ବର୍ଷ ଶେଷକୁ ଓଡ଼ିଶାରେ କ୍ରୀଡ଼ା ପ୍ରତିଯୋଗିତା : କ୍ରୀଡ଼ା ମନ୍ତ୍ରୀ

ଖେଳାଳିମାନେ ଖେଳରୁ ଧ୍ୟାନ ହଟାନ୍ତୁ ନାହିଁ

କଟକ : କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚରୁ ସାରା ବିଶ୍ବରେ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ହୋଇଯାଇଛି। ଏବେ ଧିରେଧିରେ କ୍ରୀଡ଼ାବିତ୍‌ମାନେ ଅଭ୍ୟାସ କରିବାକୁ ଓହ୍ଲାଇଥିଲେ ମଧ୍ୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ବର୍ଷ ଶେଷ ବେଳକୁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାକୁ ଫେରିବା ନେଇ ଆମେ ଦୃଢ ଆଶାବାଦୀ । ବର୍ତ୍ତମାନ ପରିସ୍ଥିତିରେ କ୍ରୀଡ଼ାବିତ୍‌ମାନେ ମନୋବଳକୁ ଦୁର୍ବଳ ନକରି ଖେଳ ଉପରେ ଅଧିକ ମନୋନିବେଶ କରନ୍ତୁ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ପକ୍ଷରୁ ଖେଳାଳିମାନଙ୍କ ଅଭ୍ୟାସ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ(ଏସ୍ଓପି) ଜାରି କରିଛନ୍ତି। ଏହି ଆଧାରରେ ଓଡ଼ିଶା​‌ କ୍ରୀଡ଼ାବିତ୍‌ମାନେ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି। ଅଲିମ୍ପିଆନ ଦୂତି ଚାନ୍ଦ ବ୍ୟକ୍ତିଗତ ଭାବେ ଅଭ୍ୟାସ ଆରମ୍ଭ କରିଛନ୍ତି । କୋଭିଡ୍‌-୧୯ ପାଇଁ ବିଶ୍ବ କ୍ରୀଡ଼ା ମାନଚିତ୍ର ବଦଳି ଯାଇଛି। ଟୋକିଓ ଅଲିମ୍ପିକ୍‌ସ ଏକବର୍ଷ ଘୁଞ୍ଚିବାକୁ ପଡ଼ିଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍‌ ପଡ଼ିନାହିଁ। ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ମ୍ୟାଚ ସହ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ସମେତ ବିଭିନ୍ନ କ୍ରୀଡ଼ା ପ୍ରଶିକ୍ଷଣରେ ବାଧା ଉପୁଜିଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। କରୋନା ମହାମାରୀ ପାଇଁ ବିଭିନ୍ନ ଜିଲାରେ କ୍ରୀଡ଼ା ଭିତ୍ତିଭୂମି କାର୍ୟ୍ୟର ଅଗ୍ରଗତି ଅଟକି ଯାଇଥିବାବେଳେ ଏବେ ଆରମ୍ଭ ହୋଇଛି। ଚତୁର୍ଥ ପର୍ୟ୍ୟାୟ ଲକ୍‌ଡାଉନ୍‌ରେ ଖେଳାଳିମାନଙ୍କୁ ଅଭ୍ୟାସ ନେଇ ସୁଯୋଗ ମିଳିବା ସହିତ କ୍ରୀଡ଼ା ଭିତ୍ତିଭୂମି କାର୍ୟ୍ୟକୁ ତ୍ବାରାନ୍ବିତ କରିବାକୁ ଅନୁମତି ମିଳିଛି। ଫଳରେ କ୍ରୀଡ଼ା ଭିତ୍ତିଭୂମି କାର୍ୟ୍ୟ ଆଗକୁ ବଢିବା​‌ରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଦୀର୍ଘ ଦିନ ହେବ ଖେଳ ଅଭ୍ୟାସ ଓ ପ୍ରତିଯୋଗିତା ବନ୍ଦ ରହିବା ଫଳରେ ଖେଳାଳିମାନଙ୍କ ମାନସିକତା ଉପରେ ଏହାର ପ୍ରଭାବ ପକାଇବ। ମାନସିକ ସ୍ଥିତିକୁ ବଜାୟ ରଖିବା ସହିତ ଖେଳ ଉପରୁ ଯେଉଁଭଳି ଧ୍ୟାନ ଦୂର ନହୁଏ ସେଥିନେଇ ଖେଳାଳିମାନେ ଘ​‌ରେ ନିୟମିତ ଶାରୀରିକ ଅଭ୍ୟାସ ସହ କ୍ରୀଡ଼ା ଅଭ୍ୟାସ ମଧ୍ୟ ବଜାୟ ରଖିଛନ୍ତି। ଏବେ ଆଉଟ୍‌ଡୋର ଅଭ୍ୟାସ ନେଇ ସୁଯୋଗ ମିଳିବା ପରେ ମୁଖ୍ୟ ପ୍ରତିଯୋଗିତା ପୂର୍ବରୁ ନିଜକୁ ଫିଟ୍‌ ରଖିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ନଭେମ୍ବର ୨ରୁ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ଫୁଟବଲ ପ୍ରତିଯୋଗିତା ଭାରତରେ ଖେଳାଯିବାର କାର୍ୟ୍ୟସୂଚୀ ରହିଥିଲା।

କରୋନା ମହାମାରୀ ପାଇଁ ଏହାକୁ ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବିଶ୍ବକପ ଦେଶର ୫ଟି ସହରରେ ଆୟୋଜିତ ହେବ। ଏଥିରେ ଭୁବନେଶ୍ବର ମଧ୍ୟ ରହିଛି। ନଭେମ୍ବରରେ ପ୍ରତିଯୋଗିତା ଆୟୋଜନ ନେଇ ଆମେ ପ୍ରସ୍ତୁତ ଥିଲୁ। ଏବେ ୩ ମାସ ଘୁଞ୍ଚିବା ପରେ ଆମକୁ ଭଲ ପ୍ରସ୍ତୁତି ନେଇ ସୁଯୋଗ ମିଳିଛି। ଖେଳ ପଡ଼ିଆ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଅଭ୍ୟାସ ପଡ଼ିଆ ଓ ଷ୍ଟାଡ଼ିୟମର ଅନ୍ୟାନ୍ୟ କାର୍ୟ୍ୟ ଆଗେଇ ଚାଲିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଆମର ପ୍ରସ୍ତୁତି ଶେଷ ହୋଇଥିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

Comments are closed.