାରେ ୧୭.୪୫ ମିଟର ଜଳସ୍ତର ରହିଛି।
ହୀରାକୁଦର ଜଳସ୍ତର ହ୍ରାସପାଉଥିବାରୁ ଜଳଭଣ୍ଡାରରୁ ଏବେ ୮ ଟି ଫାଟକ ଦେଇ ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି। ଅପରାହ୍ଣରେ ହୀରାକୁଦ ଜଳଭଣ୍ଡାରରେ ୬୨୮.୬୨ ଫୁଟ୍ ଜଳସ୍ତର ରହିଛି। ଏବେ ୨ଲକ୍ଷ ୨୩ହଜାର ୬୪୦ କ୍ୟୁସେକ୍ ଜଳ ଜଳଭଣ୍ଡାର ଭିତରକୁ ପଶୁ ଥିବାବେଳେ ୮ଟି ଫାଟକ ଦେଇ ମାତ୍ର ୯୫ହଜାର ୨୮୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ତେବେ ଖଇରାମାଳଠାରେ ୩ଲକ୍ଷ ୧୮ହଜାର କ୍ୟୁସେକ୍, ବରମୂଳଠାରେ ୪ଲକ୍ଷ ୧୮ହଜାର ଏବଂ ମୁଣ୍ଡଳିଠାରେ ୬ଲକ୍ଷ ୧୪ହଜାର ୩୬୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ବିଭିନ୍ନ ନଦୀରେ ଜଳ ପତ୍ତନ ହ୍ରାସ ପାଉଥିଲେ ମଧ୍ୟ ବନ୍ୟାଜଳ ନିଷ୍କାସନ ହୋଇପାରୁ ନଥିବାରୁ ତଳିଆ ଅଞ୍ଚଳର ବହୁ ଗାଁର ଲୋକେ ଏବେବି ଜଳବନ୍ଦୀ ରହିଛନ୍ତି।
ସୂଚନା ଅନୁଯାୟୀ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡ଼ିଯାଇଛି। ସରକାରଙ୍କ ପକ୍ଷରୁ ସପ୍ତାହକ ମଧ୍ୟରେ ବିବରଣୀ ପ୍ରସ୍ତୁତ କରିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ରାସ୍ବ ନିରୀକ୍ଷକ ଓ କୃଷି ଅଧିକାରୀମାନେ ଗାଁରେ ପହଞ୍ଚି ନାହାନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବନ୍ୟା ପରବର୍ତ୍ତୀ ପରିସ୍ଥିତି ପାଇଁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଭଳି ପଦକ୍ଷେପ ଗ୍ରହଣ କରାଯିବା କଥା ତାହା କରାଯାଉ ନଥିବା ଅଭିଯୋଗ ହୋଇଛି।

Comments are closed.