ସଚେତନତା ପରେ ବି ଲୋକେ ମାନୁନାହାନ୍ତି ସାମାଜିକ ଦୂରତା

ରେଢ଼ାଖୋଲ: ସରକାର ଜନସାଧାରଣଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି କଟକଣାରେ ସାମାନ୍ୟ କୋହଳ କରିବା ପରେ ରେଢ଼ାଖୋଲ ଅଂଚଳରେ ଲୋକେ ସରକାରଙ୍କ ତରଫରୁ କରାଯାଇଥିବା ସଚେତନତାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ପରିଲକ୍ଷିତ ହେଉଛି। ଫଳରେ ଯେଉଁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଏତେ ଗୁରୁତ୍ୱ ଦିଆଯାଉଛି ଲୋକେ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ଏପରି ଘଟଣା ଦେଖିବାକୁ ମିଳିଛି ଆଜି ରେଢ଼ାଖୋଲ ଶନିବାର ସାପ୍ତାହିକୀ ବଜାରରେ।

କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଥିବା କଟକଣାରେ ଯଦିଓ ସାପ୍ତାହିକ ହାଟ/ବଜାର ଗୁଡିକ ବନ୍ଦ କରା ନଯାଇ ଗୋଟିଏ ଦୋକାନରୁ ଅନ୍ୟ ଦୋକାନ ମଧ୍ୟରେ ୩୦ଫୁଟ୍‍ ବ୍ୟବଧାନ ରଖି ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରେଢ଼ାଖୋଲ ସାପ୍ତାହିକୀ ବଜାରରେ ରେଢ଼ାଖୋଲ ସମେତ ଅନୁଗୋଳ, ବୌଦ୍ଧ, ସୋନପୁର, ସମ୍ବଲପୁର ଓ ଦେବଗଡ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚାଷୀ ଓ ବ୍ୟବସାୟୀ ଆସିଥାନ୍ତି। ଫଳରେ ସାପ୍ତାହିକୀ ବଜାରରେ ବିଶେଷ ଗହଳି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଦିଲଖୁସ ବଗିଚା ଠାରେ ଶନିବାର ଦିନ ବସୁଥିବା ସାପ୍ତାହିକ ବଜାରରେ ଅଧିକ ଭିଡ ହେବା ଆଶଙ୍କା କରି ଗହଳିକୁ କମ୍‍ କରିବା ଉଦ୍ଦେଶ୍ୟରେ ପନିପରିବା ତେଜରାତି ଆଦି ଦୋକାନୀଙ୍କୁ କଦମ୍ବ ପଡିଆରେ ଓ କପଡା ଏବଂ ଅନ୍ୟ ଦୋକାନୀ ମାନଙ୍କୁ ଦିଲଖୁସ ବଗିଚାରେ ବସାଯାଇଥିଲା।

ହେଲେ ଚାଷୀ, ବ୍ୟବସାୟୀ ଓ ଖାଉଟୀ ମାନେ କେହି ସାମାଜିକ ଦୁରତ୍ୱକୁ ଦୃଷ୍ଟି ଦେଉ ନଥିବା କଦମ୍ବ ପଡିଆରେ ବସୁଥିବା ଚାଷୀ ପନିପରିବା ବଜାରକୁ ଦେଖିଲେ ଅନୁମେୟ ହେଉଛି। ତେବେ କଦମ୍ବ ପଡିଆକୁ ଚାଷୀ ଓ ପନିପରିବା ବ୍ୟବସାୟୀ ମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟବସାୟୀ କିମ୍ବା ଦୋକାନୀମାନଙ୍କୁ ବଜାରକୁ ଆସିବା ପାଇଁ ବାରଣ କରାଯାଇଥିଲା। ହେଲେ କିଛିଟା ଲୋକ ଏହି ସାମାଜିକ ଦୁରତ୍ୱକୁ ଆଦୌ ଖାତିରି କରୁ ନଥିବା ଦେଖାଦେଇଛି। ଗହଳି ଦେଖି ସ୍ଥାନୀୟ ପ୍ରଶାସନ ତରଫରୁ ତହସିଲଦାର ବେର୍ସିୟୁସ୍‍ ଡୁଙ୍ଗ୍‍ ଡୁଙ୍ଗ୍‍, ଅତିରିକ୍ତ ତହସିଲଦାର ଅମୁଲ୍ୟ ବାଗ, ପୁଲିସ ଓ ଏନଏସି କର୍ମଚାରୀମାନେ ଉପସ୍ଥିତ ରହି ଡାକବାଜୀ ଯନ୍ତ୍ର ମାଧ୍ୟମରେ ସଚେତନ କରାଇଥିଲେ। ଏପରିକି ଏବେ ମଧ୍ୟ ପ୍ରଶାସନ ତରଫରୁ ସେହି ଉଦ୍ୟମ ଜାରି ରହି ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ଅଜଥା ଗହଳି ନ କରିବାକୁ ପରାମର୍ଶ ଦିଆଯାଉଛି। ମାତ୍ର କିଛିଟା ଲୋକଙ୍କ ବେଖାତିର ମନୋଭାବ ଯୋଗୁଁ ଅନ୍ୟ ଲୋକଙ୍କ ଜୀବନ ବିପଦକୁ ଠେଲି ହୋଇ ଯାଉଛି।

Comments are closed.