ହାଇଦରାବାଦ ଏନକାଉଣ୍ଟରକୁ ଓଡ଼ିଶାରେ ସମର୍ଥନ ; କଠୋର ଆଇନ ସପକ୍ଷରେ  ବିଭିନ୍ନ ଦଳ ଏବଂ ମହିଳା ସଂଗଠନ

 

ଭୁବନେଶ୍ବର : ହାଇଦରାବାଦ  ପ୍ରାଣୀ ଚିକିତ୍ସିକା ‘ଦିଶା’ଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିବା ଘଟଣା​‌କୁ ଦେଶବାସୀ  ସ୍ବାଗତ କରିଥିବା ବେଳେ ରାଜ୍ୟରେ ମଧ୍ୟ ନେତା, ମନ୍ତ୍ରୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ଓ ସଂଗଠନ ତେଲଙ୍ଗାନା ପୁଲିସକୁ ଉଚ୍ଚ ପ୍ରଶଂସା କରିଛନ୍ତି।  ଓଡ଼ିଶାର ବିଜେଡି ସରକାର ହାଇଦ୍ରାବାଦ ଏନକାଉଣ୍ଟରକୁ ସ୍ବାଗତ କରିଛନ୍ତି । ଏହି ଏନକାଉଣ୍ଟରକୁ ସମର୍ଥନ ଜଣାଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି କହିଛନ୍ତି ଯେ, ମୁଁ ନିଜେ ବହୁତ ଖୁସୀ ।

ଆଇନମନ୍ତ୍ରୀ ପ୍ରତାପ ଜେନା

ଏନେଇ ମାନବାଧିକାର କମିଶନ କଣ କହିବେ ମୁଁ ଜାଣିନାହିଁ ।  ତେବେ ମୋ ବ୍ୟକ୍ତିଗତ ମତରେ ଏଭଳି ଅପରାଧ ପ୍ରତି ଅନ୍ୟ ଦେଶରେ କଠୋର ଦଣ୍ଡ ରହିଛି। କେଉଁଠି ଗୁଳି କରାଯାଉଛି ତ ଅନ୍ୟ କେଉଁଠି ମୁଣ୍ଡ କାଟି ଦିଆଯାଉଛି। ଆମ ଦେଶରେ ବି କଠୋର ଆଇନ ହେବା ଉଚିତ୍। କେବଳ କୋର୍ଟ ଉପରେ ନିର୍ଭର କରି ଦିନ ଗଡାଇବା ଅପେକ୍ଷା ସେମାନଙ୍କୁ ଏନକାଉଣ୍ଟର କରାଯାଇଥିବାରୁ ମୁଁ ଭାବୁଛି କଠୋର ଦଣ୍ଡ ମିଳିଛି । ହାଇଦରାବାଦରେ ଯାହା ହୋଇଛି ଉଚିତ୍ ପଦକ୍ଷେପ ନିଆଯାଇଛି । ତେବେ ଏ ନେଇ କଠୋର ଦଣ୍ଡ ବିଧାନ ହେବା ଆବଶ୍ୟକ। ଅନ୍ୟ ପକ୍ଷରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ଏନକାଉଣ୍ଟର କରି  ହାଇଦରାବାଦ ପୁଲିସ ଠିକ୍ କରିଛି।

ସେହିପରି ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ପୁଲିସ ଏନକାଉଣ୍ଟରକୁ ଏକ ଉଚିତ ପଦକ୍ଷେପ ବୋଲି କହିଛନ୍ତି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ବଳାତ୍କାରୀଙ୍କୁ ଦଣ୍ଡ ଦେବା ପାଇଁ କଠୋର ଆଇନ ପ୍ରଣୟନ ହେବା ଦରକାର।

ଆଇନଜୀବୀ ରୀତା ଶତପଥୀ

ଓଡ଼ିଶା ହାଇକୋର୍ଟର ଆଇନଜୀବୀ ରୀତା ଶତପଥୀ, ବଳାତ୍କାରୀଙ୍କୁ ଏନକାଉଣ୍ଟର କରାଯିବା ଦ୍ବାରା ପୀଡିତାଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି । ବଳାତ୍କାର ମାମଲାରେ ପୀଡିତାଙ୍କୁ ଶୀଘ୍ର ନ୍ୟାୟ ମିଳିବା ଦରକାର । ସେଥିପାଇଁ ସିଆରପିସିରେ ସଂଶୋଧନ କରି ପୃଥକ ବ୍ୟବସ୍ଥା କରିବା ଆବଶ୍ୟକ।

ସାମାଜିକ କାର୍ଯ୍ୟକର୍ତ୍ତା ଶୁଭଶ୍ରୀ ଦାସ

ସାମାଜିକ କାର୍ଯ୍ୟକର୍ତ୍ତା ଶୁଭଶ୍ରୀ ଦାସ, ମହିଳା ପ୍ରାଣୀଚିତ୍ସିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରାଯିବା ଘଟଣାକୁ ଠିକ୍ ବୋଲି କହିଛନ୍ତି । ନିର୍ଭୟାକାଣ୍ଡରେ ଏ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ ବୋଲି ସେ କହିଛନ୍ତି । ଉନ୍ନାଉ ଘଟଣା ମଧ୍ୟ ବେଶ ସମ୍ବେଦନଶୀଳ ଓ ନିନ୍ଦନୀୟ। ତେବେ ସମାଜରେ ମହିଳାମାନଙ୍କ ବିରୁଦ୍ଧରେ ବଢ଼ିଚାଲୁଥିବା ଅପରାଧ ଘଟଣା ଏବଂ ନ୍ୟାୟ ମିଳିବାରେ ​‌ବିଳମ୍ବ ଯୋଗୁଁ ଲୋକମାନଙ୍କ ମନରେ କ୍ରୋଧ ସୃଷ୍ଟି ହେଉଛି । ଯାହାର ପ୍ରତିଫଳନ ସଡ଼କରେ ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏଭଳି ପରିସ୍ଥିତି କାହିଁକି ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ?

ନମ୍ରତା ଚଢ଼ା

ରାଜ୍ୟ ମହିଳା କମିସନର ପୂର୍ବ ସଦସ୍ୟା ନମ୍ରତା ଚଢ଼ା କହିଛନ୍ତି,  ଏନକାଉଣ୍ଟର ଭଳି ଘଟଣା ହେବାର ହିଁ ଥିଲା କାରଣ ବିଚାର ପ୍ରକ୍ରିୟାରେ ବିଳମ୍ବରୁ ଏଭଳି ଘଟଣା ଘଟିଛି । ତେବେ କେଉଁଭଳି ପରିସ୍ଥିତିରେ ଏନକାଉଣ୍ଟର ଘଟିଛି ସେ ନେଇ ପୁଲିସ କହି ପାରିବ । ବଳାତ୍କାର ମାମଲାରେ ତୁରନ୍ତ ନ୍ୟାୟ ପ୍ରଦାନ ନେଇ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ବ ପ୍ରଦାନ କରିଛନ୍ତି।

 

ରାଜ୍ୟ ପ୍ରଗତିଶୀଳ ମହିଳା ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟ

ରାଜ୍ୟ ପ୍ରଗତିଶୀଳ ମହିଳା ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟ, ହାଇଦରାବାଦ ଘଟଣାରେ ବଳାତ୍କାରୀ ଏବଂ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଏନକାଉଣ୍ଟରେ ମାରିଦିଆଯିବାକୁ ସ୍ବାଗତ କରିଛନ୍ତି । କଣ୍ଟାକୁ କଣ୍ଟାରେ ଦୂରେଇ ଦିଆଯାଇଛି । ଏନକାଉଣ୍ଟର ଏହି କଥାକୁ ସତ୍ୟରେ ପ୍ରମାଣିତ କରିଛି। ଏହି ଘଟଣା ବିଚାର ପ୍ରକ୍ରିୟାରେ ଗତି ଆଣିବା ପାଇଁ ଏକ ଉଦାହରଣ। ସରକାର କଠୋର ଆଇନ ପ୍ରଣୟନ କରନ୍ତୁ ଏବଂ ସମାଜରେ ମଣିଷ ରୂପରେ ଥିବା ହିଂସ୍ର ଲୋକମାନେ ଅନ୍ୟ ମହିଳା ମାନଙ୍କୁ ଚାହିଁବାକୁ ମଧ୍ୟ ସାହସ କରିବେ ନାହିଁ।

କିନ୍ନର ସ୍ବିଟି ସାହୁ

‘ସଖୀ’ ସଂସ୍ଥାର ଅଧ୍ୟକ୍ଷ କିନ୍ନର ସ୍ବିଟି ସାହୁ ଦିଲ୍ଲୀ ବଳାତ୍କାର ଅଭିଯୁକ୍ତଙ୍କୁ ଶୀଘ୍ର ଦଣ୍ଡ ଦେବା ନେଇ ଦିଲ୍ଲୀରେ  ହୋଇଥିବା ଆନ୍ଦୋଳନରେ ଭାଗ ନେଇଥିଲେ ।  ସ୍ବିଟି କହିଛନ୍ତି ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଏଭଳି ଘଟଣା ଘଟିଛି। ବଳାତ୍କାର ଭଳି ଘଟଣାକୁ ନେଇ ଏପରି ଆଇନ ପ୍ରଣୟନ ହେବା ଆବଶ୍ୟକ ଯେ ପୀଡିତାକୁ ନ୍ୟାୟ ମିଳିବ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ମିଳି ପାରିବ। ଏଥିପାଇଁ ଆଇନରେ ସଂଶୋଧନ ହେବାର ଜରୁରୀ ଆବଶ୍ୟକତା ରହିଛି ଆଉ ସଂସଦରେ ଏ ନେଇ ପ୍ରୟାସ ହେବା ଦରକାର।

Comments are closed.