ମୃତ ହରିଣ ଉଦ୍ଧାର

ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ତ ଚାରମାଳ ରେଂଜ ରାଶିବେଡା ଗ୍ରାମନିକଟରୁ ଏକ ଗର୍ଭବତୀ ହରିଣର ମୃତଦେହ ବନବିଭାଗ ଉଦ୍ଧାର କରିଛି। ଘଟଣାରୁ ଜଣାପଡିଛି ଯେ ଆଜି ନିକଟସ୍ଥ ଜଙ୍ଗଲରୁ କୌଣସି କାରଣରୁ ହରିଣଟି ଗ୍ରାମ ଆଡକୁ ଚାଲି ଆସିଥିଲା। ତେବେ ହରିଣଟିକୁ ଦେଖି କୁକୁରମାନେ ଗୋଡାଇବା ସହ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଜୀବନ ବିକଳରେ ହରିଣଟି ଏକ କାଠପୋତା ବାଡ ଡେଇଁଲା ବେଳେ ପେଟରେ ଆଘାତ ଲାଗିଥିଲା।
ଫଳରେ ହରିଣଟି ଆହତ ହୋଇ ପଡିଯାଇଥିବା ବେଳେ ସେଠାରେ ଉପସ୍ଥିତ ଗ୍ରାମବାସୀ ହରିଣଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଚାରମାଳ ରେଂଜ ଅଧିକାରୀ ଦର୍ଶନିଆ ଭୋଇ,ଫରେଷ୍ଟର ପ୍ରବିଣ କୁମାର ସାହୁ ପହଞ୍ଚି ଚାରମାଳ ପ୍ରାଣିଧନ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିଲେ।ହେଲେ ହରିଣଟି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ସହ ଗର୍ଭରେ ଥିବା ଶାବକଟିର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ବନବିଭାଗ ଉଭୟ ମା ଓ ଶାବକ ମୃତ ହରିଣର ଶବ ବ୍ୟବଚ୍ଛେଦ ଚିକିତ୍ସକ ଡା.ପ୍ରଦିପ କୁମାର ସାହୁଙ୍କ ଦ୍ବାରା କରାଇ ପୋତି ଦେଇଥିବା ଜଣାପଡିଛି।ତେବେ ହରିଣଟିର ଆନୁମାନିକ ବୟସ ପ୍ରାୟ ୩ ବର୍ଷ ହୋଇଥିବା ଅନୁମାନ କରାଯାଉଛି।

Comments are closed.