ଡିଡିଆରଡି ସଚିବ ଭାବେ ଯୋଗଦେଲେ ସତୀଶ ରେଡ୍ଡି 

0

ନୂଆଦିଲ୍ଲୀ :  ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ବିଭାଗ(ଡିଡିଆରଡି)ର ସଚିବ ଏବଂ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ମୁଖ୍ୟ ଭାବେ ଲବ୍ଧପ୍ରତିଷ୍ଠ ମହାକାଶ ବିଜ୍ଞାନୀ ଡ଼କ୍ଟର ଜି.ସତୀଶ ରେଡ୍ଡି  ସୋମବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।  ଗତ ଶନିବାର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଡ଼କ୍ଟର ରେଡ୍ଡିଙ୍କ ନୂଆ ନିଯୁକ୍ତିକୁ ଅନୁମୋଦନ କରିଥିଲା । ସେ ଦୁଇବର୍ଷ ପାଇଁ ଏହି ପଦରେ ରହିବେ। ପୂର୍ବରୁ ଏହି ପଦରେ ଥିବା ଏସ ଖ୍ରୀଷ୍ଟୋଫର ଗତ ଜୁନ୍‍ରେ ଅବସର ଗ୍ରହଣ କରିସାରିଛନ୍ତି। ଡ଼କ୍ଟର ରେଡ୍ଡି  ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୈଜ୍ଞାନିକ ଉପଦେଷ୍ଟା ଥିଲେ।  କ୍ଷେପଣାସ୍ତ୍ର ବ୍ୟବସ୍ଥାର ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ରେଡ୍ଡି ବେଶ ଜଣାଶୁଣା। ଏହା ସହିତ ମହାକାଶ ଜ୍ଞାନକୌଶଳ ଓ ଶିଳ୍ପ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି। ଜବାହାରଲାଲ ନେହେରୁ ଟେକ୍ନୋଲୋଜିକାଲ ୟୁନିଭର୍ସିଟି (ଜେଏନଟିୟୁ)ରୁ ସେ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହା ସହିତ ଅନେକ ବିଦେଶୀ ଶିକ୍ଷାନୁଷ୍ଠାନରୁ ସେ ବୈଷୟିକ ଡିଗ୍ରୀ ହାସଲ କରିଛନ୍ତି।

Comments
Loading...