କରୋନା ସଂକ୍ରମଣ ଓ ଆରୋଗ୍ୟ ସବୁଥିରେ ରେକର୍ଡ

ଆରୋଗ୍ୟ ହାର ୬୩.୪୫%, ମୃତ୍ୟୁହାର ୨.୩୭%କୁ ହ୍ରାସ

ନୂଆଦିଲ୍ଲୀ : ଦେଶ​ରେ କରୋନା ସଂକ୍ରମଣ ଏବଂ ଆରୋଗ୍ୟ କ୍ଷେତ୍ରରେ ଶୁକ୍ରବାର ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା
ମଧ୍ୟରେ ଆଉ ୩୪,୬୦୨ ଜଣ କରାନା ସଂକମିତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଆଉ ୪୯ ହଜାର ୩୧୦ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପକ୍ଷରେ ଦେଶରେ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ ​କରିଥିବା ଲୋକମାନଙ୍କର ସଂଖ୍ୟା ୮ ଲକ୍ଷ ୧୭ହଜାର ୨୦୯ରେ
ପହଞ୍ଚିଛି। ଏଥିସହିତ ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ ଆରୋଗ୍ୟ ହାର ୬୩.୪୫%କୁ ବୃଦ୍ଧି ପାଇଛି। ସେହିପରି ଆଉ ୪୯ ହଜାର ୩୧୦ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ଫଳରେ ଦେଶରେ ମୋଟ୍‍ ସଂକ୍ରମିତମାନଙ୍କ ସଂଖ୍ୟା ୧୨ ଲକ୍ଷ  ୮୭ ହଜାର ୯୪୫ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ଗୋଟିଏ ଦିନରେ ଆଉ ୭୪୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧କୁ ବୃଦ୍ଧି ପାଇଛି। ୪ ଲକ୍ଷ ୪୦ ହଜାର ୧୩୫ ସକ୍ରିୟ ସଂକ୍ରମିତ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ଦେଶରେ କରୋନା ମୃତ୍ୟୁହାର ୨.୩୭%କୁ ହ୍ରାସ ପାଇଛି।  ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ପ୍ରମୁଖ
ସ୍ଥାନରେ ଥିବା ବେଳେ ଲଦାଖ ୨ୟ ସ୍ଥାନରେ, ହରିଆଣା, ତେଲଙ୍ଗାନା ଓ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ଏହା ପଛକୁ ରହିଛି। ଦିଲ୍ଲୀର ଆରୋଗ୍ୟ ହାର ୮୫.୬୩%କୁ ବୃଦ୍ଧି ପାଇଛି। ଏହି ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଶତକଡ଼ା ୭୧ ଭାଗରୁ ଉପରେ ରହିଛି। ଆଉ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର
ଜାତୀୟ ଆରୋଗ୍ୟ ହାରଠାରୁ ଊର୍ଦ୍ଧ୍ବରେ ରହିଛି।

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ରହିଥିବା ବେଳେ ତାହା ପଛକୁ ମିଲନାଡୁ, ଦିଲ୍ଲୀ ଓ ତେଲଙ୍ଗାନା ରହିଛି। ଦେଶରେ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ ନିମ୍ନରେ ରହିଛି। ମୋଟ ସଂକ୍ରମିତମାନଙ୍କ ମଧ୍ୟରୁ ୬୭.୮୩ ଭାଗ ସଂକ୍ରମିତ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ରହିଛନ୍ତି।

Comments are closed.