ବାଇକ୍ ଉପରେ ପଡ଼ିଗଲା ଗଛ; ଜଣେ ମୃତ, ଜଣେ ଗୁରୁତର

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗିରିଶ୍ଚନ୍ଦ୍ରପୁର ପୂର୍ତ୍ତବିଭାଗ ରାସ୍ତାର ଗୋଗୁଆ ଛକ ନିକଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଗତକାଲି ଅପରାହ୍ଣ ପ୍ରାୟ ୫ଟା ବେଳେ ରାସ୍ତା କଡରେ ଥିବା ଏକ ଗଛ ବାଇକ ଉପରେ ପଡିଯିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଜଣକ ହେଲେ ଏହି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ଭାଷ୍କର ଚନ୍ଦ୍ର ସାହୁ(୫୩) ଓ ଗୁରୁତର ଆହତ ଜଣକ ହେଲେ ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦର ଅରୁଣ କୁମାର ସାହୁ(୩୫) ।

ସୂଚନା ଅନୁଯାୟୀ ଗତକାଲି ଉଭୟେ ଏକ ବାଇକରେ ଖୋଲଗଡ ଗ୍ରାମରୁ ଫେରୁଥିବା ବେଳେ ରେଢ଼ାଖୋଲ ଗିରିଶ୍ଚନ୍ଦ୍ରପୁର ରାସ୍ତାର ଗୋଗୁଆ ଛକ ନିକଟରେ ରସ୍ତାକଡରେ ଥିବା ଏକ ଗଛ ତାଙ୍କ ପରେ ପଡ଼ିଯାଇଥିଲା । ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ମାନେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଭାଷ୍କରଙ୍କୁ ମୃତ ଘୋଷଣା କରିଥିଲେ । ଅରୁଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜ୍ଜୁ କରିବା ସହିତ ବାଇକକୁ ଜବତ କରିଥିବା ଜଣାପଡ଼ିଛି ।

Comments are closed.