ଆରୋଗ୍ୟ ହାର ୮୩.୮୪ % : ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪୨

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୮୩.୮୪ ପ୍ରତିଶତକୁୁ ବୃଦ୍ଧି ପାଇଛି। ମୋଟ୍‍ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୫୪ ଲକ୍ଷ ୨୭ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୫ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ସପ୍ତାହରେ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

କୋଭିଡ-୧୯ର ମୁକାବିଲା ପାଇଁ ସରକାରଙ୍କ ନୀତିର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି । ଦେଶରେ କୋବିଡ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ  ୧. ୫୬ % ରହିଛି, ଯାହା ବିଶ୍ୱର କୋଭିଡ ମୃତ୍ୟୁ ହାରଠାରୁ ଯଥେଷ୍ଟ କମ୍‍ । ଆରୋଗ୍ୟ ହାର ବୃଦ୍ଧି ପାଇବା ଓ ମୃତ୍ୟୁହାର ହ୍ରାସ ପାଇବା ଯୋଗୁଁ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ସଂଖ୍ୟରେ ମଧ୍ୟ ହ୍ରାସ ଘଟି ଏହା ମୋଟ୍‍ ସଂକ୍ରମଣର ୧୪.୬ ପ୍ରତିଶତ ରହିଛି । ଦେଶରେ ମୋଟ୍‍ ସଂକ୍ରମଣ ୬୪ ଲକ୍ଷ ଅତିକ୍ରମ କରିଛି । ଗୋଟିଏ ଦିନ ଭିତରେ ଆଉ ୭୯ହଜାର ୪୭୬ଜଣ ନୂଆ ଲୋକ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି । ବର୍ତ୍ତମାନ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ଲକ୍ଷ ୪୪ହଜାର ରହିଛି । ଗତ ୨୪ଘଣ୍ଟା ଭିତରେ ୧ହଜାର ୬୯ଜଣ ମୃତ୍ୟୁବରଣ କରିବାରୁ କୋବିଡ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୪୨ରେ ପହଞ୍ଚିଛି। ମନ୍ତ୍ରଣାଳୟ କହିଛି  ଗତ ୨୪ଘଣ୍ଟା ଭିତରେ ୧୧ଲକ୍ଷ ୩୨ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି । ଏଥିସହିତ ଏପର୍ଯ୍ୟନ୍ତ ମୋଟ୍‍ ୭ କୋଟି ୭୮ଲକ୍ଷରୁ ଅଧିକ ନମୂନା ପରୀକ୍ଷା କରାଯାଇଛି।

Comments are closed.