ମନ୍ଦିରର ପୁନଃ ନିର୍ମାଣ ଏବଂ ମୂଲ୍ୟବୋଧର ପ୍ରତିଷ୍ଠା

ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁଙ୍କ ଫେସବୁକ୍‍ ଓଡ଼ିଆ ପୋଷ୍ଟ

ଆଉ କେଇଦିନ ପରେ ଆମେ ଅଯୋଧ୍ୟାରେ ଏକ ଐତିହାସିକ ଘଟଣା ଦେଖିବାକୁ ପାଇବା । ଏଭଳି ଏକ ଘଟଣା ଆମ ମଧ୍ୟରୁ ଅଧିକାଂଶଙ୍କୁ ଆମ ଐତିହ୍ୟର ଏକ ମହାନ ସାଂସ୍କୃତିକ ଅଧ୍ୟାୟ ସହ ଯୋଡିବାର ଅବକାଶ ଦିଏ । ଏହି ଘଟଣା ଆମକୁ ରାମାୟଣର ପୁନଃ ସ୍ମରଣ କରାଏ । ଏହି ଶାଶ୍ୱତ ମହାନ ଗ୍ରନ୍ଥ ରାମାୟଣ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଲେଖା ଯାଇଥିଲା । ଏହା ଆମ ସାମୂହିକ ଚେତନାର ଏକ ଅଂଶ ପାଲଟି ଯାଇଛି । ଅଯୋଧ୍ୟାରେ ଯେଉଁ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ଆମେ ସେଥିରେ ନିଜକୁ ଗୌରବାନ୍ୱିତ ଏବଂ ଅଭିମନ୍ତ୍ରିତ ମନେ କରୁଛୁ । ସେଠାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏହି ମନ୍ଦିର ଜଣେ ମର୍ଯ୍ୟାଦାବନ୍ତ, ଅଦ୍ୱିତୀୟ, ଈଶ୍ୱର ରୂପେ ପୂଜିତ ଏବଂ ସମ୍ମାନିତ ବ୍ୟକ୍ତିତ୍ୱ ପ୍ରଭୁ ଶ୍ରୀରାମଙ୍କ ପାଇଁ ନିର୍ମିତ ହେବ । ରାମଙ୍କ ଜୀବନ ମୂଲ୍ୟବୋଧ ଓ ମର୍ଯ୍ୟାଦାର ଏକ ସମ୍ମିଳିତ ପ୍ରଦର୍ଶନ । ଏହି ମୂଲ୍ୟବୋଧ ଏକ ଦାୟିତ୍ୱବାନ, ନ୍ୟାୟୋଚିତ, ସାମାଜିକ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଏହା ଅବଶ୍ୟ ଏକ ସ୍ୱତଃସ୍ଫୂର୍ତ୍ତ ଉତ୍ସବ ପାଳନର କ୍ଷଣ । କାରଣ ଆମେ ଅତୀତର ଗୌରବକୁ ପୁନର୍ଜୀବିତ କରୁଛୁ ଏବଂ ଈପ୍‌ସିତ ମୂଲ୍ୟବୋଧର ପୁନଃ ସ୍ଥାପନ କରିବାକୁ ଯାଉଛୁ ।
ବାସ୍ତବରେ ଆମେ ଯଦି ରାମାୟଣର ସାରମର୍ମ ବୁଝିପାରିବା ତେବେ ଜାଣିପାରିବା ଯେ ଏହା ସେହି କ୍ଷଣ ଯାହା ଏକ ସାମାଜିକ, ଆଧ୍ୟାତ୍ମିକ ପୁନଃଜାଗରଣ ପାଇଁ ଆମକୁ ଅନୁପ୍ରାଣିତ କରୁଛି । ଆମେ ମଧ୍ୟ ଆହୁରି ଅନୁଭବ କରିପାରିବା ଯେ ଏହା ଅନୁପମ ଭାରତୀୟ ଧର୍ମ ଓ ଉତ୍ତମ ବ୍ୟବହାରର କାହାଣୀ କହୁଥିବା ଏକ ଗ୍ରନ୍ଥ । ରାମାୟଣର ଦର୍ଶନ ସାର୍ବଜନୀନ । ଏହା ମଧ୍ୟ ଦକ୍ଷିଣପୂର୍ବ ଏସିଆର ସଂସ୍କୃତି ଉପରେ ଏକ ପ୍ରକାଣ୍ଡ ପ୍ରଭାବ ପକାଇଛି ।
ବେଦ ଓ ସଂସ୍କୃତ ବିଦ୍ୱାନ ଆର୍ଥର ଆନ୍ଥୋନି ମ୍ୟାକ୍‌ ଡୋନେଲଙ୍କ ଅନୁସାରେ ଭାରତୀୟ ଧାର୍ମିକ ଗ୍ରନ୍ଥରେ ରାମଙ୍କ ବିଚାରର ଯେଉଁ ଉଲ୍ଲେଖ ରହିଛି ତାହା ମୂଳତଃ ପନ୍ଥ ନିରପେକ୍ଷ । ଏହି ବିଚାର ହଜାର ହଜାର ବର୍ଷ ଧରି ଲୋକଙ୍କ ଜୀବନ ଓ କାର୍ଯ୍ୟକୁ ପ୍ରଭାବିତ କରିଆସିଛି ।
ଅନେକ କବି, ନାଟ୍ୟକାର, ନୃତ୍ୟଶିଳ୍ପୀ, ସଂଗୀତଜ୍ଞ ଏବଂ କଳାକାରଙ୍କ ଭାବନା ରାମାୟଣ ଦ୍ୱାରା ପ୍ରଭାବିତ । କେବଳ ଭାରତ ନୁହେଁ ଦକ୍ଷିଣପୂର୍ବ ଏସିଆର ଜାଭା, ବାଲି, ମାଳୟ, ବର୍ମା, ଥାଇଲାଣ୍ଡ, କାମ୍ବୋଡିଆ ଓ ଲାଓସ୍‌ ଆଦି ବିଭିନ୍ନ ଦେଶର କଳାକାର, ସଂଗୀତଜ୍ଞ, ନାଟ୍ୟକାର, କବି, ଜନତା ଓ ଭାବୁକଙ୍କ ଦ୍ୱାରା ରାମାୟଣ ଏବେ ମଧ୍ୟ ବେଶ୍‌ ଆଦୃତ । ଥାଇଲାଣ୍ଡ ଭଳି ଦେଶରେ ରାଜାମାନଙ୍କୁ ରାମଙ୍କ ନାମରେ ନାମିତ କରାଯାଇଛି । ଚତୁର୍ଦ୍ଦଶ ଶତାବ୍ଦୀରେ ସେ ଦେଶର ରାଜଧାନୀର ନାମ ଥିଲା ଅୟୋଧୟା ବା ଅଯୋଧ୍ୟା । ଥାଇଲାଣ୍ଡରେ ବିଭିନ୍ନ ପ୍ରକାରର ରାମାୟଣ ଲୋକପ୍ରିୟ । ସେଥିମଧ୍ୟରୁ ରାମକିଏନ ଅନ୍ୟତମ । ସେହିଭଳି କାମ୍ବୋଡିଆରେ ରିମ୍‌କେର୍‌ ରାମାୟଣର ଆଉ ଏକ ଅତି ଲୋକପ୍ରିୟ ସଂସ୍କରଣ । ଇଣ୍ଡୋନେସିଆରେ ଜାଭାର କାକାବିନ୍‌ ରାମାୟଣ ଓ ବାଲି ଦ୍ୱୀପର ରାମକବ୍‌କା ବେଶ୍‌ ଲୋକପ୍ରିୟ । ଲାଓ ଭାଷାର ଲାକ୍‌ ଫ୍ର ଲାମ୍‌ ରାମାୟଣର ଆଉ ଏକ ପାଠାନ୍ତର । ମାଲୟେସିଆରେ ହିକାୟତ ସେରି ରାମ, ମ୍ୟାଁମାରରେ ୟାମ ଯଥ୍‌ଦ, ଫିଲିପାଇନ୍‌ସରେ ମହାରଦିଆ ଲୱଣ, ନେପାଳରେ ଭାନୁଭକ୍ତ ରାମାୟଣ ଆଦି ବିଭିନ୍ନ ଲୋକପ୍ରିୟ ରାମାୟଣ ରହିଛି । ଚୀନରେ ରାମଙ୍କ ଉପରେ ଲିଖିତ ଜାତକ ଷ୍ଟୋରି ଲିଉ ଡୁ ଜି ଜିଂ ଏବଂ ଜାପାନରେ ଲିଖିତ ଧର୍ମଗ୍ରନ୍ଥ ହୋବୁଟ୍‌ ସୁସୁ ଏବଂ ସାମ୍ବୋ-ଏକୋଟୋବା ଆଦି ରାମାୟଣର ଗୋଟିଏ ଗୋଟିଏ ଚମତ୍କାର ରାମ କଥା ବା ରାମାୟଣ ସଂସ୍କରଣ ।
ରାମାୟଣକୁ ଆଲେକ୍‌ଜାଣ୍ଡାର ବାରାନିକଭ୍‌ ରୁଷ ଭାଷାରେ ଅନୁବାଦ କରିଥିଲେ । ଗେନାଡି ପେକ୍‌ନିକଭ ନାମକ ଜଣେ ଥିଏଟର ବ୍ୟକ୍ତିତ୍ୱ ଏହାକୁ ଏକ ନାଟ୍ୟରୂପ ଦେଇ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ । ଅଙ୍ଗକ୍‌ର ୱଟ୍‌ର ମନ୍ଦିରରେ ରାମାୟଣର କଥାବସ୍ତୁ ସବୁ ଚମତ୍କାର ଭାବେ ଅଙ୍କିତ ହୋଇଛି । ଇଣ୍ଡୋନେସିଆର ପ୍ରମ୍ବନନ୍‌ ମନ୍ଦିରରେ ପ୍ରସିଦ୍ଧ ରାମାୟଣ ନୃତ୍ୟରୁ ରାମାୟଣ ଓ ରାମଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଏବଂ ଭକ୍ତିର ପରିଚୟ ମିଳେ । ମୋଟାମୋଟି କହିଲେ ରାମାୟଣର ପ୍ରଭାବ ଧାର୍ମିକ ଓ ଭୌଗୋଳିକ ସୀମା ସରହଦ ଡେଇଁ ସମଗ୍ର ବିଶ୍ୱର ସଂସ୍କୃତିକୁ ପ୍ରଭାବିତ କରିଛି ।
ଉଲ୍ଲେଖନୀୟ ଯେ ବୌଦ୍ଧଧର୍ମ, ଜୈନଧର୍ମ ଓ ଶିଖଧର୍ମ ଭଳି ବିଭିନ୍ନ ଧର୍ମ ଓ ସଂପ୍ରଦାୟରେ ରାମାୟଣର ପ୍ରଭାବ ନାନା ରୂପରେ ରହିଛି । ଏହି ମହାନ୍‌ ଧର୍ମଗ୍ରନ୍ଥ ବିଭିନ୍ନ ଧର୍ମ, ସଂପ୍ରଦାୟ, ଭାଷା, ଅଞ୍ଚଳ ଓ ବିଶ୍ୱାସରେ ସ୍ଥାନ ପାଇବା ଏବଂ ପ୍ରଦର୍ଶିତ ହେବା ପ୍ରମାଣ କରୁଛି ଯେ ଏହାର ଏକ ସାର୍ବଜନୀନ ଆବେଦନ ଓ ପ୍ରଭାବ ରହିଛି । ସେଥିପାଇଁ ଏହା ସମସ୍ତଙ୍କୁ ଆକର୍ଷିତ କରିଛି । ମୁନି ନାରଦଙ୍କ କଥା ଏହି ପରିପ୍ରେକ୍ଷୀରେ ବେଶ୍‌ ପ୍ରାସଙ୍ଗିକ ମନେ ହୁଏ । ସେ କହିଥିଲେ ଯେ ପର୍ଯ୍ୟନ୍ତ ପାହାଡ ପର୍ବତ ମୁଣ୍ଡ ଟେକିଥିବେ ଏବଂ ଜଗତରେ ନଦନଦୀମାନ ପ୍ରବାହିତ ହେଉଥିବେ ସେ ପର୍ଯ୍ୟନ୍ତ ରାମ ଲୋକଙ୍କୁ ଅନୁପ୍ରାଣିତ କରିଚାଲିଥିବେ ।
ଏହି ମହାନ ଗ୍ରନ୍ଥ ରାମାୟଣର ବିଶେଷତ୍ୱ ହେଲା ଏହା ଅତି ସୁନ୍ଦରଭାବରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଏ । ସେଥିରେ ମୂଲ୍ୟବୋଧ ଓ ଜୀବନଧାରଣର କଥା ଥାଏ । ରାମ, ସୀତା ଏବଂ ଲକ୍ଷ୍ମଣ ଭାରତର ଉତ୍ତର ଭାଗ ଅଯୋଧ୍ୟାରୁ ଯେତେବେଳେ ଦକ୍ଷିଣରେ ଥିବା ଲଙ୍କାକୁ ଗଲେ ସେମାନଙ୍କର ଏହି ଦୀର୍ଘ ଯାତ୍ରାର କାହାଣୀ ଏବଂ ତା’ ସହିତ ଯୋଡି ହୋଇଥିବା ଅନ୍ତର୍ନିହିତ ବାର୍ତ୍ତା ରାମାୟଣରେ ବଡ ଚମତ୍କାର ଭାବରେ ବର୍ଣ୍ଣିତ ହୋଇଛି ।
ରାମାୟଣରେ କବି ବାଲ୍ମିକୀ ମୁନି ନାରଦଙ୍କୁ ପ୍ରଶ୍ନ କରୁଛନ୍ତି ଏମିତି କେହି ନିରପରାଧ, ଅଭ୍ରାନ୍ତ ରୁଚିର ପୁରୁଷ ଅଛନ୍ତି ଯିଏ କି, ବିଦ୍ୱାନ, ଦକ୍ଷ, ମନୋହର ଏବଂ ସବୁ ଜୀବଙ୍କ କଲ୍ୟାଣ ପାଇଁ ଚିନ୍ତା କରୁଥିବେ ? ନାରଦ ତାଙ୍କ ଉତ୍ତରରେ କହୁଛନ୍ତି ଯଦିଓ ଏ ସମସ୍ତ ଗୁଣର ଅଧିକାରୀ ହେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ, ତଥାପି ଏମିତି ଜଣେ ପୁରୁଷ ଅଛନ୍ତି ଯାହାଙ୍କ ପାଖରେ ଏ ସମସ୍ତର ସମାହାର ଦେଖିବାକୁ ମିଳେ ଏବଂ ସେହି ପୁରୁଷ ଜଣକ ହେଉଛନ୍ତି ରାମ । ଅନେକ ଗୁଣାବଳୀ ଓ ବିଶେଷତ୍ୱ ମଧ୍ୟରେ ରାମ ସର୍ବୋତ୍ତମ ଏବଂ ସେ ସବୁ ଜୀବଙ୍କୁ ସୁରକ୍ଷିତ କରିବା ପାଇଁ ଅଙ୍ଗୀକାରବଦ୍ଧ ତଥା ଧର୍ମରକ୍ଷାକାରୀ (ରକ୍ଷିତ ଜୀବ ଲୋକସ୍ୟ ଧର୍ମସ୍ୟ ପରି ରକ୍ଷିତ) । ବାସ୍ତବରେ ରାମାୟଣର ଶେଷ ଆଡକୁ ଏକ ଚରିତ୍ର ରାମଙ୍କୁ ‘ରାମୋ ବିଗ୍ରହବାନ୍‌ ଧର୍ମଃ’ ଭାବେ ବର୍ଣ୍ଣନା କରିଛନ୍ତି ଯାହାର ଅର୍ଥ ରାମ ହେଉଛନ୍ତି ଧର୍ମର ଅବତାର ବା ଉତ୍ତମ ଆଚରଣ, ସତ୍ୟ ଏବଂ ନ୍ୟାୟର ପ୍ରତୀକ । ଜଣେ ମଣିଷ ଯେଉଁସବୁ ଉତ୍ତମ ଗୁଣର ଅଧିକାରୀ ହେବା ଆଶାକରେ ରାମ ସେସବୁ ଗୁଣର ସମାହାର । ରାମାୟଣ ସେହିସବୁ ଉତ୍ତମ ଗୁଣର କାହାଣୀ ଓ ଉଦାହରଣ ଉପସ୍ଥାପନ କରେ । ରାମାୟଣର କାହାଣୀ ଆଗକୁ ବଢିବା ସହିତ ରାମ ଯେତେବେଳେ ଦେଶର ବିଭିନ୍ନ ପ୍ରାନ୍ତ ଭ୍ରମଣ କରୁଛନ୍ତି ସେତେବେଳେ ଆମେ ତାଙ୍କର ସତ୍ୟାନୁରାଗ, ଶାନ୍ତି, ସହଯୋଗିତା, କରୁଣା, ନ୍ୟାୟ, ସମାବେଶୀତା, ଅନୁରକ୍ତି, ଭକ୍ତି, ତ୍ୟାଗ ଏବଂ ସମବେଦନାର ଚମତ୍କାର ଗୁଣମାନ ଦେଖିବାକୁ ପାଉ । ଏସବୁ ଗୁଣ ସାର୍ବଜନୀନ, ଶାଶ୍ୱତ ଏବଂ ସ୍ଥାନ ଓ ସମୟୋତ୍ତୀର୍ଣ୍ଣ । ସେଥିପାଇଁ ଆଜି ମଧ୍ୟ ରାମାୟଣ ଏକ ଦିଗ୍‌ଦର୍ଶକ ଭାବେ ଆମ ପାଇଁ ପ୍ରାସଙ୍ଗିକ ହୋଇ ରହିଛି ।
ରାମରାଜ୍ୟକୁ ଏକ ଉପମା ଭାବେ ଗାନ୍ଧିଜୀ ବ୍ୟବହାର କରିଥିଲେ । ସୁଶାସନକୁ ସେ ରାମରାଜ୍ୟ ସହିତ ତୁଳନା କରିଥିଲେ ଏବଂ ଏଥିରେ ଏକ ସୁଶାସିତ ରାଜ୍ୟ କିପରି କାମ କରିବା ଉଚିତ ତାହା ଦର୍ଶାଇଥିଲେ । 1929ରେ ୟଙ୍ଗ୍‌ ଇଣ୍ଡିଆ ପାଇଁ ଲେଖିଥିବା ଏକ ଲେଖାରେ ଗାନ୍ଧିଜୀ ଉଲ୍ଲେଖ କରିଥିଲେ, ‘ମୋ କଳ୍ପନାର ରାମ ଏ ପୃଥିବୀରେ କେବେ ଥିଲେ କି ନାହିଁ ମୁଁ ଜାଣିନି । ତେବେ ପ୍ରାଚୀନ ରାମରାଜ୍ୟର ଆଦର୍ଶ ନିଃସନ୍ଦେହରେ ଏକ ବାସ୍ତବ ଗଣତନ୍ତ୍ର; ଯେଉଁଥିରେ ସାଧାରଣ ନାଗରିକ ସ୍ୱଳ୍ପ ବ୍ୟୟରେ ତୁରନ୍ତ ନ୍ୟାୟ ପାଇବା ପାଇଁ ହକ୍‌ଦାର ହୋଇପାରିବ’ । ରାମରାଜ୍ୟରେ ଏକ ଶ୍ୱାନ ମଧ୍ୟ ରାଜାଙ୍କଠାରୁ ନ୍ୟାୟ ପାଇଥିବା କବି ବର୍ଣ୍ଣନା କରିଛନ୍ତି ।
ଲୋକକୈନ୍ଦ୍ରିକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଏହା ହେଉଛି ଆଦର୍ଶ । ଯେଉଁଠି ସମବେଦନା, ସମବେଶୀତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ନାଗରିକଙ୍କୁ ଉତ୍ତମ ଜୀବନ ପାଇଁ ସୁବିଧା ସୁଯୋଗ ଯୋଗାଣ ଆଦିର ମୂଲ୍ୟବୋଧ ନିହିତ । ବାସ୍ତବ ଗଣତାନ୍ତ୍ରିକ ଲକ୍ଷ୍ୟ ଓ ମୂଲ୍ୟବୋଧ ହାସଲ କରିବା ପାଇଁ ଏଗୁଡିକୁ ଆଦର୍ଶଭାବେ ଆଖିଆଗରେ ରଖି ଗଣତାନ୍ତ୍ରିକ ଉପାୟରେ ରାଷ୍ଟ୍ରୀୟସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି । ଏହା ଆମକୁ ଆମର ରାଜନୈତିକ, ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢ଼ୀକରଣରେ ସହାୟକ ହେବା ସହ ଆଗକୁ ବଢାଇବ ।
ଏହି ଶୁଭ କ୍ଷଣରେ ଆମେ ଯେତେବେଳେ ରାମଙ୍କ ପାଇଁ ନୂଆ ମନ୍ଦିର ନିର୍ମାଣ କରୁଛୁ ସେତେବେଳେ ରାମାୟଣର ସାର୍ବଜନୀନ ବାର୍ତ୍ତା ବୁଝି ତାହାର ପ୍ରଚାର କରିବାର ଆବଶ୍ୟକତା ରହିଛି । ଏହି ମହାନ ଭାରତୀୟ ଗ୍ରନ୍ଥ ଏହାର ପ୍ରତିଷ୍ଠିତ ମୂଲ୍ୟବୋଧ ଦ୍ୱାରା ଆମ ଜୀବନକୁ ଋଦ୍ଧିମନ୍ତ କରିଛି ।

 

ଉପରାଷ୍ଟ୍ରପତି, ଏମ.ଭେଙ୍କିୟା ନାଇଡୁ

Comments
Loading...