ହାଇଦରାବାଦ ଘଟଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା

ଜୟା ବଚ୍ଚନ: ପୂର୍ବରୁ ସଂସଦରେ ଅଭିଯୁକ୍ତଙ୍କୁ ଲୋକଙ୍କ ହାତକୁ ଟେକିଦେବା ପାଇଁ ଦାବି କରିଥିବାବେଳେ ଶୁକ୍ରବାର ଘଟଣା ପରେ ପୁଲିସକୁ ପ୍ରଶଂସା କରି କହିଛନ୍ତି ଯେ ‘କିଛି ନ ହେବାଠାରୁ ବିଳମ୍ବରେ ହେବା ଭଲ।’ ଏଭଳି ଦୃଷ୍ଟାନ୍ତମୂଳକ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ନେତ୍ରୀ ଜୟା।
ସ୍ବାତୀ ମାଲିୱାଲ: ସେହିପରି ଅଭିଯୁକ୍ତମାନଙ୍କୁ ୬ମାସ ମଧ୍ୟରେ ଫାଶୀ ଦେବା ଦାବିରେ ତିନି ଦିନ ଧରି ଅନଶନ ଚଳାଇଥିବା ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ପୁଲିସର ଭୂମିକାକୁ ପ୍ରଶଂସା କରିଛନ୍ତି। ପୁଲିସ ଲୋକଙ୍କ ଆକ୍ରୋଶକୁ ଠିକ୍‌ ବୁଝିଛି; ତେବେ ଏହା ଆଇନଗତ ଭାବେ ହୋଇଥିଲେ କିଛି ପ୍ରଶ୍ନ ଉଠି ନ ଥାନ୍ତା ବୋଲି ସେ ମତ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ: ଏହି ଘଟଣାକୁ ଅତ୍ୟନ୍ତ ‘ବିପଜ୍ଜନକ’ ବୋଲି ବର୍ଣ୍ଣନା କରିଛନ୍ତି ମେନକା ଗାନ୍ଧୀ। ଆଇନକୁ କେହି ହାତକୁ ନେବା ଅନୁଚିତ। ସେମାନଙ୍କର ଉପଯୁକ୍ତ ବିଚାର ହେବାର ଥିଲା ଏବଂ ପୁଲିସ ସେମାନଙ୍କୁ ଯେକୌଣସି ଉପାୟରେ ଫାଶୀ ଖୁଣ୍ଟରେ ଝୁଲାଇବା ବ୍ୟବସ୍ଥା କରିପାରି ଥାଆନ୍ତା। ଅଭିଯୁକ୍ତଙ୍କୁ ଏଭଳି ହତ୍ୟା ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ସେ ଚେତାଇ ଦେଇଛନ୍ତି। ପୁଲିସ ଓ ଆଇନଗତ ବ୍ୟବସ୍ଥା ପ୍ରତି ସମ୍ମାନ ରହିବା ଉଚିତ।
କାର୍ତ୍ତି ଚିଦମ୍ବରମ୍‌: କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍‌ କହିଛନ୍ତି ଯେ ‘ଜୀବନରୁ ମାରିଦେବା ଆମ ବ୍ୟବସ୍ଥା ପ୍ରତି କୁଠାରଘାତ। ବଳାତ୍କାର ଏକ ଅତି ଘୃଣ୍ୟ କାର୍ଯ୍ୟ ଏବଂ ଏଭଳି ଘଟଣା​‌େ​‌ର ଆଇନାନୁମୋଦିତ ପଦକ୍ଷେପ ନିଆଯିବା ଜରୁରୀ। ତ୍ବରିତ ନ୍ୟାୟ ଭଲ ନୁହେଁ।’
ମୀନାକ୍ଷୀ ଲେଖି: ବିଜେପି ସାଂସଦ ମୀନାକ୍ଷୀ ଲେଖୀ କହିଛନ୍ତି ଯେ ପୁଲିସ ପାଖରେ ଥିବା ଅସ୍ତ୍ର ପ୍ରଦର୍ଶନୀ ପାଇଁ ନୁହେଁ; ପୁଲିସ ଆଇନାନୁଯାୟୀ ପଦକ୍ଷେପ ନେଇଛି।
ଅରବିନ୍ଦ ସାୱନ୍ତ: ଶିବସେନା ସାଂସଦ ସାୱନ୍ତ ଆବେଗିକ ଭାବେ କହିଛନ୍ତି ଯେ ତେଲଙ୍ଗାନା ପୁଲିସକୁ ଅନେକ ଆଶୀର୍ବାଦ ମିଳିଛି। ଆଇନ ବ୍ୟବସ୍ଥାର ଗତି ମନ୍ଥର ହୋଇ ନ ଥିଲେ ଏଭଳି ପ୍ରଶଂସା ମିଳି ନ ଥାନ୍ତା।
ସୌଗତ ରାୟ: ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ କହିଛନ୍ତି ଯେ ସେ ଗୁଳିବିନିମୟକୁ ସମର୍ଥନ କରୁ ନ ଥିଲେ ମଧ୍ୟ ହାଇଦରାବାଦ ଘଟଣାକୁ ଲୋକେ ଯେମିତି ଉତ୍ସବ ଭାବେ ପାଳନ କରୁଛନ୍ତି ତାହା ସ୍ବାଗତଯୋଗ୍ୟ। ଠିକ୍‌ ସମୟରେ ନ୍ୟାୟ ମିଳୁଥିଲେ ଲୋକେ ଏମିତି ଖୁସି ମନାଉ ନ ଥାନ୍ତେ।
ସ୍ମୃତି ଇରାନୀ: କଂଗ୍ରେସକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଇରାନୀ। ଏହି ଦଳ ବଳାତ୍କାର ଭଳି ପ୍ରସଙ୍ଗକୁ ରାଜନୈତିକ ରୂପ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ମାୟାବାତୀ: ବହୁଜନସମାଜ ପାର୍ଟି ନେତ୍ରୀ ମାୟାବାତୀ କହିଛନ୍ତି ଯେ ଉତ୍ତରପ୍ରଦେଶ ଓ ଦିଲ୍ଲୀ ପୁଲିସ ତେଲଙ୍ଗାନା ପୁଲିସଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ। ଉତ୍ତରପ୍ରଦେଶରେ ଅପରାଧ ଏବେ ଯେଉଁ ସ୍ତରରେ ପହଞ୍ଚିଛି ତାହାର ମୁକାବିଲା ପାଇଁ ସେଠାକାର ପୁଲିସ ତେଲଙ୍ଗାନା ପ୍ରତିପକ୍ଷଙ୍କଠାରୁ ପ୍ରେରଣା ପାଇବା ଦରକାର।
ସେହିଭଳି ଅଭିନେତା ଋଷି କପୁର, ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ପ୍ରମୁଖ ପୁଲିସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ ପୁଲିସକୁ ଶୁଭେଚ୍ଛା ଜଣାଇଛନ୍ତି। ତେଲଙ୍ଗାନା ବିଜେପି ପକ୍ଷରୁ ପୁଲିସର କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

Comments are closed.