ଗଣଜୀବନର ମା’ ରମାଦେବୀ

ଜୀବନ ଯାହାର ତ୍ୟାଗ ଓ ସେବାର ବିଭୂତିରେ ମହମହ, ଜଗତର ପ୍ରତ୍ୟେକ ଜୀବପାଇଁ ଯେ ନିୟତ ଉତ୍ସର୍ଗିକୃତ, ଗାନ୍ଧୀ ଚେତନାର ମହାଯଜ୍ଞରେ ନିଜକୁ ଅର୍ଘ୍ୟ ଭାବରେ ସ୍ବାହା କରିଥିବା ସେହି ଗଣ ଜୀବନର ମା’ ଥିଲେ- ମା’ ରମାଦେବୀ ଚୌଧୁରୀ I କଟକର ସତ୍ୟଭାମାପୁରର ଏକ ରକ୍ଷଣଶୀଳ ପରିବାରରେ ପିତା ଗୋପାଲବଲ୍ଲଭ ଦାସ ଏବଂ ମାତା ବସନ୍ତକୁମାରୀ ଦେବୀଙ୍କ କୋଳମଣ୍ତନ କରି ୧୮୯୯ ମସିହା ଡିସେମ୍ବର ୩ ତାରିଖରେ ସେ ଭୂମିଷ୍ଠ ହୋଇଥିଲେ I ପାରିବାରିକ ଜୀବନ ଅପେକ୍ଷା ସାମାଜିକ ଜୀବନ ପ୍ରତି ତାଙ୍କର ଦାୟବଦ୍ଧତା ହେତୁ ତତ୍କାଳୀନ ସାମାଜିକ ରକ୍ଷଣଶୀଳତାକୁ ଏଡେଇ କର୍ମଯୋଗର ସଂଘର୍ଷମୟ-କଙ୍କରିଳ ପଥକୁ ସେ ଗ୍ରହଣ କରିନେଇଥିଲେ I ଲକ୍ଷ୍ୟ ସାଧୁ ହେଲେ ପନ୍ଥା ମଧ୍ୟ ସାଧୁ ହେବା ଦରକାର ବୋଲି ମନେକରୁଥିବା ମା’ ରମାଦେବୀଙ୍କ କର୍ମ ପ୍ରଚୋଦନା ଥିଲା ଅଭୂତ ଭାବରେ ବ୍ୟତିକ୍ରମ I ଗାନ୍ଧୀବାଦୀ ଆଦର୍ଶ, ସମାଜସେବା ତଥା ଶିକ୍ଷାଲୋକର ଜ୍ୟୋତିର୍ମୟ ଦିଗ ପ୍ରତି ସେ ଥିଲେ ସମର୍ପିତ I ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ, ହରିଜନ ପଦଯାତ୍ରା, ଭାରତଛାଡ଼ ଆନ୍ଦୋଳନ, ଭୂଦାନ ପଦଯାତ୍ରା ଭଳି ଐତିହାସିକ ଘଟଣା ସହିତ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତିନେଇ ତାଙ୍କୁ ବହୁବାର ଜେଲ୍ ଦଣ୍ଡ ଭୋଗିବାକୁ ପଡିଥିଲା I ତଥାପି ନିଜ ଉଦ୍ଦେଶ୍ୟ ଏବଂ ସ୍ୱପ୍ନକୁ ନେଇ ସେ ଥିଲେ ସତତ ଚେଷ୍ଟିତ I ଦେଶ ଓ ଜାତିର ମଙ୍ଗଳବିଧାନ, ମାନବସେବା ତଥା ଆଜୀବନ ତ୍ୟାଗପୂତ ଜୀବନଚର୍ଯ୍ୟା ପାଳନ ନିମନ୍ତେ ମା’ ରମାଦେବୀଙ୍କୁ ଜାତୀୟ ସ୍ତରରେ ଯମୁନାଲାଲ୍ ବଜାଜ୍ ପୁରସ୍କାର, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡି.ଲିଟ୍ ଉପାଧି, ଇମ୍ଫା ଦ୍ୱାରା ସାରଳା ସମ୍ମାନ ଆଦି ପ୍ରାପ୍ତ ହୋଇଥିଲେ I ନାରୀଶିକ୍ଷାକୁ ଏକ ଉନ୍ନତ ପର୍ଯ୍ୟାୟରେ ପହଞ୍ଚାଇବାରେ ମା’ ରମାଦେବୀଙ୍କ ଭୂମିକା ଅନବଦ୍ୟ I ଖଣ୍ଡିତ ଉତ୍କଳର ଅସୂର୍ଯ୍ୟଂପଶ୍ୟା ନାରୀ ଜାତିକୁ ଅଶିକ୍ଷା ଏବଂ ନିରକ୍ଷରତାର ଅନ୍ଧଗଳିରୁ ମୁକ୍ତ କରି ନୂତନ ଜ୍ଞାନାଲୋକ ପ୍ରଦାନ କରିବା ଉଦ୍ଦେଶ୍ୟରେ ସେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ସ୍ୱପ୍ନ ଦେଖିଥିଲେ I ସେହି ସ୍ୱପ୍ନବିଭୋର- ଚେତନାର ଏକ ସମୃଦ୍ଧ ରୂପଥିଲା ୧୯୬୪ ମସିହାରେ ପ୍ରତିଷ୍ଠିତ ‘ସରକାରୀ ମହିଳା ମହାବିଦ୍ୟାଳୟ’ I ମାତ୍ର ୪୨ ଜଣ ଛାତ୍ରୀଙ୍କୁ ନେଇ ଭୁବନେଶ୍ୱରର ୟୁନିଟ୍ ୯ ସ୍ଥିତ ଲେବର୍ ଅଫିସ୍ ରେ ଗଢିଉଠିଥିବା ସେହି ମହାବିଦ୍ୟାଳୟ କ୍ରମେ ୧୯୬୯ ମସିହା ଜାନୁୟାରୀ ୮ ତାରିଖରେ ମା’ ରମାଦେବୀଙ୍କ ନାମରେ “ ରମାଦେବୀ ମହିଳା ମହାବିଦ୍ୟାଳୟ “ ଭାବରେ ନୂତନ ପରିଚିତି ହାସଲ କରିଥିଲା I ୧୯୮୧ ମସିହାରେ ଏହାର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବରେ ମା’ ରମାଦେବୀଙ୍କ ଯୋଗଦାନ ଥିଲା ଏକ ଅବିସ୍ମରଣୀୟ ଉପଲବ୍ଧି I ମା’ ରମାଦେବୀ ପ୍ରକୃତପକ୍ଷେ ଓଡିଶାର ଅସ୍ମିତା ଓ ସ୍ୱାଭିମାନର ଅଖଣ୍ଡ ଜ୍ୟୋତିସ୍ତମ୍ଭ ଥିଲେ I

କୌଣସି ବିଶେଷ ଚିନ୍ତନର ସକାରାତ୍ମକ ପ୍ରୟାସ କ୍ରମେ ଯେ ମହାଦ୍ରୁମ ଭଳି ଜଡୀଭୂତ କାୟା ବିସ୍ତାର କରେ ତାହା ନିରାଟ ସତ୍ୟ I ଏହି ସତ୍ୟର ଏକ ସାକାର ରୂପ ଭାବରେ “ ରମାଦେବୀ ମହିଳା ମହାବିଦ୍ୟାଳୟ “ କ୍ରମେ ତା’ର ଉପଲବ୍ଧି ଓ ସଫଳତାର କାୟାବିସ୍ତାର କଲା I ୧୯୯୯ ମସିହାରେ ପ୍ରଥମ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଲାଭ, ୨୦୦୪ ଏବଂ ୨୦୧୫ ମସିହାରେ NAAC ର GRADE ‘A’ କୁ ଉନ୍ନୀତ ହେବା ଓ ୨୦୧୪ ମସିହା ନଭେମ୍ୱର ୧୫ ତାରିଖରେ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ରୁପେ ତତ୍କାଳୀନ ଭାରତର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ପ୍ରଣବ ମୁଖାର୍ଜୀ ମହୋଦୟଙ୍କ ଯୋଗଦାନ ଥିଲା ଅବିସ୍ମରଣୀୟ I ୨୦୧୫ ମେ ମାସ ୩୦ ତାରିଖରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ‘ରୁଷା’ ର ସହଯୋଗରେ ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ ଥିଲା ଏହାର ଶୀର୍ଷାରୋହଣର ଆଦ୍ୟପର୍ଯ୍ୟାୟ I

ବାସ୍ତବରେ ୨୦୧୫ ମସିହା ରୁ ୨୦୨୦ ମସିହାର ଯାତ୍ରାପଥରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ମହିଳା ଉଚ୍ଚଶିକ୍ଷାକୁ ଆଉ ପାଦେ ଆଗେଇ ନେବାରେ ସମର୍ଥ ଦାୟବଦ୍ଧତା ପ୍ରତିଷ୍ଠା କରିପାରିଛି। ଏଠାରେ ବିଭିନ୍ନ ପାଠ୍ୟକ୍ରମ ସହିତ ବିଷୟଭୁକ୍ତ ଗବେଷଣାତ୍ମକ ବ୍ୟାପକ ପରିସର ସୃଷ୍ଟି କରାଯାଇଛି I ଏହି ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣବତ୍ତାର ବିକାଶ ନିମନ୍ତେ ଏହାର ଶୈକ୍ଷିକ ପରିସରର ସମୃଦ୍ଧି ପ୍ରତି ସଚେତନ ପ୍ରୟାସ ରହିଛି I ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ସ୍ୱପ୍ନ ଓ ସଂକଳ୍ପ ଭିତରେ ରହିଛି ଛାତ୍ରୀମାନଙ୍କ ଶିକ୍ଷାତ୍ମକ, ଗୁଣାତ୍ମକ, ଭାବାତ୍ମକ ତଥା ସର୍ବତୋମୁଖୀ ପ୍ରତିଭା ଏବଂ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶର ମହତ୍ ଆଭିମୁଖ୍ୟ I କେବଳ ଓଡ଼ିଶା ନୁହେଁ; ରାଜ୍ୟ ତଥା ଓଡ଼ିଶା ବାହାରେ ଥିବା କୋମଳମତି ଝିଅମାନଙ୍କ ଚେତନାର ସମ୍ପ୍ରସାରଣ ଏବଂ ପ୍ରତିଭାର ବିଚ୍ଛୁରଣ ସହିତ ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏକ ଅଦ୍ୱିତୀୟ ଶିକ୍ଷାନୁଷ୍ଠାନ I ଛାତ୍ରୀମାନଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ଭାବରେ ଏହା ଗୌରବମୟ ଅଧ୍ୟାୟ ସୃଷ୍ଟି କରିବା ସହିତ ସମ୍ଭାବନାମୟ ଦିଗନ୍ତ ଉନ୍ମୋଚନ ପାଇଁ ଏକ ବଳିଷ୍ଠ ଶିକ୍ଷାଭୂମି ପାଲଟିଛି I ୨୦୨୦ ମସିହାର ଷଷ୍ଠ ପ୍ରତିଷ୍ଠା ଦିବସ ଉପଲକ୍ଷେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ତା’ର ଶୀର୍ଷାରୋହଣ ପଥରେ ଯେ ଆଶାନ୍ୱିତ ସଫଳତା ଲାଭ କରିବ ଏଥିରେ କୌଣସି ଦ୍ବିଧା ନାହିଁ I

Comments are closed.