ରେଢ଼ାଖୋଲ ସହରରେ କରୋନା ସଂକ୍ରମଣ : ବଫରଜୋନ୍‍ ଓ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା

ରେଢାଖୋଲ : ରେଢ଼ାଖୋଲ ସହରରେ ଗତ ଦୁଇ ଦିନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତେବେ ଏହା କିପରି ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିବ ନାହିଁ ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସହରର କେତେକ ଅଞ୍ଚଳକୁ ବଫରଜୋନ୍‍ ଓ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି।
ରେଢ଼ାଖୋଲ ଉପଖଣ୍ଡରେ ଗତ ଶୁକ୍ରବାର ୭ ଜଣ ଓ ଶନିବାର ୧୨ ଜଣ କୋରନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ତେଣୁ ଦୁଇ ଦିନ ମଧ୍ୟରେ ୧୯ ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ଏହା ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିଶେଷକରି ଏମାନଙ୍କ ମଧ୍ୟରୁ ଅଧିକାଂଶ ରେଢ଼ାଖୋଲ ସହରବାସୀ ହୋଇଥିବାରୁ ସହରରେ ଗୋଷ୍ଠୀ ସଂକ୍ରମଣ ହେବାର ଭୟ ମଧ୍ୟ ରହିଛି। ରେଢ଼ାଖୋଲ ଏନଏସିର ବିଭିନ୍ନ ୱାର୍ଡ଼ରୁ ୪ ଜଣ ପୁରୁଷ ଓ ୭ ଜଣ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁଣି ଏହି ୧୧ ଜଣଙ୍କ ଭିତରେ  ୨ ଜଣ ଶିଶୁକନ୍ୟା ଓ ଜଣେ ନାବାଳିକା ଥିବାବେଳେ ଜଣେ ଉପଖଣ୍ଡ ଡାକ୍ତରଖାନାର କର୍ମଚାରୀ ରହିଛନ୍ତି। ତେବେ ଏହା ଯେପରି ଗୋଷ୍ଠୀ ସଂକ୍ରମଣର ରୂପ ନେବ ନାହିଁ, ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସହରର କିଛି ଅଞ୍ଚଳକୁ ବଫରଜୋନ୍‍ ଓ ଆଉ କିଛି ଇଲାକାକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି।
ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ବିଭାଗ ତରଫରୁ ଗତକାଲି ଜାରି କରାଯାଇଥିବା ପତ୍ର (ସଂଖ୍ୟା ୫୩୩୦)ରୁ ଏହା ଜଣାପଡ଼ିଛି। ରେଢ଼ାଖୋଲ ଏନଏସିର ଗଣେଶନଗର-ୱାର୍ଡ଼ ନଂ-୦୮, ନୂଆସାହି-କଇଥସାହି-ୱାର୍ଡ଼ ନଂ-୦୪, କୁହି-ୱାର୍ଡ଼ ନଂ-୦୫ କୋରନା ପଜିଟିଭ୍‍ ରୋଗୀ ବାହାରି ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳ ବିଭିନ୍ନ ଅଞ୍ଚଳକୁ ବଫରଜୋନ୍‍ ଓ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରିଛନ୍ତି ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଜିଲାପାଳଙ୍କ ଏହି ଆଦେଶ ୧୮ ତାରିଖ ସକାଳ ୭ଟାରୁ କାର୍ଯ୍ୟକାରୀ କରାଗଲା ଓ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତର ରହିବ ବୋଲି ମଧ୍ୟ ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି।
ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ରେଢ଼ାଖୋଲ ଏନଏସିର ୮ ନଂ ୱାର୍ଡ଼ ଅନ୍ତର୍ଗତ ଗଣେଶନଗର, ୪ ନଂ ୱାର୍ଡ଼ର ନୂଆସାହି-କଇଥସାହି ଓ ୪ ନମ୍ବର ୱାର୍ଡ଼ର କୁହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି। ସେହିପରି ଏହି କଣ୍ଟେନମେଣ୍ଟ ଜୋନରୁ ଯେପରି ଅନ୍ୟ ଅଞ୍ଚଳକୁ କରୋନା ଭାଇରସର ସଂକ୍ରମଣ ବ୍ୟାପିବ ନାହିଁ, ସେଥିସକାଶେ ଆଉ କେତେକ ଇଲାକାକୁ ବଫରଜୋନ୍‍ ଭାବେ ମଧ୍ୟ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏହି ବଫରଜୋନ୍‍ ମଧ୍ୟରେ ରହିଛି ୮ ନମ୍ବର ୱାର୍ଡ଼ର କଚେରୀ ଛକ, ଲୁକାପାଲି, ୪ ନମ୍ବର ୱାର୍ଡ଼ର ନୂଆସାହି-ତଳିସାହି, ୩ ନମ୍ବର ୱାର୍ଡ଼ର ଆମ୍ବେଦକର ନଗର ଓ ୫ ନମ୍ବର ୱାର୍ଡ଼ର କୁହି।
କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି। ଏହି ଜୋନରେ କେବଳ ଅତ୍ୟାବଶ୍ୟକ କାରବାର ବ୍ୟତୀତ ଆଉ କିଛି କରାଯାଇ ପାରିବ ନାହିଁ ବୋଲି ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ କରାଯାଇଛି। କେବଳ ସ୍ୱାସ୍ଥ୍ୟଗତ କାରଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣ ବ୍ୟତୀତ ଅନ୍ୟ କୌଣସି ହାଲତରେ ଏହି ଜୋନ୍‍ ଭିତରୁ ଲୋକ ବାହାରକୁ ଯାଇପାରିବେ ନାହିଁ କି ବାହାର ଲୋକ ଏହି ଜୋନ୍‍ ଭିତରକୁ ପ୍ରବେଶ କରିପାରିବେ ନାହିଁ। ପୁଣି ଏହି ଇଲାକାରେ ସମ୍ପୂର୍ଣ୍ଣଭାବେ କଂଟାକ୍ଟ ଟ୍ରେସିଂ ସମେତ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୋଭିଡ଼୍‍ ନିୟମ ଅନୁସାରେ ସର୍ଭେ କରାଯିବ। ଏହା ବ୍ୟତୀତ ଏହି ଜୋନରେ ସାଧାରଣ ଗାଡ଼ି ଚଳାଚଳ ଉପରେ ବି କଟକଣା ଜାରି କରାଯାଇଛି। ଯଦି କେହି ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ସମସ୍ୟା କାରଣରୁ ବାହାରକୁ ଯିବାକୁ ଚାହିଁବେ, ତେବେ ରେଢ଼ାଖୋଲ ଥାନାଧିକାରୀଙ୍କ ଠାରୁ ପାସ୍‍ ନେଇପାରିବେ ଏବଂ ଥାନାଧିକାରୀ ଏହି ପାସ୍‍ ସଂପର୍କରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା କଂଟ୍ରୋଲ ରୁମ୍‍କୁ ଏହା ନିଶ୍ଚିନ୍ତ ଜଣାଇବେ। ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ନିୟନ୍ତ୍ରଣ କକ୍ଷ ପୁଲିସ୍‍, ସ୍ବାସ୍ଥ୍ୟ ବିଭାଗ ଓ ଏନଏସିର କର୍ମଚାରୀଙ୍କୁ ନେଇ ଖୋଲାଯାଇଛି।
କଣ୍ଟେନମେଣ୍ଟ ଜୋନ୍‍ ଓ ବଫରଜୋନରେ ବସବାସ କରୁଥିବା ସମସ୍ତ ଲୋକ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଂଚଳଗୁଡ଼ିକ ମଧ୍ୟରେ ଥିବା ସମସ୍ତ ଦୋକାନଗୁଡ଼ିକ ସଂଗେ ସଂଗେ ବନ୍ଦ ମଧ୍ୟ ରହିବ ବୋଲି ଏହି ଚିଠିରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‍ଏସି ତରଫରୁ ଗଠିତ ବିଭିନ୍ନ ଟିମ୍‍ ଲୋକଙ୍କୁ ଔଷଧପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବେ। ସେହିପରି କଣ୍ଟେନମେଣ୍ଟ୍ ଜୋନ୍‍ ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ।
ବଫରଜୋନ୍‍ ମଧ୍ୟରେ ଥିବା ଲୋକେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରିବାକୁ ଏହି ପତ୍ରରେ ଉଲ୍ଲେଖ କରାଯାଇଛି। ସେମାନେ ମୁହଁରେ ମାସ୍କ ପିନ୍ଧିବା ସହିତ ଅଣ-ଅତ୍ୟାବଶ୍ୟକ କାମ ନକରିବାକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୁଲିସ୍‍ ପକ୍ଷରୁ ନଜର ରଖାଯିବ। ଏସବୁ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବାର ଦାୟିତ୍ୱ ରେଢ଼ାଖୋଲ ଉପଜିଲ୍ଲାପାଳ ଓ ଏସଡ଼ିପିଓଙ୍କ ତତ୍ୱାବଧାନରେ ସ୍ଥାନୀୟ ତହସିଲଦାର୍‍ ଓ ଥାନାଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି।

Comments are closed.