ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ହତ୍ୟା ସନ୍ଦେହ, ସ୍କୁଟିରେ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁଇ ଯୁବକ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟା ପରେ ଯାଜପୁର ଜିଲାରେ ଫିଙ୍ଗି ଦିଆଯାଇଛି। ଦୁଇ ଯୁବକ ଜଣ ଯୁବକ ଏକ ସ୍କୁଟିରେ ଯୁବତୀଙ୍କ ମୃତ ଦେହକୁ ଆଣି ଯାଜପୁର ଜିଲାରେ ଫିଙ୍ଗି ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଆଜି ଦୁଇଜଣ ଯୁବକ ମୃତାଛାତ୍ରୀଙ୍କୁ କିଭଳି ସ୍କୁଟିରେ ବସାଇ ଆଣି ଫୋପାଡ଼ିଛନ୍ତି ତାହା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ଏପରି ଅଭିଯୋଗ ଯାଜପୁର ଜିଲାରୁ ଆସିବା ପରେ ପୁଲିସ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି। ଛାତ୍ରୀ ଜଣଙ୍କୁ ଅପହରଣ କରାଯାଇ ହତ୍ୟ କରି ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି। କି’ଏ ଏବଂ କାହିଁକି ଛାତ୍ରୀଙ୍କୁ ହତ୍ୟା କରି ସ୍କୁଟିରେ ଆଣି ଫିଙ୍ଗିଛନ୍ତି ତା’ର କାରଣ ଅସ୍ପଷ୍ଟ ରହିଛି। ଛାତ୍ରୀଙ୍କ ପରିଚୟ ମିଳିବା ପରେ ପୁଲିସ ଏହାକୁ ଗୁରୁତର ସହିତ ନେଇଛି ଏବଂ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଥିବା ଜଣାପଡ଼ିଛି।


ମିଳିଥିବା ସୂଚନା ଅନୁଯାୟୀ ଯଶିପୁର ଥାନା ବୃନ୍ଦେଇପୋଷି ଗ୍ରାମର ଝରାଫୁଲ ନାୟକ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷ(ଦର୍ଶନ ଅନର୍ସ)ରେ ପଢୁଛନ୍ତି। ମହାମାରୀ କରୋନା କଟକଣା ପାଇଁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ହଷ୍ଟେଲ୍‌ ବନ୍ଦ ରହିଥିବାରୁ ସେ ଘରକୁ ଯାଇଥିଲେ। ଘରଲୋକଙ୍କ କହିବା ଅନୁଯାୟୀ ଝରାଫୁଲ ଗତ ଜାନୁଆରୀ ୨୪ ତାରିଖରେ ଭୁବନେଶ୍ୱର ଆସିଥିଲେ। ସେ ତାଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ତା’ପର ଦିନ ଅର୍ଥାତ ଜାନୁଆରୀ ୨୬ ତାରିଖ ସକାଳେ ଝରାଫୁଲ ଘରକୁ ଯାଉଛନ୍ତି ବୋଲି ଫୋନ୍‌ରେ ବାପାଙ୍କୁ କହିଥିଲେ। ମାତ୍ର ସେ ଯାଇନଥିଲେ। ପରେ ପରିବାର ଲୋକ ଝରାଫୁଲକୁ ଫୋନ୍‌ କରିଥିଲେ, ଝରାପୁଲ ଫୋନ୍‌ ରିସିଭ୍‌ କରି ମୋର ଦେହ ଭଲ ନାହିଁ, ଏବେ ସାଙ୍ଗ ଘରେ ରହିଛି ବୋଲି କହିଥିଲେ । ଏହାପରଠାରୁ ଝରାଫଲଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ଝରାଫୁଲ ସହିତ କୌଣସି ଯୋଗାଯୋଗ ହୋଇନପାରିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଯାଇଥିଲେ। ଜାନୁଆରୀ ୨୬ ତାରିଖ ରାତିରେ ଝିଅ ନିଖୋଜ ରହିଥିବା ବାପା ପ୍ରକାଶ କରିଥିଲେ। ଭୁବନେଶ୍ବରରୁ ଘରକୁ ଯିବାକୁ ବସରେ ବସିଲା ପରେ ନିଖୋଜ ରହିଥିବା ସୂଚନା ଦେଇଥିଲେ।


ଆଜି ଯାଜପୁର ଜିଲାର କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକରେ ଜଣେ ଯୁବତୀଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଆଜି ସକାଳ ୮ଟାରେ ଦୁଇଜଣ ଯୁବକ ସ୍କୁଟିରେ ଜଣେ ଯୁବତୀଙ୍କ ମୃତଦେହ ଆଣି ଫିଙ୍ଗି ଦେଇଥିବା କିଛି ଲୋକ ଦେଖିଥିଲେ। ସିସିଟିଭିରେ ମଧ୍ୟ ସେ ସମୟର ଦୃଶ୍ୟ କଏଦ୍‌ ହୋଇଥିଲା। ପ୍ରଥମେ ପୁଲିସ ପକ୍ଷରୁ ଜଣେ ଅପରିଚିତା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ଦିଆଯାଇଥିଲା। ତେବେ ମୃତା ଯୁବତୀଙ୍କ ନିକଟରେ ତା’ର ଚପଲ ଓ ବ୍ୟାଗ୍‌ ପଡ଼ିଥିଲା। ବ୍ୟାଗ୍‌ ଖୋଲିବା ପରେ ମୃତା ଯୁବତୀଙ୍କ ଏକ ଆଡେଣ୍ଟିଟି କାର୍ଡ ମିଳିଥିଲା ଏବଂ ତାଙ୍କ ପରିଚୟ ମିଳିଥିଲା। ମୃତକ ଜଣକଙ୍କ ନାମ ଝରାଫୁଲ ନାୟକ ଏବଂ ସେ ଭୁବନେଶ୍ବର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରୀ ବୋଲି ଆଡେଣ୍ଟିଟି କାର୍ଡରେ ଉଲ୍ଲେଖ ରହିଥିଲା। ଫଳରେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। କୁଆଖିଆ ଥାନା ଅଧିକାରୀ ଏବଂ ଯାଜପୁର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜବତ କରିଥିବା ଛାତ୍ରୀଙ୍କ ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି ଯେ ଝରାଫୁଲ ନାୟକ ଯୁକ୍ତ ତିନି ଦ୍ବିତୀୟ ବର୍ଷ(ଦର୍ଶନଶାସ୍ତ୍ର ଅନର୍ସ) ଛାତ୍ରୀ। କିନ୍ତୁ କୋଭିଡ୍‌ କଟକଣା ଯୋଗୁ ହଷ୍ଟେଲ୍‌ ବନ୍ଦ ରହିଛି। ସରକାରଙ୍କ ନିୟମାନୁସାରେ ଯୁକ୍ତ ତିନି ଶେଷ ବର୍ଷ ଏବଂ ପିଜି ଶେଷ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲ୍‌ରେ ରହିବାକୁ ଅନୁମତି ରହିଛି। ରେକର୍ଡ ଅନୁସାରେ ସେ ହଷ୍ଟେଲ୍‌ ଆସିନାହାନ୍ତି। ତେବେ ତାଙ୍କ ମୃତ୍ୟୁରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀମାନେ କହିଛନ୍ତି ଯେ ଝରାଫୁଲ ଅବେଳରେ ଝଡ଼ିଗଲା। ତାଙ୍କ ମୃତ୍ୟୁର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କରୋଠ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି।

Comments are closed.