ଜାମାଯୋଡ଼ ହୋଇ ପାଠ ପଢ଼ିବାକୁ ଗଲାଣି ‘ମୋଗ୍‌ଲି’

ଲଣ୍ଡନ: ଆଫ୍ରିକୀୟ ରାଷ୍ଟ୍ର ରୁଆଣ୍ଡାର ଜଙ୍ଗଲରୁ ଧରା ହୋଇଥିବା ବାସ୍ତବ ଜୀବନର ‘ମୋଗ୍‌ଲି’ ଏବେ ସଭ୍ୟ ହୋଇଗଲାଣି। ତା’ର ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଗଲାଣି। ସେ ଜାମାଯୋଡ଼ ହୋଇ ପାଠପଢ଼ିବାକୁ ଗଲାଣି। ତା’ର ଏହି ପରିବର୍ତ୍ତନକୁ ନେଇ ଏବେ ଅନେକ ଚର୍ଚ୍ଚା। ଆଫ୍ରିକାର ଖାଣ୍ଡା​ରେ ବସବାସ କରୁଥିବା ଜଞ୍ଜିମନ ଏଲୀ ହେଉଛି ମୋଗ୍‌ଲି। ୧୯୯୯ରେ ଜନ୍ମିତ ଜଞ୍ଜିମନ ‘ମାଇକ୍ରୋସେଫାଲି’ ନାମକ ଅଦ୍ଭୁତ ରୋଗରେ ଆକ୍ରାନ୍ତ ହୋଇଥିଲା। ତା’ର ଶରୀର ଜଙ୍ଗଲୀ ଜୀବଙ୍କ ପରି ହୋଇଯିବା ସହ ହାବଭାବରେ ପରିବର୍ତ୍ତନ ଘଟିଲା। ସେ ପଶୁଙ୍କ ପରି ବ୍ୟବହାର କଲା। ଲୋକେ ତାକୁ ଚିଡ଼ାଇବା ଆରମ୍ଭ କରିବାରୁ ଜଞ୍ଜିମନ ଜଙ୍ଗଲକୁ ପଳାଇଥିଲା ଓ ଜଙ୍ଗଲୀ ଜୀବଙ୍କ ସହ ଚଳିଲା। ତାକୁ ଘର ତଥା ମଣିଷ ସମାଜକୁ ଫେରାଇ ଆଣିବାର ଅନେକ ପ୍ରୟାସ ବ୍ୟର୍ଥ ହୋଇଥିଲା। ତା’ର ଜୀବନ ଶୈଳୀକୁ ନେଇ ନିର୍ମିତ ହୋଇଥିଲା କାଳ୍ପନିକ ଧାରାବାହିକ ‘ମୋଗ୍‌ଲି’। ଏହା ମାଧ୍ୟମରେ ଜଞ୍ଜିମନ୍‌ ତଥା ତା’ ରୋଗ ବିଷୟରେ ଅଧିକ ଚର୍ଚ୍ଚା ହୋଇଥିଲା।

ଗତ ବର୍ଷ ‘ଆଫ୍ରିମାକ୍ସ ଟିଭି’ ପକ୍ଷରୁ ଜଞ୍ଜିମନକୁ ଉଦ୍ଧାର ପାଇଁ ବିଶେଷ ଅଭିଯାନ ଆରମ୍ଭ ହୋଇଥିଲା। ଏଥିପାଇଁ ବିଭିନ୍ନ ସୂତ୍ରରୁ ଅର୍ଥ ମଧ୍ୟ ସଂଗ୍ରହ କରାଯାଇଥିଲା। ତାକୁ ଜଙ୍ଗଲରୁ ଆଣି ଘରେ ମା’ ସହିତ ରଖାଯିବା ସହ ଆବଶ୍ୟକ ଚିକିତ୍ସା ଓ ସ୍ବାଭାବିକ ଜୀବନଧାରଣ ଶିକ୍ଷା ଦିଆଯାଉଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ଏଥିରେ ସହଯୋଗ କରାଯାଇଥିଲା। ସମାଜର ମୁଖ୍ୟ ସ୍ରୋତରେ ଜଞ୍ଜିମନକୁ ସାମିଲ କରିବା ଉଦ୍ୟମ ହେଲା; ଯାହାକି ଏବେ ଅନେକ ପରିମାଣରେ ସଫଳ ହୋଇଛି। ଇଂଲଣ୍ଡରୁ ପ୍ରକାଶ ପାଉଥିବା ‘ଦି ସନ୍’ ପତ୍ରିକା ପକ୍ଷରୁ ତା’ର ଏହି ପରିବର୍ତ୍ତିତ ଜୀବନଶୈଳୀକୁ ନେଇ ବିଶେଷ ଖବର ପ୍ରସାରଣ କରାଯାଇଛି।

Comments are closed.