ରେଡକ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ – ୨୦୨୦ ପାଳିତ

ଭୁବନେଶ୍ୱର:ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଇବା ସହ ସ୍ୱେଚ୍ଛାକୃତ ସେବା କ୍ଷେତ୍ରରେ ଯୁବପିଢୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକ ବର୍ଷ ଡିସେମ୍ବର ୫ ତାରିଖକୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ରୁପେ ପାଳନ କରାଯାଇଥାଏ। ସ୍ୱେଚ୍ଛାସେବୀମାନଙ୍କର ମନରେ ଏକ ସାମାଜିକ ଅଙ୍ଗୀକାରବଦ୍ଧତା ସୃଷ୍ଟି କରିବା ଏବଂ ସାମାଜିକ ପ୍ରବାହରେ ସେମାନଙ୍କୁ ସାମିଲ କରି ସମାଜର ଉନ୍ନତି ସାଧନ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ` ସ୍ଥାନୀୟ ରେଡକ୍ରସ୍ ଭବନ କାର୍ଯ୍ୟାଳୟ ପରିସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ଉକ୍ତ ଆୟୋଜିତ ସଭାରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରଫେସର ସଞ୍ଜୟ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପ୍ରକୃତ ଜ୍ଞାନ ପୁସ୍ତକରୁ ହିଁ ମିଳିଥାଏ ଓ ସ୍ୱେଚ୍ଛାସେବା ଆମ ସମସ୍ତଙ୍କ ଧ୍ୟେୟ ହେବା ଦରକାର, କିନ୍ତୁ ଆମେ ନିଜକୁ ସବୁ ଦୃଷ୍ଟିରୁ ମଜ୍‌ବୁତ କରି ଆଗେଇବାକୁ ପଡିବ। ଆମେ ସାରା ବିଶ୍ୱକୁ ଆମର ସେବା ଦେବା ପୁର୍ବରୁ ପ୍ରଥମେ ପରିବାରର ବୃଦ୍ଧ ପିତା ମାତାଙ୍କର ସେବା କରିବା ଆବଶ୍ୟକ।

 

ସମ୍ମାନୀତ ଅତିଥିଭାବେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର କୋଷାଧ୍ୟକ୍ଷ ଡ. କଳ୍ପନା ଦାସ ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ତତ୍‌ସହିତ ଆଜିର ସମାଜରେ ସ୍ୱେଚ୍ଛାସେବୀମାନଙ୍କର ସ୍ୱେଚ୍ଛାକୃତ ସେବାପାଇଁ ଧନ୍ୟବାଦ ଅର୍ପଣ କରି ଯୁବପିଢୀମାନଙ୍କୁ ସେବା ଦିଗରେ ବ୍ରତୀ ରହିବା ପାଇଁ ପ୍ରୋତ୍ସାହିତ କରିଥିଲେ।
ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ସୁଶ୍ରୀ ସିଟିମ୍ ସୁଗୁଣା ତାଙ୍କ ଅଭିଭାଷଣରେ ଦୃଢ ଇଛାଶକ୍ତି ବଳରେ ଜଣେ ସ୍ୱେଚ୍ଛାସେବୀ କିଭଳି ଅନ୍ୟର ଦୁଃଖକୁ ଲାଘବ କରିପାରେ ଉପଦେଶ ମାଧ୍ୟମରେ ସ୍ୱେଚ୍ଛାସେବୀମାନଙ୍କୁ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ୱରରୁ ୫୦ ରୁ ଊର୍ଦ୍ଧ ଯୁବ ରେଡକ୍ରସ ପରାମର୍ଶଦାତା, ସ୍ୱେଚ୍ଛାସେବୀମାନେ ସାମାଜିକ ଦୁରତା ରକ୍ଷାକରି ଅଂଶ ଗ୍ରହଣ କରିଥିଲେ।  ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଯୁବ ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଶେଷ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଶୀ ସୁଶୀଲ କୁମାର ପଟ୍ଟନାୟକ ଯୁବ ରେଡକ୍ରସ୍ ପରାମର୍ଶଦାତା କାର୍ଯ୍ୟକ୍ରମର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭା କାର୍ଯ୍ୟରେ ପ୍ରିୟଙ୍କା ବିଶ୍ୱାଳ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲ।

Comments are closed.