କେନ୍ଦୁପତ୍ର ସହ ଟ୍ରକ୍‍ ଜବତ: ଜଣେ ଗିରଫ, ୧୦ ଫେରାର୍‍

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡମାଳ ରେଂଜ ବନ କର୍ମଚାରୀ ଚଢଉ କରି ଏକ କେନ୍ଦୁପତ୍ର ବୋଝେଇ ଦଶଚକିଆ ଟ୍ରକକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ଜଣ ମାଫିଆ ଘଟଣା ସ୍ଥଳରୁ ଫେରାର୍‍ ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ରବିବାର ରାତ୍ରିରେ ମୋଚିବାହାଳ ଅଂଚଳରୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ନେଇ ରେଢ଼ାଖୋଲ ଡିଏଫଓ ପ୍ରଦିପ୍ତ କୁମାର ସାହୁଙ୍କୁୁ କୌଣସି ସୁତ୍ରରୁ ସୁଚନା ମିଳିଥିଲା। ଡିଏଫଓ ତୁରନ୍ତ ବଡମାଳ ରେଂଜ କର୍ମଚାରୀ ନିର୍ଦ୍ଦେଶ ଦେଇଥିଲେ। ସୁଚନା ପାଇ ବନ କର୍ମଚାରୀ ସଦଳ ବଳେ ମୋଚିବାହାଳ ଛକ ନିକଟରେ ଚଢଉ କରି କେନ୍ଦୁପତ୍ର ବୋଝେଇ ହେଉଥିବା (ଓଆର.୦୯.ଜି.୦୧୯୮) ଏକ ଦଶ ଚକିଆ ଟ୍ରକ୍‍ ଜବତ କରିବା ସହିତ ମୋଚିବାହାଳ ଗ୍ରାମର ଶଚି ପ୍ରଧାନ (୪୫) ନାମକ ଯୁବକକୁ ଗିରଫ କରିଥିଲେ। ହେଲେ ବନ ବିଭାଗକୁ ଦେଖି ଏଥିରେ ସଂପୃକ୍ତ ଥିବା ଅନ୍ୟ ୧୦ ଜଣ ମାଫିଆ ଘଟଣା ସ୍ଥଳରୁ ଫେରାର୍‍ ମାରିଥିଲେ।

ତେବେ ଟ୍ରକରୁ ପ୍ରାୟ ୪୩.୧ କ୍ୟୁଣ୍ଟାଲ (୮୬୨) ବଣ୍ଡଲ କେନ୍ଦୁପତ୍ର ଜବତ କରି ଜବତ କେନ୍ଦୁପତ୍ର ମୋଚିବାହାଳ କେନ୍ଦୁପତ୍ର ବିଭାଗକୁ ହସ୍ତାନ୍ତର କରିଥିବା ବନବିଭାଗ ସୁତ୍ରରୁ ଜଣାପଡିଛି। ଚଢଉରେ ଏସିଏଫ ଦେଭି ପ୍ରସାଦ ରାଉତ, ବଡମାଳ ରେଂଜ ଅଧିକାରୀ ପ୍ରଦିପ କୁମାର ସେଠି, ଫରେଷ୍ଟର ତ୍ରିନାଥ ଭବସାଗର, କୁଳମଣୀ ପୁହାଣଙ୍କ ସମେତ ବନ କର୍ମଚାରୀ ସାମିଲ ଥିବା ଜଣାପଡିଛି। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Comments are closed.