ନୂଆ ରେକର୍ଡ : ଗୋଟିଏ ଦିନରେ ପରୀକ୍ଷା ହେଲା ୫ଲକ୍ଷରୁ ଅଧିକ କୋଭିଡ୍-୧୯ ନମୁନା

ନୂଆଦିଲ୍ଲୀ : ଗୋଟିଏ ଦିନରେ ୫ଲକ୍ଷରୁ ଅଧିକ କୋଭିଡ୍-୧୯ ନମୁନା ପରୀକ୍ଷା କରି ଭାରତ ଆଉ ଏକ ରେକର୍ଡ ପ୍ରତିଷ୍ଠା କରିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ରେକର୍ଡ ସଂଖ୍ୟକ ୫ଲକ୍ଷ ୧୫ହଜାର ୪୭୨ଟି ନମୁନା ପରୀକ୍ଷା କରାଯାଇଛି। ଏଥି ସହିତ ଦେଶରେ ଏ ପର୍ଯ୍ୟନ୍ତ ମୋଟ୍ ୧ କୋଟି ୬୮ ଲକ୍ଷରୁ ଅଧିକ ନମୁନାର ପରୀକ୍ଷା କରାଯାଇଛି।
କରୋନା ସଂକ୍ରମଣ ଆରମ୍ଭ ହେବା ସମୟରେ ପ୍ରଥମେ ଦୈନିକ ୧୦୦ଟିରୁ କମ୍ ନମୁନାର ପରୀକ୍ଷା ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ଦେଶରେ ଦୈନିକ ୫ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯିବାର କ୍ଷମତା ହାସଲ କରାଯାଇ ପାରିଛି। ଏହା ବିଭିନ୍ନ ଗବେଷଣା ଅନୁଷ୍ଠାନ, ମେଡିକାଲ୍ କଲେଜ, ପରୀକ୍ଷାଗାର, ମନ୍ତ୍ରଣାଳୟ, ବିମାନ ଚଳାଚଳ ସଂସ୍ଥା ଓ ବିଶେଷ କରି ଡାକ ସେବାର ଉତ୍ସର୍ଗୀକୃତ ଦଳଗୁଡ଼ିକର ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି।