ଛୁଆ ବିକ୍ରି ଅଭିଯୋଗ ମାମଲା; ଅପପ୍ରଚାର ବୋଲି କହିଲେ ମା’

ସରକାରୀ ଆବାସ ପାଇଁ ବିଡିଓଙ୍କ ସୁପାରିଶ, ଭତ୍ତା ପାଇଁ ସରପଞ୍ଚଙ୍କ ଆଶ୍ବାସନା

ରେଢ଼ାଖୋଲ: ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଚାରମାଳ ଅଞ୍ଚଳରେ ଶିଶୁକନ୍ୟା ବିକ୍ରି ଘଟଣା ନେଇ ନାନା ପ୍ରକାର ଆଲୋଚନା ସମାଲୋଚନା ଚାଲିଛି। ଚଳିତ ମାସ ୨୭ ତାରିଖ ଏହି ଥାନା ଅନ୍ତର୍ଗତ କେଉଟିବାହାଳି ଗ୍ରାମର ନଳିନୀ କର୍ଣ୍ଣ ନିଜ ଏକ ମାସ ୯ ଦିନର ଛୁଆକୁ ବିକ୍ରି କରି ଦେଇଥିବା ନେଇ ଚାଇଲ୍ଡଲାଇନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ ରେଢ଼ାଖୋଲ ଥାନା କୁଷାପାଲି ଗ୍ରାମରୁ ଛୁଆକୁ ଉଦ୍ଧାର କରି ତା’ ମା ଓ ତାକୁ ଗ୍ରହଣ କରିଥିବା ଦମ୍ପତିଙ୍କୁ ଜିଲା ଶିଶୁ କଲ୍ୟାଣ ସମିତି(ସିଡ୍ଲୁସି) ନିକଟରେ ଉପସ୍ଥାପନ କରାଇଥିଲେ। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଶୁକ୍ରବାର ଗଣମାଧ୍ୟମର ପ୍ରତିନିଧିମାନେ କେଉଟିବାହାଳି ଗାଁକୁ ଯାଇ ଛୁଆର ଜନ୍ମଦାତ୍ରୀ ନଳିନୀଙ୍କୁ ଭେଟିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ନଳିନୀଙ୍କ ବାର୍ତ୍ତାଳାପର ଭିଡିଓ ଚିତ୍ରରେ ସ୍ପଷ୍ଟ ଦେଖାଯାଉଛି ଯେ ନଳିନୀ ଶିଶୁବିକ୍ରି ଅଭିଯୋଗକୁ ଦୃଢ଼ ଅସ୍ବୀକାର କରିଥିଲେ। ତାଙ୍କ ନାମରେ ହେଉଥିବା ଅଭିଯୋଗ ନେଇ ସେ କ୍ଷୋଭର ସହ କହିଥିଲେ ଯେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ। କିଛି ଦିନ ତଳେ ବାପାଙ୍କ ପାଖରୁ କିଛି ଟଙ୍କା ଆଣି ଏକ ଝାଟିମାଟି କୁଡ଼ିଆଟିଏ ତିଆରି କରି ରହୁଛନ୍ତି। ମାସେ ୯ ଦିନ ତଳେ ତାଙ୍କର ଝିଅଟିଏ ହୋଇଥିଲା। ଏହି ଖବର ପାଇ ତାଙ୍କ ମଇତ୍ର ଛୁଆକୁ ଦେଖିବାକୁ ଘରକୁ ଆସିଥିଲେ। ତାଙ୍କ ଝାଟିମାଟି କୁଡ଼ିଆ ଓ ଦୟନୀୟ ଅବସ୍ଥା ଦେଖି ମଇତ୍ର ଛୁଆର ଲାଳନ ପାଳନ ଓ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଥିଲେ। ତାଙ୍କର ସନ୍ତାନସନ୍ତତି ନ ଥିବାରୁ ଛୁଆକୁ ମାଗିଥିଲେ। ମଇତ୍ରଙ୍କ ଅନୁରୋଧରେ ରାଜି ହୋଇ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସ୍ୱଇଚ୍ଛାରେ ଶିଶୁକନ୍ୟାକୁ ତାଙ୍କୁ ହସ୍ତାନ୍ତର କରିଥିଲେ। ଶିଶୁକୁ ଗ୍ରହଣ କରିଥିବା ଦମ୍ପତି ଓ ଇଂଜେକ୍ସନ ପାଇଁ ତାଙ୍କୁ ମାତ୍ର ୧୫ ଶହ ଟଙ୍କା ଦେଇଥିଲେ ବୋଲି ନଳିନୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କହିଥିଲେ। ୧୫ ହଜାର ଟଙ୍କାରେ ଛୁଆକୁ ବିକ୍ରି କରିଥିବା ପ୍ରଚାରକୁ ସେ ଦୃଢ଼ତା ଖଣ୍ଡନ କରିଥିଲେ। ଚାରମାଳ ସରପଞ୍ଚ ସୁପ୍ରଭାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନଳିନୀ ଗତ ୩/୪ ମାସ ହେଲା ଏଠାକୁ ଆସି ରହୁଥିବାରୁ ତାଙ୍କୁ ଏବେ ହଠାତ କୌଣସି ସରକାରୀ ଯୋଜନାରେ ସାମିଲ କରିବା ସମ୍ଭବ ହେଉନାହିଁ। ତେବେ ସରପଞ୍ଚ ନଳିନୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ କହିଛନ୍ତି। ଏହି ଘଟଣା ସଂପର୍କରେ ବିଡିଓ ପରୀକ୍ଷିତ ସାହୁ କେଉଟିବାହାଳି ଗ୍ରାମକୁ ଯାଇ ଗ୍ରାମବାସୀ ଓ ସଂର୍ପକୀୟମାନଙ୍କ ସହ ଆଲୋଚନା କରିଥିଲେ। ବିଡିଓ କହିଛନ୍ତି ଯେ ନଳୀନି ସର୍ଭେ ସମୟରେ ଅନୁପସ୍ଥିତ ଥିବାରୁ ତାଙ୍କ ନାମ କୌଣସି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରିନାହିଁ। ତେବେ କିଛି ଦିନ ତଳେ ଏଠାକୁ ଆସି ରହୁଥିବା ନଳିନୀ ଓ ତାଙ୍କ ମାଆଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯିବ ଓ ଆବାସ ଯୋଜନାରେ ଘର ଦିଆଯିବା ପାଇଁ ଜିଲା ପ୍ରଶାସନକୁ ସୁପାରିଶ କରାଯାଉଛି ବୋଲି ବିଡିଓ କହିଛନ୍ତି।

Comments are closed.