ଅନୁପ୍ରବେଶକାରୀ କବଳରୁ ସଂରକ୍ଷିତ ଜଙ୍ଗଲ ରକ୍ଷା ଦାବି

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳର ମେଘପାଳ ,କିସିଣ୍ଡା, ଗିରିଶ୍ଚନ୍ଦ୍ରପୁର ଓ ପାଣିମୁରା ପଞ୍ଚାୟତର ଆଞ୍ଚଳିକ ବନସୁରକ୍ଷା ସମିତି ପକ୍ଷରୁ ଶତାଧିକ ପୁରଷ ଓ ମହିଳା କଳିନ୍ଦର ଠାରୁ ଏକ ଶୋଭାଯାତ୍ରାରେ ଆସି ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ  ଅନଶନରେ ବସିଥିଲେ। ସମିତିର ସଭାପତି ଶଙ୍କର ନାଏକ ଓ ସମ୍ପାଦକ ରୋହିତ ଭୋଇଙ୍କ ନେତୃତ୍ୱରେ ସମିତିର ୧୦ ଜଣିଆ ସଦସ୍ୟ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ।

ଏଠାରେ ଉଲ୍ଲେଖ କରାଯାଉ ଯେ ରେଢ଼ାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅନ୍ତର୍ଗତ ଲଣ୍ଡାକୋଟ, ଗାଈଘାଟି, ରଣପୁର, ଟିଠେଇଦର, ଦଲଦଲି ସଂରକ୍ଷିତ ଜଂଗଲ ଅଞ୍ଚଳରେ ଦିନକୁ ଦିନ ପଡୋଶୀ ରାଜ୍ୟରୁ ଅନୁ ପ୍ରବେଶକାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଫଳରେ ଅଞ୍ଚଳରେ ସ୍ଥାନୀୟ ଅଧିବାସୀ ସହିତ ବିଭିନ୍ନ ସମୟରେ ଅପ୍ରିତୀକର ପରିସ୍ଥିତି ଉପୁଜିଥିବା ଉଦାହରଣ ଅଛି।

ଏହି ଅନୁପ୍ରବେଶକାରୀ ମାନେ ଏଠାରେ ନିଜର ବାସସ୍ଥାନ ପାଇଁ ସଂରକ୍ଷିତ ଜଂଗଲରୁ ଅବାଧରେ ମୁଲ୍ୟବାନ ଗଛ ସବୁ କାଟି ଶହ ଶହ ଏକର ଚାଷଜମି ତିଆରି କରୁଛନ୍ତି। ଏହା ଦ୍ବାରା ସଂରକ୍ଷିତ ଜଂଗଲରୁ ବନ୍ୟପ୍ରାଣୀ ମାନେ ଗାଁ ମଧ୍ୟକୁ ପଶି ଆସି ଧନଜୀବନ ନଷ୍ଟ କରିବା ସହ ସହଜରେ ଶିକାରୀ ହାବୁଡା଼ରେ ପଡ଼ି ମୃତ୍ୟୁ ମୁଖରେ ପଡୁଛନ୍ତି। କାଳକ୍ରମେ ଏହି ସମସ୍ୟାଟି ଅଞ୍ଚଳରେ ଏକ ମୁଖ୍ୟ ସମସ୍ୟା ରୁପେ ମୁଣ୍ଡ ଟେକିବାରୁ ଆଞ୍ଚଳିକ ବନସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳ ସମ୍ବଲପୁର, ଉପଜିଲ୍ଲାପାଳ ରେଢ଼ାଖୋଲ ଓ ବନଖଣ୍ଡ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ।

ପ୍ରକାଶ ଥାଉ କି, ଚଳିତ ମାସ ୧୦ ତାରିଖ ଦିନ ଗିରଶ୍ଚନ୍ଦ୍ରପୁର ରେଞ୍ଜ କାର୍ଯ୍ୟାଳୟରେ ଏହି ଦାବୀକୁ ନେଇ ଧାରଣାରେ ବସିଥିଲେ।ହେଲେ ଦାବୀଗୁଡ଼ିକ ୧୭ ତାରିଖ ସୁଦ୍ଧା ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସୋମବାର ପୁର୍ବାହ୍ନ ୧୦ଟା ରେ ଆଞ୍ଚଳିକ ବନ ସୁରକ୍ଷା ସମିତି ସଂରକ୍ଷିତ ଜଂଗଲରୁ ବେଆଇନ ବସ୍ତି ଉଚ୍ଛେଦ, ଉଜୁଡିଯାଇଥିବା ସଂରକ୍ଷିତ ଜଂଗଲକୁ ନୂତନ ବନୀକରଣ, ବନ୍ୟଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା ନିମନ୍ତେ ଜଳାଶୟ ଖନନ, ସଂରକ୍ଷିତ ଜଂଗଲକୁ ଅନୁପ୍ରବେଶ ରୋକିବା ପାଇଁ ଖଣା ଖନନ, ଜଳସଂରକ୍ଷଣ ପାଇଁ ଗାତ ଖନନ ଆଦି ୫ଦଫା ଦାବିକୁ ନେଇ ସମିତିର ଭକ୍ତବନ୍ଧୁ ପ୍ରଧାନ, ଗୌତନ ବିଶି, ଶଂକର ନାଏକ, କ୍ଷେତ୍ରମୋହନ ବାଘ, କ୍ଷିରୋଦ ନାଏକ, କ୍ଷମା ବେହେରା, ଅତୁଲ୍ୟ ପ୍ରସାଦ ରାଉଳ, ଶଶି ଭୁଷଣ ପ୍ରଧାନ, ଆର୍ତ୍ତତ୍ରାଣ ଧଳ, ତଫୋର ଜୋଜୋ ପ୍ରମୂଖ ୧୦ଜଣିଆ ପ୍ରତିନିଧି ଦଳ ରେଢ଼ାଖୋଲ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ।

ଆନ୍ଦୋଳନର ଖବର ପାଇ ରେଢ଼ାଖୋଲ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ ରୋହିତ ପୁଜାରୀ ଉପଜିଲ୍ଲାପାଳ ପଦ୍ମନାଭ ବେହେରା, ବନଖଣ୍ଡ ଅଧିକାରୀ ପ୍ରଦିପ୍ତ କୁମାମାର ସାହୁଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରି ଆନ୍ଦୋଳନକାରୀଙ୍କ ଦାବୀ ପୁରଣ କରିବା ଦିଗରେ ଏକ ସମାଧାନର ରାସ୍ତା ବାହାର କରିବା ପାଇଁ ପ୍ରୟାସ କରିଥିଲେ। ସେହିପରି ବିଧାୟକଙ୍କ ନିର୍ଦ୍ଧେଶ କ୍ରମେ ପୁର୍ବତନ ଏନଏସି ଉପାଧ୍ୟକ୍ଷ ସୁନିଲ କୁମାର ପ୍ରଧାନ,ପୁର୍ବତନ କାଉଁନସିଲର ଜ୍ଞାନ ରଞ୍ଜନ ପ୍ରଧାନ ଓ ରେଢ଼ାଖୋଲ ବଜେଡି ପର୍ଯ୍ୟବେକ୍ଷକ ସଞ୍ଜୟ ଗୌଡ ପ୍ରଶାସନ ସହିତ ଆଲୋଚନା କରିଥିଲେ। ଦିର୍ଘ ୪ ଘଣ୍ଟା ଧରି ବିଚାରବିମର୍ଶ ପରେ ଅପରାହ୍ନ ୩ ଟା ସମୟରେ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ ବିହାରୀ ପ୍ରଧାନ,ରଘୁନାଥ ପ୍ରଧାନ,ଉଗ୍ରେଶନ ସାହୁ,ନଳୀନି ପ୍ରଧାନ,ଖଣ୍ଡିଆମୁଣ୍ଡା ସଭାପତି ପରିକ୍ଷୀତ ସାହୁ,କ୍ଷମାନିଧି ବେହେରା,ପ୍ରମୋଦ ମାଝୀ,କିସିଣ୍ଡା ଗ୍ରାମ୍ୟ ସଭାପତି ବିଦ୍ୟାଧର ନାଏକ,ଉପେନ୍ଦ୍ର ନାଏକଙ୍କ ଉପସ୍ଥିତିରେ ଦାବୀକୁ ନେଇ ଏକ ବୁଝାମଣା ହୋଇଥିଲା।ବୁଝାମଣା ମୁତାବକ ଆଗାମୀ ୨୧ ଜାନୁଆରୀରୁ ବେଆଇନ୍‍ ଦଖଲ ଉଚ୍ଛେଦ ଆରମ୍ଭ କରାଯିବ,ବନୀକରଣ କାର୍ଯ୍ୟା ନିର୍ଦ୍ଧିଷ୍ଠ ସମୟରେ କରାଯିବ,ବନ୍ୟଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା,ସଂରକ୍ଷିତ ଜଂଗଲକୁ ଅନୁପ୍ରବେଶ ରୋକିବା ପାଇଁ ଖଣା ଓ ଜଳ ସଂରକ୍ଷଣ ପାଇଁ ଖାତ ୨ ମାସ ମଧ୍ୟରେ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଲିଖିତ ପ୍ରତିଶୃତି ଦେଲା ପରେ ଅନଶନକାରୀଙ୍କୁ ଅଧିକାରୀ ଓ ପ୍ରତିନିଧି ଦଳ ଉପସ୍ଥିତିରେ ଅନଶନ ପ୍ରତ୍ୟାହୃତ କରିଥିଲେ। ଆନ୍ଦୋଳନ ସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଜିଷ୍ଟ୍ରେଟ୍‍ ଭାବେ ଅତିରିକ୍ତ ତହସିଲଦାର ଅମୁଲ୍ୟ ବାଗ,ପୁଲିସ ଏସଡିପିଓ ହାଡିବନ୍ଧୁ ସ୍ୱାଇଁ, ରେଢ଼ାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ,କିସିଣ୍ଡା ଥାନା ଅଧିକାରୀ ଚିତ୍ତରଞ୍ଜନ ନାଏକ,ଚାରମାଳ ଥାନା ଅଧିକାରୀ ବସନ୍ତ କୁମାର ଦଳାଇଙ୍କ ସମେତ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

 

 

 

 

 

 

 

Comments are closed.