ଜାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା: କମିଶନରେଟ୍‌ ପୁଲିସ ଜାରି କଲା ସ୍କେଚ୍

ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ପ୍ରସ୍ତୁତ କଙ୍କାଳ ସ୍କେଚ୍‌ରୁ ମହିଳାଙ୍କ ପରିଚୟ ଖୋଜିବା ଆରମ୍ଭ

ଭୁବନେଶ୍ୱର: ଜାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ଆଜି କମିଶନରେଟ୍‌ ପୁଲିସ ପକ୍ଷରୁ ମହିଳାଙ୍କ ସ୍କେଚ୍ ଜାରି କରାଯାଇଛି। ଜାରି କରାଯାଇଥିବା ମହିଳାଙ୍କ ସ୍କେଚ୍‌ରୁ ତାଙ୍କର ପରିଚୟ ଖୋଜିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଏହି ସ୍କେଚ୍ ଜାରି ହୋଇଛି।
କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ ଜାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ସ୍କେଚ୍ ମାଧ୍ୟମରେ ମହିଳାଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରାଯିବ। ଏହା କମିସନରେଟ୍ ପୁଲିସର ପ୍ରଥମ ସ୍କେଚ୍ ହୋଇଥିବା ବେଳେ ଆଗକୁ ଆହୁରି ସ୍କେଚ୍ ଆସିବାର ରହିଛି। ବେଙ୍ଗାଲୁରୁର ବିଶେଷଜ୍ଞମାନେ ଏହି ସ୍କେଚ ପ୍ରସ୍ତୁତ କରିଛନ୍ତି। ଏମ୍ସରୁ ଯାଇଥିବା କଙ୍କାଳ ଓ ଖପୁରୀର ବିଭିନ୍ନ ଅଙ୍ଗର ମାପଚୁପ ଏବଂ ଫଟୋକୁ ନେଇ ବେଙ୍ଗାଲୁରୁର ବିଶେଷଜ୍ଞମାନେ ଏହି ସ୍କେଚ୍ ଜାରି କରିଛନ୍ତି। ଯେହେତୁ ମାଂସ ନାହିଁ, ତେଣୁ ଶରୀରର ରଙ୍ଗ ଭିନ୍ନ ଭିନ୍ନ ପ୍ରକାରର କରାଯାଇ ଆହୁରି ୪ରୁ ୫ଟି ସ୍କେଚ୍ ଜାରି ହେବ।


ଜାଆଁଳା ଫାଣ୍ଡି ସମ୍ମୁଖରେ ୨୦୧୯ ମସିହାରେ ଜବତ ହୋଇଥିବା ଏକ ଏକ୍ସୟୁଭି ଗାଡ଼ି ରହିଥିଲା। ଏହି ଜବତ ଗାଡ଼ିକୁ ମୁକୁଳାଇବା ପାଇଁ ଯେତେବେଳେ ଗାଡ଼ି ମାଲିକ ଆସିଥିଲେ, ଗାଡ଼ି ଭିତରୁ ମିଳିଥିଲା ଗୋଟିଏ କଙ୍କାଳ। ଫେବୃୟାରୀ ମାସରୁ କଙ୍କାଳ ମିଳିଥିଲା, କିନ୍ତୁ ଫାଣ୍ଡି ଅଧିକାରୀ ନିଲମ୍ବିତ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଗାଡ଼ି ଭିତରୁ କଙ୍କାଳକୁ ଉଦ୍ଧାର କରି ଏମ୍‌ସକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଗାଡ଼ି ଭିତରୁ ଜବତ କଙ୍କାଳ ଜଣେ ମହିଳାଙ୍କର ଏବଂ ତାଙ୍କ ବୟସ ପ୍ରାୟ ୪୫ ବର୍ଷ ବୋଲି କମିଶନରେଟ୍‌ ପୁଲିସ ସୂଚନା ଦେଇଥିଲା।

Comments are closed.